ଷ୍ଟେସନ୍‌ରେ ସ୍କ୍ରିନିଂ ବେଳେ ଶିକ୍ଷକ ଅଚେତ, କାମ ବେଳେ ମୃତ୍ୟୁ ହେଲେ ୫୦ ଲକ୍ଷ ଓ ଚାକିରି ଦାବି

ସମ୍ବଲପୁର : ସମ୍ବଲପୁର ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂରେ ନିୟୋଜିତ ଜଣେ ଶିକ୍ଷକ ସୁରେଶ ଚୌହାନ ମଙ୍ଗଳବାର ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କ ସହ ଡ୍ୟୁଟିରେ ଥିବା ଅନ୍ୟ ଶିକ୍ଷକ ସୁଦର୍ଶନ ଖମାରୀ ଏ ସଂପର୍କରେ ଖବର ଦେବା ପରେ ଧନକଉଡ଼ା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ଶ୍ରୀ ଚୌହାନଙ୍କୁ ଉଦ୍ଧାର କରିଥିଲେ। ଏ ସଂପର୍କରେ ଧନକଉଡ଼ା ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଜଣାଇବାରୁ ତାଙ୍କୁ ଘରକୁ ପଠାଇ ଦିଅ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ତେବେ ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଭାବେ ଏଭଳି ଡ୍ୟୁଟି ଦେବାକୁ ଧନକଉଡ଼ା ପ୍ରାଥମିକ ଶିକ୍ଷକ ସଂଘ ଦୃଢ଼ ନିନ୍ଦା କରିଛି।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ଡ୍ୟୁଟି ପଡ଼ିଥିବା ଶିକ୍ଷକ ମାନଙ୍କୁ ରେଳ ଷ୍ଟେସନ୍‌ ଓ ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରିବା ପାଇଁ ବାଧ୍ୟ କରୁଛନ୍ତି। ଶ୍ରୀ ଚୌହାନଙ୍କ ସ୍ବାସ୍ଥ୍ୟ ୩ ଦିନ ପୂର୍ବରୁ ଖରାପ ଥିଲେ ବି ସେ ଏ ସଂପର୍କରେ ଜଣାଇବାକୁ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ କେହି ଫୋନ୍‌ ନ ଉଠାଇବାରୁ ସେ ବାଧ୍ୟ ହୋଇ ଡ୍ୟୁଟି କରି ଗୁରୁତର ହୋଇଥ‌ିଲେ ବୋଲି ସଂଘ ଅଭିଯୋଗ କରିଛି। ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ ‌କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ମନା କରି ଦେଇଥିଲାବେଳେ ଜିଲ୍ଲା ପ୍ରଶାସନ କାହିଁକି ସେମାନଙ୍କୁ ଏହି କାମରେ ନିୟୋଜିତ କରୁଛି ବୋଲି ପ୍ରଶ୍ନ କରିଛି। ଯଦି କରୋନା କାମରେ ନିୟୋଜିତ ଥିଲା ବେଳେ କୌଣସି ଶିକ୍ଷକଙ୍କର ମୃତ୍ୟୁ ହେଲା ତାହେଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଜଣକୁ ଚାକିରି ଦେବାକୁ ପ୍ରଶାସନ ଘୋଷଣା କରୁ ବୋଲି ସଂଘ ଦାବି କରିଛି। ନଚେତ ଶିକ୍ଷକମାନେ ଏହି କାମକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର