ଚିକିଟି : ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକ ଧରପଗଡ଼ ଅଭିଯାନ ଜାରି ରହିଛି। ଜିଲ୍ଲା ଶିକ୍ଷା ବିଭାଗ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଯାଞ୍ଚ୍ ଯେତେ ଆଗକୁ ବଢୁଛି, ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଚିକିଟିପେଣ୍ଠ ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ନକଲି ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ସଂଗିନ୍ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଛି। ଏନେଇ ବ୍ରହ୍ମପୁରର ସୂଚନା ଅଧିକାର କର୍ମୀ ମାନସ ରଂଜନ ସାହୁ ଗତ ୪ ତାରିଖରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି।
ଅଭିଯୋଗ ଅନୁସାରେ, ଚିକିଟିପେଣ୍ଠ ନୋଡାଲ୍ ଉଚ୍ଚବିଦ୍ୟାଳୟରେ ବର୍ତ୍ତମାନ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ କେ.ଜ୍ୟୋତି ୨୦୧୩ ମସିହାରେ ଚାକିରି ପାଇଥିଲେ। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରାଙ୍କ ୮୨୬୯/ତା: ୨୫/୦୪/୨୦୧୩ରେ ସେ ପାତ୍ରପୁର ବ୍ଲକ୍ ଗୁଡ଼ିପଦରସ୍ଥିତ ଉନ୍ନୀତ ଉଚ୍ଚବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ସୀମାନ୍ତ ଆନ୍ଧ୍ରପ୍ରଦେଶର ସ୍ଥାୟୀ ବାସିନ୍ଦା ଜ୍ୟୋତି ଆନ୍ଧ୍ରର ଗୋନପାପୁଟ୍ଟୁଗା ସ୍ଥିତ ଜିଲ୍ଳା ପରିଷଦ ଉଚ୍ଚବିଦ୍ୟାଳୟରୁ ୨୦୦୬ରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ (ତେଲୁଗୁ ମାତୃଭାଷା) ପାସ୍ କରିଥିଲେ। ଏହାପରେ ସେ କଡ଼ପା ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ୨୦୧୨ରେ ଗଞ୍ଜାମ ଜିଲ୍ଲାରେ କ୍ରୀଡ଼ା ଶିକ୍ଷକ ପଦବି ଲାଗି ଆବେଦନ କରିଥିଲେ।

ଚାକିରିର ସର୍ତ୍ତାବଳୀ ଅନୁସାରେ, ଏହି ପଦବି ପାଇଁ ଜଣେ ପ୍ରାର୍ଥୀ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ମାତୃଭାଷା ସହ ପାସ୍ କରିଥିବା ବାଧ୍ୟତାମୂଳକ। କିନ୍ତୁ ଜ୍ୟୋତି ଓଡ଼ିଆ ମାତୃଭାଷାରେ ପାସ୍ କରି ନଥିବା ବେଳେ ଚାକିରି ହାତେଇବାକୁ ଓଡ଼ିଆରେ ପାସ୍ କରିଥିବା ନେଇ ଏକ ଓଡ଼ିଶା ବୋର୍ଡ଼ର ନକଲି ପ୍ରମାଣପତ୍ର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାଖଲ କରି ପାତ୍ରପୁର ବ୍ଲକ୍ ଗୁଡ଼ିପଦରରେ ୨୦୧୩ ମସିହାରେ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ।
ଖୋଳତାଡ଼ ବେଳେ କାଳେ କାରନାମା ଧରାପଡ଼ିଯିବ ବୋଲି ଭାବି ଜ୍ୟୋତି ପୁଣି ୨୦୧୬ ମସିହାରେ ଓଡ଼ିଆ ଭାଷା ପରୀକ୍ଷାରେ ପାସ୍ କରିଥିବା ନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଆଉ ଏକ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ। ଏହି ପ୍ରମାଣପତ୍ରକୁ ସେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଫାଇଲ୍ରେ ରଖି ପୂର୍ବରୁ ଦାଖଲ କରିଥିବା ନକଲି ଓଡ଼ିଆ ପାସ୍ ପ୍ରମାଣପତ୍ରକୁ ବାହାର କରିଦେଇଥିଲେ। ଫଳରେ ଏଥିରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ସହଯୋଗ କରିଥିବା ଅଭିଯୋଗ ହୋଇଛି।
୨୦୧୩ ମସିହାରେ ଚାକିରି ପାଇଥିବା ଶିକ୍ଷୟିତ୍ରୀ ୨୦୧୬ରେ ଓଡ଼ିଆ ମାତୃଭାଷା ପାସ୍ର ସାର୍ଟିଫିକେଟ୍ କିଭଳି ଦାଖଲ କଲେ ଓ ୯ ବର୍ଷ ଧରି ବିଭାଗ ଏହାକୁ କିଭଳି ଜାଣିପାରୁନାହିଁ ବୋଲି ବିରାଟ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି। ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ମାନସ ମେଲ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ସେ କହିଛନ୍ତି।