ଅଧ୍ୟାପକ ନିଯୁକ୍ତି ମାମଲା: ରାଜ୍ୟ ସରକାର, ଓପିଏସ୍‌ସି ଓ ୟୁଜିସି ନିକଟରୁ ଜବାବ ତଲବ

କଟକ : ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବିଭିନ୍ନ ବିଭାଗରେ ଅଧ୍ୟାପକ ନିଯୁକ୍ତି ସଂପର୍କିତ ପ୍ରକ୍ରିୟାକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ରାଜ୍ୟ ସରକାର, ଓପିଏସସି ଓ ୟୁଜିସିକୁ ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୂତତ୍ତ୍ବ ବିଜ୍ଞାନ, ରାଜନୀତି ବିଜ୍ଞାନ, ଭୂଗୋଳ, ଇଂରାଜୀ ବିଭାଗରେ ଶେଷ ଗୋଟିଏ ଲେଖାଏଁ ପଦବି ଏବଂ ଉଦ୍ଭିଦ ଓ ବାଣିଜ୍ୟ ବିଭାଗର ଶେଷ ତିନୋଟି ଲେଖାଏଁ ପଦବି ପୂରଣ ପ୍ରସଂଗର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଭିନ୍ନ ବିଭାଗରେ ଅଧ୍ୟାପକ ନିଯୁକ୍ତି ନେଇ ଓପିଏସ୍‌ସି ପକ୍ଷରୁ ୨୦୨୦, ଫେବ୍ରୁଆରି ୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଏହି ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ଓପିଏସ୍‌ସି ପକ୍ଷରୁ ୨୦୨୦, ଫେବ୍ରୁଆରି ୧୯ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି କେତେକ ଆଶାୟୀ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର