ବେଗୁନିଆ: ମହଙ୍ଗା ପଡ଼ିଲା ସରକାରୀ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ସାମ୍ବାଦିକ ନିଶା। ଏପାଖେ ସ୍କୁଲ ଶିକ୍ଷକ ହିସାବରେ ସରକାରୀ ତହବିଲ୍ରୁ ଦରମା ଉଠାଉଥିଲେ, ସେପାଖେ ସାମ୍ବାଦିକ ପରିଚୟ ନେଇ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା କାର୍ଡ ବି ନେଇଥିଲେ। ସାମ୍ବାଦିକ ଦର୍ଶାଇ ସରକାରୀ ଅଫିସରଙ୍କୁ ଧମକାଇବା ଏବଂ ଅଶ୍ଳୀଳ ଭାଷା ବ୍ୟବହାର କରିବା ନେଇ ବି ତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଥିଲା। ଚାରିଆଡ଼ୁ ଅଭିଯୋଗ କ୍ରମେ ବ୍ଲକ୍ ଶିକ୍ଷା ଅଧିକାରୀ ବେଗୁନିଆ ବ୍ଲକ୍ ଦଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିବେକାନନ୍ଦ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଚାକିରିରୁ ଗତକାଲି ନିଲମ୍ବିତ କରାଯାଇଛି। ତାଙ୍କୁ ଗଡ଼ମାଣତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପଠାଯାଇଛି। ନିଲମ୍ବନ ସମୟରେ ତାଙ୍କର ଦରମା ଅଧା କାଟି ଦିଆଯାଇଛି। ବେଗୁନିଆ ବ୍ଲକ୍ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଚିଠି ନମ୍ବର ୩୫୮ରେ ଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ମୁତାବକ, ଶିକ୍ଷକ ଶ୍ରୀ ମିଶ୍ରଙ୍କର ଏ ପ୍ରକାର ଡବଲ ବୃତ୍ତିଗତ ପ୍ରୀତି ଗତ କିଛି ଦିନ ହେଲା ଚାଲି ଆସିଥିଲା। ଏକ ଖବର ପ୍ରସାରଣକୁ ନେଇ ବେଗୁନିଆ ସବ୍ ରେଜିଷ୍ଟାର୍ଙ୍କ ସହିତ ଶ୍ରୀ ମିଶ୍ରଙ୍କର ବିବାଦ ହେବା ପରେ ଏ ଘଟଣା ପଦାକୁ ଆସିଥିଲା। ସବ୍ ରେଜିଷ୍ଟାର୍ ଶିକ୍ଷକ ଶ୍ରୀ ମିଶ୍ରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏମିତିକି, କଥା ଜିଲ୍ଲାପାଳଙ୍କ ଯାଏ ଯାଇଥିଲା। ସବ୍ ରେଜିଷ୍ଟାର ଏନେଇ ଲିଖିତ ଅଭିଯୋଗ କରିଥିଲେ। ସରକାରୀ କ୍ବାର୍ଟରର୍ସକୁ ଆସି ତାଙ୍କୁ ଲାଞ୍ଚ ମାଗିବା ଓ ଦୁର୍ବ୍ୟବହାର କରିଛନ୍ତି ବୋଲି ସେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଜଣେ ସରକାରୀ ଶିକ୍ଷକ କେମିତି ସାମ୍ବାଦିକତା କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା। ଘଟଣାକୁ ଗୁରୁତ୍ବର ସହିତ ଜିଲ୍ଲାପାଳ ଗ୍ରହଣ କରିବା ସହିତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଘଟଣା ବ୍ଲକ୍ ଶିକ୍ଷା ଅଧିକାରୀ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ। ନୋଟିସ୍ର ଉତ୍ତର ପାଇବା ପରେ ବ୍ଲକ୍ ଶିକ୍ଷା ଅଧିକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସ୍କୁଲ୍ କର୍ତ୍ତବ୍ୟରେ ଅଭ୍ୟାସଗତ ଅସମୟାନୁବର୍ତ୍ତିତା, ସରକାରୀ କାର୍ଯ୍ୟରେ ଅବହେଳା ଆଦି ବିଭିନ୍ନ କାରଣ ପାଇଁ ତାଙ୍କ ବିରୋଧରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/suspended.jpg)