୧୩୭ ବର୍ଷ ପୁରୁଣା ୟୁବି ହାଇସ୍କୁଲ: ସ୍କାର୍ଟ ସ୍କୁଲ ହେଲା, ପୂରଣ ହେଉନି ଶିକ୍ଷକ ଅଭାବ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ହାଇସ୍କୁଲ ଶିକ୍ଷା ପାଇଁ ରହିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସ୍ଥାନ ଅନ୍ୟତମ। ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିକରଣ ପ୍ରକ୍ରିୟା ଅରମ୍ଭ କରିଛନ୍ତି। ସେହି କ୍ରମରେ ଉକ୍ତ ବିଦ୍ୟାଳୟ ମଧ୍ୟ ସ୍ମାର୍ଟ ସ୍କୁଲରେ ପରିଣତ ହୋଇଛି। ଏହା ଇଂରେଜ ଶାସନ ଅମଳରେ ଅର୍ଥାତ୍‌ ୧୮୮୪ ମସିହାରେ ସ୍ଥାପିତ ହୋଇଥିଲ। ଏହି ବିଦ୍ୟାଳୟ ଇତିହାସର ଅନେକ ଘଟଣା ସହିତ ନିଜକୁ ଜଡ଼ିତ କରିପାରିଛି। ଅଞ୍ଚଳର ବହୁ ବଳିଷ୍ଠ ବ୍ୟକ୍ତିତ୍ବ ଏହି ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ବର୍ତ୍ତମାନ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏହି ବିଦ୍ୟାଳୟ ସହରର ଜନବସତି ମଧ୍ୟରେ ରହିଥିବା ବେଳେ ଶିକ୍ଷାଦାନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ ମଧ୍ୟ ଏହା ପରିଗଣିତ। କିନ୍ତୁ ଏତେ ବଡ଼ ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ଶିକ୍ଷକ ଅଭାବ ସମସ୍ୟା ଭାବେ ଉଭା ହୋଇଛି। ବିଦ୍ୟାଳୟରେ ଉକୃଷ୍ଟ ଭିତ୍ତିଭୂମୀ ରହିଥିବା ବେଳେ ଶିକ୍ଷକ ଅଭାବ ଆଗାମୀ ଦିନରେ ଶିକ୍ଷାଦାନକୁ ବିଶେଷ ମାତ୍ରାରେ ପ୍ରଭାବିତ କରିବାର ସମ୍ଭାବନା ଦେଖାଦେଇଛି।

ଏହି ବିଦ୍ୟାଳୟ ୧୮୮୪ ମସିହାରେ ଇଂରେଜ ଶାସନ ଅମଳରେ ଗଠନ ହୋଇଥିଲା। ଏହାପରେ ୧୯୧୩ ମସିହାରେ ତତ୍କାଳିନ ରସ‌ଲକୋଣ୍ଡାର ସହରର ନାମ ଆନୁସାରେ ରସଲକୋଣ୍ଡା ଜିଲ୍ଲା ବୋର୍ଡ ହାଇସ୍କୁଲ ଭାବେ ନାମିତ କରାଯାଇଥିଲା। ଏହା‌ପରେ ୧୯୫୩ ମସିହାରେ ଏହାକୁ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ନାମରେ ନାମିତ କରାଯାଇ ୬ଷ୍ଠ ଶ୍ରେଣୀରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଟାଉନ୍‌ ଜୁନିୟର ବେସିକ୍‌ ସ୍କୁଲ ଏହି ବିଦ୍ୟାଳୟରେ ମିଶ୍ରଣ ହେବା ପରେ ପ୍ରଥମ ଠାରୁ ୫ମ ପର୍ଯ୍ୟନ୍ତ ଶିକ୍ଷାଦାନ  ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ବିଦ୍ୟାଳୟରେ ୬୩୦ରୁ ଉର୍ଦ୍ଧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବ‌େଳେ ସେହି ଅନୁପାତରେ ଏଠାରେ ଶିକ୍ଷକ ନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି। ଏଠାରେ ପ୍ରଥମ ଶ୍ରେଣୀରୁ ୫ ମ ଶ୍ରେଣୀରେ ୫୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ଦୁଇଜଣ ଶିକ୍ଷକ ରହିଛନ୍ତି। ବାକି ଛାତ୍ରଛାତ୍ରୀ ୬ଷ୍ଠ ଶ୍ରେଣୀରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛନ୍ତି।

ଶିକ୍ଷକ ଅଭାବ ଯୋଗୁ ଏଠାରେ ଶିକ୍ଷାଦାନ ଅନେକାଂଶରେ ବାଧାପ୍ରାପ୍ତ ହେଉଛି। ଉକ୍ତ ବିଦ୍ୟାଳୟରେ ପାଠ ପଢାଉଥିବା ଦୁଇ ବରିଷ୍ଠ ଶିକ୍ଷକ ପଦୋନ୍ନତି ପାଇ ଜଣେ ବାହାଡାପଦର ଏବଂ ଅନ୍ୟଜଣେ ତଳଜୀବିକା ଉଚ୍ଚ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ‌ହୋଇ ଚାଲିଯିବା ପରେ ସମସ୍ୟା ଆହୁରି ବଢିଯାଇଛି। ବର୍ତ୍ତମାନ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ମାତ୍ର ୬ ଜଣ ତାଲିମ ପ୍ରାପ୍ତ ବିଏଡ୍‌ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ଜଣେ ବିଜ୍ଞାନ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବରେ ରହିଛନ୍ତି। ଯାହା ଫଳରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ଗ‌ୋଟିଏ କକ୍ଷରେ ବସାଇ ପଢାଇବା ଏକ ପ୍ରକାର ଅସମ୍ଭବ ହୋଇଥିବା ବେଳେ ଶିକ୍ଷାଦାନର ମାନ ସ୍ପଷ୍ଟ ଅନୁମେୟ ହେଉଛି।

ସରକାରୀ ନିୟମ ଅନୁଯାୟୀ ୧୨ ଜଣ ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏଥିସହ ହିନ୍ଦୀ,ସଂସ୍କୃତ ଏବଂ ପିଇଟି ଶିକ୍ଷକ ପାଠ ପଢାଉଛନ୍ତି। ଏଥିସହ ଏଠାରେ ତିନୋଟି କିରାଣି ପଦବୀ ରହିଥିବା ବେଳେ ମାତ୍ର ଜଣେ କନିଷ୍ଠ କିରାଣି କାର୍ଯ୍ୟ ତୁଲାଉଥିବା ଜଣାପଡିଛି। ବିଦ୍ୟାଳୟରେ ପିଲାଙ୍କ ଉତ୍ତମ ଭବିଷ୍ୟତ ଗଠନ କାର୍ଯ୍ୟ ହେଉଥିବା ବ‌େଳେ ମାନବ ସମ୍ବଳ ଅଭାବ ଶିକ୍ଷାଦାନ‌ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରୁଛି। ବୃହତ ଖେଳ ପଡ଼ିଆ ସାଙ୍ଗକୁ ଶିକ୍ଷାଦାନ ନିମନ୍ତେ ବହୁ କୋଠା ରହିଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ନଥିବାରୁ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଇଂରେଜ ଅମଳରୁ ମୁଖ ସାକ୍ଷୀ ଭାବେ ଠିଆ ହୋଇଥିବା ଏହି ବୃହତ ଶିକ୍ଷାନୁଷ୍ଠାନ ସୁରକ୍ଷା ସହ ଶିକ୍ଷକ ପଦବୀ ପୂରଣ ଜରୁରୀ ହୋଇପଡିଛି।

 

 

 

ସମ୍ବନ୍ଧିତ ଖବର