ଏମିତି ଚାଲିଛି ଉଚ୍ଚଶିକ୍ଷା : ଖାଲିପଡ଼ୁଛି ପଦ, ପୂରଣ ହେଉନି

୧୧ ବିଶ୍ବବିଦ୍ୟାଳୟରେ ୭୦୦ରୁ ଅଧିକ ଶିକ୍ଷକ ନାହାନ୍ତି, ୬୫୦ କଲେଜରେ ବି ଶିକ୍ଷକ ଓ ଅଣଶିକ୍ଷକ ସଙ୍କଟ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟ ଓ ୬୫୦ ଡିଗ୍ରି କଲେଜରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ବିଗୁଡ଼ୁଛି। ଦୀର୍ଘ ଦିନ ହେଲା ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଥିଲେ ମଧ୍ୟ ପୂରଣ ହେଉନି। ଏବର୍ଷ ପୂରଣ କରାଯିବ। ଆସନ୍ତା ବର୍ଷ ସୁଦ୍ଧା ପୂରଣ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ କହୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଦବିଗୁଡ଼ିକ ପୂରଣ ହୋଇନି। ଏମିତି କି ଖୋ‌ଦ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଗତ ବିଧାନସଭା ଅଧିବେଶନ ସମୟରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ବିଶ୍ବବିଦ୍ୟାଳୟଗୁଡ଼ିକରେ ୭୦୦ରୁ ଅଧିକ ଓ କଲେଜଗୁଡ଼ିକରେ ୩ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି। ସେଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ ଏବେ ବି ପଦଗୁଡ଼ିକ ଯେମିତି ଖାଲି ପଡ଼ିଥିଲା ସେମିତି ରହିଛି। ବରଂ ପ୍ରତି ମାସରେ ୧୦ରୁ ୧୫ ଜଣ ଅଧ୍ୟାପକ ଅବସର ନେଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ଗତ ଅକ୍ଟୋବର ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ବିଭାଗ ଅଧୀନରେ ଥିବା ଅଧିକାଂଶ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ସରକାରୀ ଡିଗ୍ରି କଲେଜଗୁଡ଼ିକ ପାଇଁ ୨୩୦୬ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥିବା ବେଳେ ସେଥିରେ ଏବେ ୧୦୨୨ ଜଣ ଅଧ୍ୟାପକ ଓ ଅଧ୍ୟାପିକା ରହିଛନ୍ତି। ୫୨ଟି ସରକାରୀ ଡିଗ୍ରି କଲେଜରେ ୧୨୮୪ଟି ଶିକ୍ଷକ ପଦ ଖାଲିଥିବାରୁ ୧୨୩ ଜଣ ଆଡହକ୍‌ ଓ ଅତିଥି ଅଧ୍ୟାପକ ନିୟୋଜିତ ହୋଇଛନ୍ତି। ୧୬୧ଟି ନିୟମିତ ଅଧ୍ୟାପକ ପଦ ଚୟନ ଲାଗି ଲୋକସେବା ଆୟୋଗକୁ କୁହାଯାଇଛି। ୫୨ ସରକାରୀ କଲେଜ ଲାଗି ୨୨୯୯ ଅଣଶିକ୍ଷକ ପଦ ମଞ୍ଜୁରୀ ହୋଇଥିବା ବେଳେ ସେଥିରେ ମାତ୍ର ୧୧୩୪ ଜଣ କାର୍ଯ୍ୟରତ ରହିଛନ୍ତି। ସେହିପରି ଅନୁଦାନପ୍ରାପ୍ତ ୫୯୮ଟି ବେସରକାରୀ ଡିଗ୍ରି କଲେଜରେ କେଉଁଠି ବି ନିୟମିତ ଅଧ୍ୟାପକ ନାହାନ୍ତି। ଏହି କଲେଜଗୁଡ଼ିକରେ ୬୨୬୪ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥିବା ବେଳେ ୧୬୬୬ଟି ଖାଲି ରହିଛି। ୩୬୯୮ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ମଧ୍ୟରୁ ୧୦୯୮ଟି ଖାଲି ପଡ଼ିଛି।

