ଜିଅନ୍ତା ଜଳିଗଲେ ଶିକ୍ଷୟିତ୍ରୀ

ଧର୍ମଶାଳା : ଧର୍ମଶାଳା ଥାନା ଶାନ୍ତିବଜାର କଲୋନିରେ ରହୁଥିବା ହାଇସ୍କୁଲ ଶିକ୍ଷୟିତ୍ରୀ ସରୋଜିନୀ ଦାସ (୪୫) ଆଜି ଭୋର୍‌ ସମୟରେ ଜିଅନ୍ତା ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ପୁଲିସ୍‌କୁ ସୂଚନା ଦିଆଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅର୍ଧଦଗ୍ଧ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଖବର ମୁତାବକ ଉତ୍ତରପ୍ରତାପ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ଚିତ୍ତରଂଜନ ମହାନ୍ତି କିଛି ବର୍ଷ ହେଲା ଶାନ୍ତିବଜାରରେ ଘର କରି ସପରିବାର ରହି ଆସୁଥିଲେ। ଶ୍ରୀ ମହାନ୍ତି ସାହାସପୁର କଲେଜ୍‌ରେ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ବେଳେ ସରୋଜିନୀ ଅଚ୍ୟୁତପୁରସ୍ଥିତ ଦାମୋଦର ନୋଡାଲ ବିଦ୍ୟାପୀଠରେ ସହକାରୀ ଶିକ୍ଷୟିତ୍ରୀ ଥିଲେ। ଏକମାତ୍ର ପୁଅ ସିଦ୍ଧାର୍ଥ ସ୍ୱୟଂଦୀପ୍ତ ମହାନ୍ତି ରନ୍ଧନ ଗ୍ୟାସ ବ୍ୟବସାୟ କରୁଥିବା ବେଳେ ବୋହୂ ବଡ଼ଚଣାର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଏହାସତ୍ୱେ ସରୋଜିନୀ କାହିଁକି ଆତ୍ମହତ୍ୟା କଲେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ୍‌ ଏକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି। ପରେ ମୃତ ଦେହକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସମ୍ବନ୍ଧିତ ଖବର