କଟକ : ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜାଲ ସାର୍ଟିଫିକେଟ ଦେଇ କେତେକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ସ୍ପଷ୍ଟ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଷ୍ଟାଣ୍ଡିଂ କାଉନସିଲ ନୀଳାମ୍ବର ଜେନାଙ୍କୁ ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୮କୁ ଧାର୍ଯ୍ୟ କରାଯାଇଥିବା ବେଳେ ଗଣଶିକ୍ଷା ବିଭାଗକୁ କାର୍ଯ୍ୟାନୁଷ୍ଠାନ ସଂପର୍କିତ ତଥ୍ୟ ଦାଖଲ ପାଇଁ କୁହାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ସାର୍ଟିଫିକେଟ ଦେଇ କେତେକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କେତେକ ଏପରି ଜାଲ ଶିକ୍ଷକ ଧରା ପଡିଛନ୍ତି। ଜାଲ ବିଏଡ୍ ଓ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ବଳରେ ଏପରି ନିଯୁକ୍ତି ହାସଲ କରିବାରେ କେତେକ ସଫଳ ହେଉଛନ୍ତି। ଏ ନେଇ ସରକାରୀ କର୍ତ୍ତୃପକ୍ଷ ଅବଗତ ହେବା ପରେ ମଧ୍ୟ ଏପରି ଜାଲ ଶିକ୍ଷକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ଜଣା ପଡିଥିଲା। ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ପୋଲସରା ବ୍ଲକ, ପୋଲସରା ଏନଏସି ଅଧିନରେ ୩୯ଜଣ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ତଥ୍ୟ ମିଳିବା ପରେ ଗଞ୍ଜାମ ଏସପିଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହାପରେ ଏହି ପ୍ରସଂଗରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଅଭିଯୋଗ କରି ସମରଜିତ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)