ପୁରୀ/ନିମାପଡ଼ା/ଚାରିଛକ : ଚିଟ୍ଫଣ୍ଡ୍ ନେଲା ଶିକ୍ଷକଙ୍କ ଜୀବନ। ଆର୍ଥିକ ବୋଝ, ମାତ୍ରାଧିକ ଋଣ ଓ ଜମାକାରୀଙ୍କ ଟଙ୍କା ଫେରାଇବାରେ ଅସମର୍ଥ ହେବାରୁ ଶିକ୍ଷକ ଆର୍ତ୍ତତ୍ରାଣ ସ୍ବାଇଁ (୫୩) ଶେଷରେ ନିଜ ଜୀବନ ହାରିଛନ୍ତି। ସବୁଦିନ ମାନସିକ ଚାପରେ ରହିବା ଅପେକ୍ଷା ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍ ଭିତରେ ଏକ ସିଲିଂ ଫ୍ୟାନ୍ରେ ଝୁଲି ପଡ଼ିଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ତେରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଯାଗେଶ୍ବରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଶ୍ରୀ ସ୍ବାଇଁ ସେହି ପଞ୍ଚାୟତର ଧୀରପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ପ୍ରତିଦିନ ଭଳି ସେ ଆଜି ସକାଳ ୮ଟା ବେଳେ ସ୍କୁଲ୍କୁ ଆସିଥିଲେ। ପରେ ସ୍କୁଲ୍ ଘର ଭିତରେ ଆତ୍ମହତ୍ୟା କରିଥିଲେ। ପୂର୍ବାହ୍ଣ ୯ଟା ବେଳେ ଛାତ୍ରଛାତ୍ରୀମାନେ ସ୍କୁଲ୍ରେ ପହଞ୍ଚିବା ପରେ ପଙ୍ଖାରେ ଶିକ୍ଷକଙ୍କ ଶବ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ। ଏ ନେଇ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ତେବେ ପରିବାର ଲୋକଙ୍କ କହିବା କଥା ଆର୍ତ୍ତତ୍ରାଣ ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଚାପଗ୍ରସ୍ତ ଥିଲେ।
ସୂଚନା ଅନୁସାରେ, ଗତ ୫ ବର୍ଷ ହେବ ସେ ନିୟମିତି ଶିକ୍ଷକ ହୋଇଥିଲେ। ପୂର୍ବରୁ କମ୍ ଦରମା ପାଉଥିବା ବେଳେ ସେ ଏକ ଚିଟ୍ଫଣ୍ଡ୍ ସଂସ୍ଥାର ଏଜେଣ୍ଟ୍ ଥିଲେ। କିଛି ଲୋକଙ୍କ ଠାରୁ ଟଙ୍କା ନେଇ ଚିଟ୍ଫଣ୍ଡ୍ ସଂସ୍ଥାରେ ଜମା କରିଥିଲେ। ମାତ୍ର ପରେ ଚିଟ୍ଫଣ୍ଡ୍ ଦୁର୍ନୀତି ହେବା ପରେ ଜମାକାରୀ ତାଙ୍କ ଟଙ୍କା ପାଇ ନଥିବାରୁ ଏଜେଣ୍ଟ୍କୁ ଧରିଥିଲେ। ଏପରିକି ଜମାକାରୀଙ୍କ କିଛି ଟଙ୍କା ଫେରାଇଥିଲେ ବି ଆଉ କିଛି ଟଙ୍କା ଫେରାଇ ପାରି ନଥିଲେ। ଟଙ୍କା ଫେରାଇବାକୁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ୁଥିଲା। ଶେଷରେ ଆର୍ଥିକ ବୋଝ ସହି ନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି।