ତେଲକୋଇ : କରୋନା କଟକଣା ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାଙ୍କୁ ଅନ୍ଲାଇନ୍ରେ ପାଠ ପଢ଼ାଯାଉଛି। ଅନେକ ସ୍ଥାନରେ ମୋବାଇଲ୍ ନେଟ୍ୱର୍କ ପାଇଁ ପିଲାମାନେ ଉଚ୍ଚସ୍ଥାନକୁ ଯିବା, ଗଛରେ ଚଢ଼ିବା ଭଳି ଚିତ୍ର ଦେଖିବାକୁ ମିଳୁଛି। କେବଳ ଯେ ଛାତ୍ରଛାତ୍ରୀ ଅସୁବିଧା ଭୋଗୁଛନ୍ତି ତାହା ନୁହେଁ ; ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅନ୍ଲାଇନ୍ ତାଲିମ ନେବା ପାଇଁ ନାକେଦମ୍ ହେବାକୁ ପଡୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଉପାନ୍ତ ଅଞ୍ଚଳ କାଳିଆହତାରେ ମୋବାଇଲ ନେଟୱର୍କ ନଥିବାରୁ ଶିକ୍ଷକମାନେ ୪୦ କିମି ଦୂର ଖୁଣ୍ଟାପଡ଼ା ଆସି ଏକ ରାସ୍ତାକଡ଼ରେ ବସି ଅନ୍ଲାଇନ୍ ତାଲିମ ନେଉଥିବା ଦେଖିବାକୁ ମିଳିଛି।
ଅଗଷ୍ଟ ୧ ତାରିଖରୁ ଓସେପା ପକ୍ଷରୁ ରାଜ୍ୟର କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଉଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚକ୍ଲିଟ୍ ଆପ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। କାଳିଆହତା ଅଞ୍ଚଳରେ ମୋବାଇଲ ନେଟଓ୍ବାର୍କ ନଥିବାରୁ ୭ଜଣ ଶିକ୍ଷକ ୪୦କିମି ଦୂର ଖୁଣ୍ଟାପଡ଼ା ଆସିଥିଲେ। ପାଞ୍ଚଗୋଛିଆ ପାହାଡ଼ ନିକଟ ରାସ୍ତାକଡ଼ରେ ବସି ନିଜ ନିଜ ମୋବାଇଲରେ ଅନ୍ଲାଇନ୍ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଥିଲା। ସେହି ରାସ୍ତାଦେଇ ଆମ ପ୍ରତିନିଧି ଯାଉଥିବାବେଳେ ଘଟଣା ସମ୍ପର୍କରେ ବୁଝିବାରୁ ଓସେପା ପକ୍ଷରୁ ଦିଆଯାଉଥିବା ତାଲିମ ପାଇଁ ସେମାନେ ଏଠାକୁ ଆସିଥିବା କହିଥିଲେ। ନେଟୱର୍କ ନଥିବାରୁ ବହୁତ ଅସୁବିଧା ହେଉଛି। କାଳିଆହତା ଅଞ୍ଚଳରେ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଆଣିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଭାଦୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଜୁ ପଟ୍ଟନାୟକ, ପାଟକିଲିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମଣିଭଦ୍ର ନାୟକ, ପଧାନୀସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ଦଣ୍ଡପାଟ, ତିଗିରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମସିଂ ଜାମୁଦା କହିଛନ୍ତି। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶିକ୍ଷକମାନେ ସେଠାରେ ବସି ରହିଥିବା ଦେଖିବାକୁ ମିଳିଥିଲା।
ଅଞ୍ଚଳର ବିପର୍ଯ୍ୟସ୍ତ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଲକୋଇ ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ ୧୧ଟି ପଞ୍ଚାୟତରେ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ। ଏଥିରେ ଉନ୍ନତି ଆଣିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଜିଲ୍ଲା ପରିଷଦ ସଭ୍ୟା କମଳିନୀ ଦଣ୍ଡପାଟ କହିଛନ୍ତି। ସେହିପରି ନେଟୱର୍କ ନଥିବାରୁ ଜରୁରୀ ପରିସ୍ଥିତିରେ ଫୋନ୍ କରିବା ପାଇଁ ଗଛ ଚଢ଼ିବାକୁ ପଡ଼ୁଛି ବୋଲି କାଳିଆହତା ସରପଞ୍ଚ ବାଦିଲାଲ ପୂର୍ତ୍ତି କହିଛନ୍ତି। ଗ୍ରାମାଞ୍ଚଳର ୮୦ ଭାଗ ଲୋକ ଆଜି ବି ଟେଲିସେବାରୁ ବଞ୍ଚିତ ବୋଲି ସାଂସଦ ପ୍ରତିନିଧି ବଳରାମ ଦାସ କହିଛନ୍ତି। ଏ ସମ୍ପର୍କରେ ବିଇଓ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ, ନେଟୱର୍କ ଥିବା ସ୍କୁଲ୍ରେ ସେମାନଙ୍କୁ ପ୍ରଶିକ୍ଷଣ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।