ଅନ୍ୟପକ୍ଷରେ ଏପ୍ରିଲ ମାସରେ ବିଧାନସଭାରେ ମନ୍ତ୍ରୀ ଶ୍ରୀ ଦାସ ଦେଇଥିବା ତଥ୍ୟ ଅନୁଯାୟୀ ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ୱବିଦ୍ୟାଳୟରେ ୭୦୦ରୁ ଅଧିକ ଶିକ୍ଷକ ଓ ୧୨୦୦ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସବୁଠାରୁ ଅଧିକ ୧୭୦ଟି ଶିକ୍ଷକ ପଦବି ଖାଲି ଥିବା ବେଳେ ଉତ୍କଳରେ ୯୯, ବ୍ରହ୍ମପୁରରେ ୬୭, ସମ୍ବଲପୁରରେ ୪୬, ଉତ୍ତର ଓଡ଼ିଶାରେ ୧୨, ଫକୀର ମୋହନରେ ୧୦ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୨ଟି ଶିକ୍ଷକ ପଦବି ଖାଲି ପଡ଼ିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୨୧ଟି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୬୭ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ୪୨ଟି ନୂତନ ଶିକ୍ଷକ ପଦବି ସୃଷ୍ଟି କରାଯାଇଛି। ରମାଦେବୀ ସ୍ୱୟଂଶାସିତ ଓ ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ପଦବି ଉଚ୍ଛେଦ ସହିତ ଯଥାକ୍ରମେ ୭୧ ଓ ୧୧୬ଟି ଶିକ୍ଷକ ପଦବି ସୃଷ୍ଟି କରାଯାଇଛି। ଏହି ଦୁଇ ବିଶ୍ୱବିଦ୍ୟାଳୟ ଲାଗି ୨୨୧ ଟି ଅଣଶିକ୍ଷକ ପଦ ସୃଷ୍ଟି ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଉତ୍ତରରେ କହିଥିଲେ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୫୪୩ଟି ଅଣଶିକ୍ଷକ ପଦବି ଖାଲି ଥିବା ବେଳେ ସମ୍ବଲପୁରରେ ୩୧୬, ବ୍ରହ୍ମପୁରରେ ୧୯୧, ରେଭେନ୍ସାରେ ୪୪, ଉତ୍ତର ଓଡ଼ିଶାରେ ୪୭, ଫକୀର ମୋହନରେ ୧୯ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୬ଟି ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ୨୦୧୫ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଲାଗି ଏଯାବତ୍‌ କୌଣସି ଶିକ୍ଷକ ଓ ଅଣଶିକ୍ଷକ ପଦବି ସୃଷ୍ଟି କରାଯାଇ ନଥିବା ମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ ସୂଚନା‌ ଦେଇଥିଲେ। ଏହାପରେ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ୟୁଜିସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେଣୁ ପଦଗୁଡ଼ିକ ଯେମିତି ଖାଲି ଥିଲା ସେମିତି ରହିଛି।

ଗଣମାଧ୍ୟମ‌କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ ଆଜି ପୁଣିଥରେ ପୁରୁଣା କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ ଡିଗ୍ରି କଲେଜରେ ଏପର୍ଯ୍ୟନ୍ତ ୪୦୭ଟି ପଦରେ ନିଯୁକ୍ତି ଦିଆଯାଇଛି। ୪୨୬ ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ମଧ୍ୟମରେ ୧୬୨୫ ଜଣ ଅଧ୍ୟାପକ ନିଯୁକ୍ତି ଦିଆଯାଇଛି। ୮୩୩ ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟରେ ଖାଲିଥିବା ୩୧୭ଟି ସହଯୋଗୀ ଓ ସହକାରୀ ପ୍ରଫେସର ପଦ ପୂରଣ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଛି। କିନ୍ତୁ ପୂରଣ ହୋଇ ନଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର