ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ୩ ଜଣ ଛାତ୍ରୀଙ୍କୁ ନିଜ ବିଲରେ ତଳିରୁଆ କାମ କରାଉଥିଲେ। ଏ କଥା ପଦାକୁ ଆସିବା ପରେ ବିଇଓ ତାଙ୍କୁ ନିଲମ୍ବନ କରିଛନ୍ତି। ରାଇରଙ୍ଗପୁର ଉପଖଣ୍ଡ ଅଧୀନ ଜାମଦା ବ୍ଲକ୍‌ କାଣ୍ଡସରରେ ରହିଛି ଏହି ଆଶ୍ରମ ବିଦ୍ୟାଳୟ। ବିଦ୍ୟାଳୟର ଶିକ୍ଷୟିତ୍ରୀ ରାଇରଙ୍ଗପୁର ବ୍ଲକ୍‌ ଡାହାଣୀମାରି ଗ୍ରାମର ଦୁବଲତା ବେହେରା ଗତକାଲି ଛାତ୍ରାବାସର ୩ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ୫ କିମି ଦୂର ନିଜ ବିଲରେ ତଳିରୁଆ କାମ କରାଉଥିଲେ।

Advertisment

ଖବର ପାଇବା ପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏସ୍‌କେ ମୁନିରୁଦ୍ଦିନ, ଏବିଇଓ ପ୍ରତାପଚନ୍ଦ୍ର ନାଏକ ଓ ଅଭିରାମ ନାଏକ ଛାତ୍ରୀମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହ ଏକ ଅଟୋ ଯୋଗେ ଛାତ୍ରୀନିବାସକୁ ଫେରାଇ ଆଣିଥିଲେ। ଡବ୍ଲ୍ୟୁଇଓ ଶୁଭାଶିଷ ଦାସ ଏହାକୁ ନିନ୍ଦା କରିବା ସହ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଆଜି ବିଇଓ ସୁରେଶ ମୁଣ୍ଡା ସଂପୃକ୍ତ ଶିକ୍ଷୟିତ୍ରୀ ଦୁବଲତାଙ୍କୁ ୩ ମାସ ପାଇଁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି।