ଅଷ୍ଟମ ଛାତ୍ରୀଙ୍କୁ ରସିକ ଶିକ୍ଷକଙ୍କ ପ୍ରେମ ନିବେଦନ ଘଟଣା: ଜିଲ୍ଲା ଶିକ୍ଷାଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମାଶାର୍ଘାଇ: ନିଜ ଝିଅ ବୟସର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ପ୍ରେମ ନିବେଦନ କରିବା ଘଟଣା ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସାରା ଜିଲ୍ଲାର ଚର୍ଚ୍ଚା ଜୋର୍‌ ଧରିଛି। ଲୋକମାନେ ମାର୍ଶାଘାଇ ବ୍ଲକ୍ ଅଂଚଳର ଏହି ରସିକ ଖେଳ ଶିକ୍ଷକଙ୍କ ଏଭଳି ଘୃଣ୍ୟ କାରନାମାକୁ ଛିଛା କରୁଛନ୍ତି। ଅନ୍ୟପଟେ ଜିଲ୍ଲା ଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ ସିଂହ  ଘଟଣାର ତଦନ୍ତ ନିର୍ଦ୍ଦେଶ( ଚିଠି ନଂ-୧୩୪୫୯/୨୦୨୧) ଦେଇଛନ୍ତି। ଆଜି ସୁଦ୍ଧା ମାର୍ଶାଘାଇ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ତେଣେ ସଂପୃକ୍ତ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ବି ଆଜି ଘଟଣା ସଂପର୍କିତ ଏକ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଥିବା ସୂଚନା ମିଳିଛି।

ଗୋଟିଏପଟେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟପଟେ ମାମଲାକୁ ଦଫାରଫା କରିବା ପାଇଁ ପୀଡ଼ିତା ପରିବାର ଉପରେ ଚାପ ପକାଯାଉଥିବା ଶୁଣିବାକୁ ‌ମିଳିଛି। ହେଲେ ଏଭଳି ଏକ ଲଜ୍ଜାଜନକ ଘଟଣା ଗୁରୁ-ଶିଷ୍ୟ ଭଳି ପବିତ୍ର ସଂପର୍କରେ କଳଙ୍କର ଛିଟା ଲଗାଇ ଦେଇଥିବାରୁ ପ୍ରେମିକ ପ୍ରବର ଖେଳ ଶିକ୍ଷକଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି। ଗତ ମଂଗଳବାର ଦିନ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ପୀଡ଼ିତାଙ୍କ ମା’ ଖେଳ ଶିକ୍ଷକଙ୍କ କଳା କାରନାମା ସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଜଣାଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ପୀଡ଼ିତାଙ୍କ ମା’ ଲେଖିଥିବା ଅଭିଯୋଗପତ୍ରରେ ଦର୍ଶାଇଥିଲେ ଯେ ତାଙ୍କ ଅଷ୍ଟମ ଶ୍ରେଣୀ ପଢ଼ୁଛି। ହେଲେ ଗଲା ଦୁଇ ମାସ ହେବ ଖେଳ ଶିକ୍ଷକ ଜଣକ ଝିଅକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରେମ କରିବାକୁ ବାଧୢ କରିବାକୁ ବାଧ୍ୟ କରିବା ସହିତ ଅଶ୍ଳୀଳ ମେସେଜ୍‌ ମୋବାଇଲ୍‌ରେ ପଠାଉଥିଲେ। ବାରମ୍ବାର ଏଭଳି କରିବାରୁ ଛାତ୍ରୀ ଜଣକ ବାଧ୍ୟ ହୋଇ ମା’ ଆଗରେ ସବୁ କଥା କହିଦେଇଥିଲା।

ଛାତ୍ରୀଙ୍କ ମା’ ଏ ସଂପର୍କରେ ପଚାରିବାରୁ ଖେଳ ଶିକ୍ଷକ ଜଣକ ଭୁଲ ମାଗିବା ସହିତ ଆଉ କେବେବି ଏଭଳି କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷାରେ ଫେଲ୍‌ କରାଇ ଦେବାର ଧମକ ଦେଖାଇ ଛାତ୍ରୀଙ୍କୁ ମେସେଜ୍‌ କରିବାକୁ ବାଧୢ କରିଥିଲେ। ଏ କଥା ନ ମାନିବାରୁ ଗତ ୨୭ତାରିଖରେ ଖେଳ ଶିକ୍ଷକ ସଂପୃକ୍ତ ଛାତ୍ରୀଙ୍କୁ ଅଟକାଇ ପୋଷାକ ଟଣାଓଟରା କରିବା ସହିତ କାହିଁକି ମା’କୁ ସବୁକଥା କହିଲୁ ବୋଲି ନାଲିଆଖି ଦେଖାଇ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। ଫଳରେ ଝିଅର ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଥିବା ମା’ ଗତ ମଂଗଳବାର ଏ ସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଜଣାଇଥିଲେ। କେବଳ ସେତକି ନୁହେଁ, ସଂପୃକ୍ତ ରସିକ ଖେଳ ଶିକ୍ଷକ ପୂର୍ବରୁ ମଧ୍ୟ ଦୁଇ ଛାତ୍ରୀଙ୍କ ସହିତ ଏପରି କରିବାରୁ ସେମାନେ ବାଧ୍ୟ ହୋଇ ସ୍କୁଲ୍‌ରୁ ଟିସି ନେଇ ପଳାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଯଦି ଏହି ଅଭିଯୋଗ ସତ ହୋଇଥାଏ, ତା’ହେଲେ ଅତ୍ୟନ୍ତ ସାଂଘାତିକ। କିଭଳି ଆଉ କେଉଁ ପରିସ୍ଥିତିରେ ଏଭଳି ଲଜ୍ଜାଜନକ ଘଟଣା ବାରମ୍ବାର ଘଟିବା ପରେ ବି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଏ ପ୍ରଶ୍ନକୁ ଅଧିକ ବଳ ଦେଉଛି ପ୍ରଧାନଶିକ୍ଷକଙ୍କ ନିରବତା। ମଂଗଳବାରଠାରୁ ପୀଡ଼ିତାଙ୍କ ମା’ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ କାହିଁକି ଆଜିଯାଏ ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ନ ଥିଲେ? ଖୋଦ୍ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ ଘଟଣା ସଂପର୍କରେ ଆଜି ‘ସମ୍ବାଦ’ରୁ ପଢ଼ି ଜାଣିଲି। ତା’ହେଲେ ପ୍ରଶ୍ନ ଉଠୁଛି ଯେ ଗଲା ଦୁଇ ଦିନ ହେଲା ପ୍ରଧାନଶିକ୍ଷକ କାହିଁକି ତାଙ୍କୁ ଏ ସମ୍ପର୍କରେ ଜଣାଇ ନ ଥିଲେ? ଘଟଣାକୁ ସ୍କୁଲସ୍ତରରେ ଚାପିଦେବାକୁ ଉଦ୍ୟମ ହେଉ ଥିଲା କି? ସେ ଯାହା ବି ହେଉ ନା କାହିଁକି, ଏବେ ଯେତେବେଳେ ଘଟଣା ସାମ୍ନାକୁ ଆସି ସାରିଛି, ସେତେବେଳେ ରସିକ ଖେଳ ଶିକ୍ଷକଙ୍କ ବିରୋଧରେ କି’ କାର୍ଯ୍ୟାନୁଷ୍ଠାନ ହେଉଛି, ତା’ରି ଉପରେ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର