ରସିକିଆ ଶିକ୍ଷକ: ଦୁଇ ସ୍ତ୍ରୀ ଥାଇ ବି ଆଶାଦିଦିଙ୍କୁ ଗର୍ଭବତୀ କରି ଜେଲ ଗଲେ

ଡାବୁଗାଁ: ଦୁଇଟି ସ୍ତ୍ରୀ ରଖିଥିବା ଜଣେ ରସିକିଆ ଶିକ୍ଷକ ପର ସ୍ତ୍ରୀ (ଆଶାଦିଦି)ଙ୍କ ଉପରେ ଖରାପ ନଜର ପକାଇବା ସହ ତାକୁ ଗର୍ଭବତୀ କରିବା ମହଙ୍ଗା ପଡ଼ିଛି। ପର ସ୍ତ୍ରୀ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ଶେଷରେ ଜେଲ ଯାଇଛନ୍ତି ରସିକିଆ ଶିକ୍ଷକ। ଶିକ୍ଷକଙ୍କ ଦୁଇଟି ସ୍ତ୍ରୀର ତିନୋଟି ସନ୍ତାନ ଥିବା ବେଳେ ପର ସ୍ତ୍ରୀ ଗର୍ଭରେ ୯ ମାସର ଶିଶୁ ବାହାର ଦୁନିଆକୁ ଆସିବାକୁ ଅପେକ୍ଷା କରିଛି। ରସିକିଆ ଶିକ୍ଷକ ଜଣକଙ୍କ ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚିତଗୁଡ଼ା ଗ୍ରାମର ଯଦୁମଣି ଭତରା ୩୮) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନା ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅର୍ଚିତଗୁଡ଼ା ଗ୍ରାମର ଶିକ୍ଷକ ଯଦୁମଣି ଭତରା ନିକଟ ସିଉନାଗୁଡ଼ାରେ ଶିକ୍ଷକତା କରନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ହଲଦିଗୁଡ଼ାର ହୋଇଥିବା ବେଳେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି। ପ୍ରଥମ ସ୍ତ୍ରୀର ମାନସିକ ସ୍ଥିତି ଖରାପ ପରେ ଶିକ୍ଷକ ଜଣକ ପୁଣି ପାପଡାହାଣ୍ଡିର ଜଣେ ଯୁବତୀକୁ ବିବାହ କରିଥିଲେ। ଦ୍ଵିତୀୟ ସ୍ତ୍ରୀ ଗର୍ଭରୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ନେଇଥିଲେ। ତେବେ ଏଥିରେ ମଧ୍ୟ ସନ୍ତୁଷ୍ଟ ନ ହୋଇ ରସିକିଆ ଶିକ୍ଷକ ଯଦୁମଣି ଭତରା ଜଣେ ଆଶା ଦିଦିଙ୍କ ଉପରେ ନଜର ପକାଇଥିଲେ।

ଆଶାଦିଦିଙ୍କ ସ୍ବାମୀ  ଏକ ବର୍ଷ ପୂର୍ବେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଏହି ସୁଯୋଗ ନେଇ ସେ ୨୦୨୧ ଡିସେମ୍ବର ୧୦ ତାରିଖ ରାତି ୧୧ଟାରେ ଶିକ୍ଷକ ଯଦୁମଣି ଭତରା ଆଶାଦିଦିଙ୍କୁ ପ୍ରେମ ନିବେଦନ କରିଥିଲେ। ଏଥି ସହିତ ସେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଶାରୀରିକ ସଂପର୍କ ପରେ କାହାକୁ ଏକଥା ପ୍ରଘଟ କଲେ ତୋତେ ଆଉ ତୋ ପରିବାରକୁ ମାରିବି ବୋଲି ଭୟ ଦେଖାଇଥିଲେ। ଭୟରେ ଆଶାଦିଦି କାହାକୁ କିଛି ନ କହି ଚୁପ୍ ରହିଥିଲେ।

ଏହା ପରେ ବାରମ୍ବାର ଶିକ୍ଷକ ଯଦୁମଣି ଚମ୍ପା ସହ ଶାରୀରିକ ସଂପର୍କ ରଖିଥିଲେ।  ଇତି ମଧ୍ୟରେ ଆଶା ଦିଦି ଗର୍ଭବତୀ ହେବା ଘଟଣା ସମସ୍ତେ ଜାଣିବାକୁ ପାଇଲେ। ଶେଷରେ ଏହାର ଆପୋଷ ବୁଝାମଣା ପାଇଁ ଅର୍ଚିତଗୁଡ଼ା ଗ୍ରାମରେ ବୈଠକ କରାଯାଇଥିଲା। କିନ୍ତୁ ରସିକିଆ ଶିକ୍ଷକ ଜଣକ ଉକ୍ତ ବୈଠକକୁ ଆସି ନ ଥିଲେ। ଶେଷରେ ବାଧ୍ୟ ହୋଇ ଆଶା ଦିଦି ଚଳିତ ମାସ ୧୮ ତାରିଖ ଦିନ ଶିକ୍ଷକ ଯଦୁମଣି ଭତରା ବିରୁଦ୍ଧରେ ଥାନାରେ ଅଭିଯୋଗ ଆଣିଥିଲେ। ଏତଲାକୁ ଭିତ୍ତିକରି ଡାବୁଗାଁ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ ନାୟକ କୌଣସି ସୂତ୍ରରୁ ରସିକିଆ ଶିକ୍ଷକ ଡାବୁଗାଁ ଥାନା ବଡ଼ ଓଲମା ପଞ୍ଚାୟତ ଅନ୍ତର୍ଗତ ଗଡେଗାଁରେ ରହିଥିବା ଜାଣିବା ପରେ ଘଟଣାସ୍ଥଳରେ ଚଢ଼ଉ କରି ତାଙ୍କୁ ଗିରଫ କରିଛନ୍ତି। ଆଜି ଡାକ୍ତରୀ ମାଇନା ପରେ ରସିକିଆ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ ଆଇ ବିଜୁରାମ ବାଘ ସୂଚନା ଦେଇଛନ୍ତି। ତେବେ ସମାଜକୁ ମାର୍ଗ ଦର୍ଶନ ଦେଉଥିବା ଜଣେ ଶିକ୍ଷକ ଏପରି କୁତ୍ସିତ କାର୍ଯ୍ୟ କରି ଶିକ୍ଷକ ସମାଜକୁ ଅପମାନିତ କରିବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର