ପିଲାଙ୍କ ପାଖରେ ବହି ପହଞ୍ଚାଇବେ ଶିକ୍ଷକ/ଶିକ୍ଷୟିତ୍ରୀ

ଭୁବନେଶ୍ଵର: କରୋନା ସଂକ୍ରମଣକୁ ନଜରରେ ରଖି ଲକଡାଉନ ଅବଧି ବୃଦ୍ଧି କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପିଲାଙ୍କ ପାଖରେ କିଭଳି ବହି ପହଂଚିବ ସେଥିପାଇଁ ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି | ନୂଆ ନିଷ୍ପତ୍ତି ମୁତାବକ ପିଲାମାନେ ଯେଉଁ ସ୍କୁଲର ଛାତ୍ର ଛାତ୍ରୀ ହୋଇଥିବେ ସେହି ସ୍କୁଲର ଶିକ୍ଷକ ବା ଶିକ୍ଷୟିତ୍ରୀ ପିଲାଙ୍କ ପାଖରେ ବହି ପହଞ୍ଚାଇବେ | ପୁରୀ ଜିଲ୍ଲାରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ପର୍ଯ୍ୟାୟ କ୍ରମେ ଏହାକୁ କରାଯିବ |

ନିଷ୍ପତ୍ତି ମୁତାବକ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହି ବ୍ଲକ ସ୍ତରରେ ପହଞ୍ଚିସାରିଛି | ତେଣୁ ଏହି ସବୁ ବହିକୁ ଏପ୍ରିଲ ୨୫ ପୂର୍ବରୁ କିଭଳି ପହଂଚିପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି | ପୁରୀ ଜିଲ୍ଲାର ଡିପିସି ଓ ଡିଇଓ(ଜିଲ୍ଲା ଶିକ୍ଷା ଅଧିକାରୀ) ବହି କିଭଳି ଶିକ୍ଷକମାନଙ୍କ ମାଧ୍ୟମରେ ପହଂଚିପାରିବ ସେ ନେଇ ଦୃଷ୍ଟି ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି |

ସେହିପରି ଯେଉଁ ନବମ ଶ୍ରେଣୀ ପିଲାଙ୍କର ପରୀକ୍ଷା ସରିଥିଲେ ବି ଖାତା ଦେଖା ହୋଇନଥିବାରୁ କିଭଳି ଏହାକୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଘରକୁ ପଠାଯାଇ ଦେଖାଯିବ ତାହା ନେଇ ଏକ ପ୍ରସ୍ତାବ ମଧ୍ୟ ରହିଛି, ଯାହାର ନିଷ୍ପତ୍ତି ନିଆଯାଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି |

ସମ୍ବନ୍ଧିତ ଖବର