ଅଧାରେ ଅଟକିଲା ୧୧ ହଜାର ଶିକ୍ଷକ ନିଯୁକ୍ତି

ହାଇକୋର୍ଟରେ ମାମଲା, ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ବର : ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ୧୧ ହଜାର ୪୦୩ ଶିକ୍ଷକ ପଦବି ପୂରଣ ଲାଗି ଡିସେମ୍ବର ମାସରେ ଆରମ୍ଭ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଅଧାରେ ଅଟକିଛି। ଗତ ମେ’ ୧୯ରେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ବର୍ତମାନର ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ଖାଲିଥିବା ପଦବିରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ହାଇସ୍କୁଲରେ କାର୍ଯ୍ୟରତ ୧୦୯୭ଜଣ ସହକାରୀ ଶିକ୍ଷକଙ୍କୁ ବରିଷ୍ଠ ମାଧ୍ୟମିକ ଶିକ୍ଷା ସେବା ବର୍ଗ ଓ ନିମ୍ନ ମାଧ୍ୟମିକ ଶିକ୍ଷା ସେବା ବର୍ଗରେ କାର୍ଯ୍ୟରତ ୬୦ ଜଣ ଶିକ୍ଷକଙ୍କୁ କନିଷ୍ଠ ମାଧ୍ୟମିକ ଶିକ୍ଷା ସେବା ବର୍ଗର ସରକାରୀ ଶିକ୍ଷକ ପଦକୁ ପଦୋନ୍ନତି ଦିଆଯାଇଛି। ସମଗ୍ର ଶିକ୍ଷା ଯୋଜନାରେ ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକର ୩ ଲକ୍ଷ ୧୨ ହଜାର ୪୮୨ଟି କାର୍ଯ୍ୟ ପାଇଁ ୬୨୬୭ କୋଟି ୩୮ ଲକ୍ଷ ୫୭ ହଜାର ଟଙ୍କାର ବ୍ୟବସ୍ଥା ହୋଇଛି।

୨୦୨୨-୨୩ରେ ୧୨ ହଜାର ୪୭୬ଟି କାର୍ଯ୍ୟ ଲାଗି ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁର ହୋଇଛି। ଓଡ଼ିଶା ମାଇନିଂ ବିଅରିଂ ଏରିଆଜ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ(ଓମ୍‌ବାଡ) ଦ୍ବାରା ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୮ଟି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ ୯୨୫ କୋଟି ୧୫ ଲକ୍ଷ ଟଙ୍କାର ଅନୁମୋଦନ ଦିଆଯାଇଛି। ୧୮୭୬ଟି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତକରଣ, ପାଚେରି ନିର୍ମାଣ, ଆଇସିଟି ଲାବ୍‌ ଓ ସ୍ମାର୍ଟ କ୍ଲାସ, ଓ ସାଇନ୍ସ କିଟ୍‌ ଆଦିର ବ୍ୟବସ୍ଥା ପାଇଁ ୫୭୯ କୋଟିର ଅଟକଳ ହୋଇଛି। ୫୧୨ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଲାଗି ଓମ୍‌ବାଡ୍‌ ପକ୍ଷରୁ ୪୩୨ କୋଟି ଟଙ୍କା ଅନୁମୋଦନ ମିଳିଛି। ୨୯ଟି କେଜିବିଭି ହଷ୍ଟେଲରେ ୧୦ କେଭିର ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଲାଗି ୩ କୋଟି ୯୧ ଲକ୍ଷ ଟଙ୍କାର ଅନୁମୋଦନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାର ପାଲଲହଡ଼ା, ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ ସମେତ ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକର ମୋଟ ୧୧୪୬ ଉଚ୍ଚ ବିଦ୍ୟାଳୟକୁ ଓମ୍‌ବାଡ ପକ୍ଷରୁ ୬୮୭ କୋଟି ଟଙ୍କାର ଅନୁଦାନପ୍ରାପ୍ତ ହୋଇଛି।

୫-ଟି ସ୍କୁଲ ରୂପାନ୍ତରୀକରଣରେ ସମସ୍ତ ଉଚ୍ଚ ବିଦ୍ୟାଳୟ ସାମିଲ ହେବ। ଏବେ ସୁଦ୍ଧା ୪୫୩୬ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୩୦୫୧ଟି ସ୍କୁଲ ‘ମୋ ସ୍କୁଲ’ ଯୋଜନାରେ ମୋଟ ୧୪୨୮ କୋଟି ବ୍ୟୟ ବରାଦ କରାଯାଇଛି। ୧୭ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରି ସୁବିଧା ଲାଗି ସ୍କୁଲ ପିଛା ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ୩୩୫ଟି ଶିକ୍ଷକ ପଦବି ପୂରଣ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ତାଲିମ ବାବଦରେ ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ବିଜ୍ଞାନ ପରୀକ୍ଷାଗାରର ବିକାଶ ଲାଗି ବିଦ୍ୟାଳୟଗୁଡ଼ିକୁ ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ୧ କୋଟି ୪୮ ଲକ୍ଷ ୭୧ ହଜାର ଟଙ୍କା ଦିଆଯାଇଛି। ୬୯ଟି ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୫ ବର୍ଷରେ ୧୩ କୋଟି ୯୩ ଲକ୍ଷ, ପ୍ରଯୁକ୍ତିବିଦ୍ୟାର ପ୍ରସାର ତଥା ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା ଲାଗି ଦୁଇଟି ସରକରୀ ଓ ୭ଟି ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨ କୋଟି ୮୬ ଲକ୍ଷ ୫୯ ହଜାର ଟଙ୍କାର ଅନୁଦାନ ୨୦୧୮-୧୯ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର