ସ୍କୁଲ ଭିତରେ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ, ସ୍ୱାମୀ ଅଟକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ଥାନା ଦୁର୍ଗାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଭିତରକୁ ପଶି ଶିକ୍ଷୟିତ୍ରୀ ଥିବା ସ୍ତ୍ରୀଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଏହି ଘଟଣା‌ରେ ପୁଲିସ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୁର୍ଗାପାଲି ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବରେ କାମ କରୁଛନ୍ତି ସଂଜୁରାଣୀ ଦେବତା। ସଂଜୁରାଣୀ ବର୍ଷେ ତଳେ ଆଗଲପୁର ବ୍ଲକ୍‌ ବନ୍ଧବାହାଲ ଗାଁର ପ୍ରଦୀପ ପଣ୍ଡାଙ୍କୁ ବାହା ହୋଇଥିଲେ। ପ୍ରଦୀପ ପଣ୍ଡା ମଧ୍ୟ ଟିଟିଲାଗଡ଼ ନିକଟସ୍ଥ ସିଉଲଗାଁ ସ୍କୁଲରେ ସଂସ୍କୃତ ଶିକ୍ଷକ ଅଛନ୍ତି। ଭିନ୍ନ ଭିନ୍ନ ଜାଗାରେ ଚାକିରି କରୁଥିବାରୁ ସ୍ୱାମୀ, ସ୍ତ୍ରୀ ଅଲଗା ରହୁଥିଲେ। ବୁଧବାର ସ୍ୱାମୀ ପ୍ରଦୀପ ପଣ୍ଡା ଦୁର୍ଗାପାଲି ଗାଁକୁ ଆସିଥିଲେ। ସ୍ତ୍ରୀ ସ୍କୁଲରେ ଥିବା ବେଳେ ହଠାତ ସ୍କୁଲ ଭିତରକୁ ଧସେଇ ପଶି ଏକ ଛୁରି ସାହାଯ୍ୟରେ ସ୍ତ୍ରୀଙ୍କ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିଲେ। ସ୍କୁଲର ଅନ୍ୟ କର୍ମଚାରୀ ବାଧା ଦେଇ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରିଥିଲେ। ତାପରେ ଗାଁ ଲୋକେ ଶିକ୍ଷକ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ଏକ ଦଉଡ଼ି ସାହାଯ୍ୟରେ ଗଛରେ ବାନ୍ଧି ଦେଇଥିଲେ। ପରେ ପୁଇନ୍ତଳା ପୁଲିସ ଆସି ପ୍ରଦୀପ ପଣ୍ଡାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସେପଟେ ଗୁରୁତର ଶିକ୍ଷୟିତ୍ରୀଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଦୁଇଟି ଷ୍ଟିଚ୍‌ ପଡ଼ିଛି। ଗୁରୁତର ଶିକ୍ଷୟିତ୍ରୀ ସଂଜୁଙ୍କ କହିବା ଅନୁଯାୟୀ, ବର୍ଷେ ତଳେ ବାହା ହୋଇଥିଲେ। ବିବାହର ବର୍ଷଟିଏ ବିତିଯାଇଥିଲେ ମଧ୍ୟ ପୁଅ ଝିଅ ନହେବାରୁ ଶାଶୂ ଘର ଲୋକେ ନିର୍ଯାତନା ଦେଉଥିଲେ। ଏପରିକି ଯୌତୁକ ନିର୍ଯାତନା ଦେଇ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ସଂଜୁ ଅଭିଯୋଗ କରିଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ଆଗଲପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ସଂଜୁ। ଥାନାରେ ଅଭିଯୋଗ କରିବା ଜାଣିବା ପରେ ସଂଜୁଙ୍କୁ ଜୀବନରେ ମାରିଦେବା ପାଇଁ ସ୍ବାମୀ ଧମକ ଚମକ ଦେଉଥିଲେ। ଆଜି ଆସି ଏପରି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ ଜଣକ। ଏହା ସହିତ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ସ୍ୱାମୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଶିକ୍ଷୟିତ୍ରୀ ଭଡ଼ାରେ ରହୁଥିବା ଘର ମାଲିକ ମଧ୍ୟ ଶିକ୍ଷକଙ୍କ ନିର୍ଯାତନାର କାହାଣୀ କହିବା ସହିତ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ସେପଟେ ପୁଇନ୍ତଲା ଥାନାରେ ଅଟକ ଥିବାରୁ ଶିକ୍ଷକଙ୍କ ମତାମତ ମିଳିପାରିନାହିଁ। ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର