ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ୬ ଦିନ ଧରି ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା ଶିକ୍ଷା ସହାୟକମାନେ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଏଥିସହ ବିଭାଜିତ ହୋଇଥିବା ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଦୁଇଟି ଯାକ ଗୋଷ୍ଠୀର ପ୍ରତିନିଧି ଗଣଶିକ୍ଷା ବିଭାଗ ପକ୍ଷରୁ ଗଠିତ ହୋଇଥିବା କମିଟି ଆଗରେ ଆଜି ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ୧୭ ତାରିଖରେ ବସିବାକୁ ଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଶିକ୍ଷକଙ୍କ ଦାବି ନେଇ ଚୂଡ଼ାନ୍ତ ନିଷ୍ପତ୍ତିି ହେବାକୁ ଥିବାରୁ ସେପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଗଲା ବୋଲି ସମସ୍ତ ଶିକ୍ଷା ସହାୟକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଆନ୍ଦୋଳନ ଜାରି ରଖିଥିବା ଓଡ଼ିଶା ଶିକ୍ଷା ସହାୟକ ସଂଘ ଏବଂ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଆବାହକ ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ୧୪ ଜଣିଆ ପ୍ରତିନିଧିଦଳ ଆଜି ଓପେପା ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷା ନିର୍ଦେଶକ ଚୂଡ଼ାମଣି ସେଠ୍‌ଙ୍କୁ ସାକ୍ଷାତ କରିଥିଲେ। ପ୍ରାଥମିକ ଶିକ୍ଷକଙ୍କୁ ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଦେଇ ସପ୍ତମ ବେତନ କମିସନକୁ ସଂଶୋଧନ କରିବା, ଶିକ୍ଷା ସହାୟକଙ୍କ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଓ ଶିକ୍ଷା ସହାୟକ ପଦବି ଉଚ୍ଛେଦ କରିବାକୁ ଦାବି ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଫଳପ୍ରଦ ହେବା ପରେ ଦୁଇଟି ଯାକ ଶିକ୍ଷକ ସଙ୍ଗଠନ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଯଦି ଦାବି ପୂରଣ କରା ନ ଯାଏ ତେବେ ୧୮ ତାରିଖରୁ ଶିକ୍ଷକମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଏହି ଆଲୋଚନାରେ ସୁଶାନ୍ତ ବେହେରା, ମାଳବିକା ଦାସ, ଅର୍ଜୁନ କୁମାର ସେଠୀ, ଯୁଧିଷ୍ଠିର ସାହୁ, ଜିତରଞ୍ଜନ ମହାପାତ୍ର, ଜ୍ୟୋତିରଞ୍ଜନ ଦାସ, ସୁଧାଂଶୁ ଶେଖର ନାୟକ ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟପକ୍ଷରେ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମଧ୍ୟ ବିଭାଗୀୟ କମିଟି ଆଗରେ ଦାବି ଉପସ୍ଥାପିତ କରିଛନ୍ତି। ଉପରୋକ୍ତ ଦାବି ସମେତ ଗତ ୮ ଏବଂ ୯ ତାରିଖରେ ଛୁଟି ନେଇ ଆନ୍ଦୋଳନକୁ ଆସିଥିବା ଶିକ୍ଷକଙ୍କ ଛୁଟି ମଞ୍ଜୁର କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରହିଛି। ଏହା ମଧ୍ୟରେ ଯଦି ଦାବି ପୂରଣ କରା ନ ଯାଏ ତେବେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର