ଆଜି ପୁଣି ପ୍ରଶ୍ନକାଳରେ ଉଠିଲା ଧାରଣାରତ ଶିକ୍ଷକ ପ୍ରସଙ୍ଗ: ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ପୁଣି ପ୍ରଶ୍ନକାଳରେ ଧାରଣାରତ ଶିକ୍ଷକ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ସଦସ୍ୟ। ଏହି ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଥିଲା। ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଆଲୋଚନା କଲେନି ବୋଲି ବିରୋଧୀ ଦଳର ସଦସ୍ୟମାନେ ଅଭିଯୋଗ କରିଥିଲେ। ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ  ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ତିନି ଦିନ ହେଲା ବିଭିନ୍ନ ଦାବି ନେଇ ରାଜଧାନୀରେ ଶିକ୍ଷକମାନେ ଆନ୍ଦୋଳନ ଚଳାଇଛନ୍ତି। ସୋମବାର ବି ଏହି ପ୍ରସଙ୍ଗରେ ବିଧାନସଭା ସରଗରମ ହୋଇଥିଲା। ପ୍ରଶ୍ନକାଳରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସରକାରଙ୍କୁ ଦାୟୀ କରି ହୋହଲ୍ଲା କରିଥିଲେ। ସେମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ। ୧୧ଟା ୩୦ରେ ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହକୁ ଆଉ ୧୫ ମିନିଟ୍ ମୁଲତବୀ ରଖିଲେ। ୧୧ଟା ୪୫ରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।

ସରକାର ତୁରନ୍ତ କିଛି ନିଷ୍ପତ୍ତି ନେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ରୁଲିଂ ଦିଆଯିବ ବୋଲି ବାଚସ୍ପତି କହିବାରୁ ସେମାନେ ନିଜ ନିଜ ଆସନକୁ ଫେରିଯାଇଥିଲେ। ଶିକ୍ଷକମାନଙ୍କ ଦାବି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ବିଚାର କରିବାକୁ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର