ଭୁବନେଶ୍ୱର: ଶିକ୍ଷକ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଲାଗି ବିଶ୍ୱ ବିଦ୍ୟାଳୟ ମଂଜୁରୀ ଆୟୋଗ(ୟୁଜିସି)ଙ୍କ ସୁପାରିସ ଯୋଗୁଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତ ହୋଇପାରୁ ନ ଥିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ସଫେଇ ଦିଆଯାଇଛି।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟରେ ଖାଲି ଥିବା ପଦବୀ ପୂରଣ ପାଇଁ ଅନୁମତି ଦେଇଥିବା ସତ୍ତ୍ୱେ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ ଆୟୋଗର ସୁପାରିସ କ୍ରମେ ଶିକ୍ଷକ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସଂପୂର୍ଣ୍ଣ ଭାବେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଅସମର୍ଥ ହୋଇଥିଲେ। ଇତି ମଧ୍ୟରେ ଚୟନ ପ୍ରକ୍ରିୟା ଚାଲୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜୁନ୍ ୨୧ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି।
ତେବେ, ପ୍ରଫେସରମାନଙ୍କ ସଂଖ୍ୟା କମ୍ ଥିବାରୁ ଛାତ୍ରଛାତ୍ରୀମାନେ ଗାଇଡ୍ ନ ପାଇ ସମସ୍ୟାର ସମ୍ମୁଖୀନ ହେଉଥିବା ସତ୍ୟ ନୁହେଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବା ପାଇଁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସରମାନଙ୍କୁ ୭୦ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ବିଶ୍ୱବିଦ୍ୟାଳୟର ଏମ୍.ଫିଲ୍ ଓ ପି.ଏଚ୍.ଡି ଛାତ୍ରଛାତ୍ରୀମାନଙ୍କର ଗାଇଡ୍ ହିସାବରେ କାର୍ଯ୍ୟ ସଂପାଦନ କରିବା ନିମିତ୍ତ ରାଜ୍ୟ ସରକାର ଅନୁମତି ପ୍ରଦାନ କରଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି।
୨୦୧୪-୧୫ ଶିକ୍ଷା ବର୍ଷରୁ ୮ଟି ସରକାରୀ ବିଶ୍ୱ ବିଦ୍ୟାଳୟରେ ୨୫୩୦ ଜଣ ଛାତ୍ରଛାତ୍ରୀ ଗବେଷଣା ପାଇଁ ପଞ୍ଜୀକରଣ କରିଛନ୍ତି ବୋଲି ସେ ଜଣାଇଥିଲେ।
ବିଧାୟକ ଶ୍ରୀ ପଟ୍ଟନାୟକଙ୍କର ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ, ରାଜ୍ୟର ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଯଥାକ୍ରମେ ୮୪୯, ୧୨୬୭ ଏବଂ ୧୮୨୪ଟି ଅଧ୍ୟାପକ ପଦ ଖାଲି ପଡ଼ିଛି। କାମଚଳା ପାଇଁ ୯୭୦ ଜଣ ଅତିଥି ଅଧ୍ୟାପକଙ୍କୁ ମୁତୟନ କରାଯାଇଛି। ଅଧ୍ୟାପକ ପଦ ପୂରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପଦଗୁଡ଼ିକ ଚଳିତ ବର୍ଷ ଶେଷ ସୁଦ୍ଧା ପୂରଣ ହୋଇଯିବାର ଆଶା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।