ନଗଡ଼ା ରାସ୍ତା ନିର୍ମାଣ ପାଇଁ ଗୁପ୍ତ ଟେଣ୍ଡର୍‌: ଠିକାଦାର ସାଜିଥିଲେ ଶିକ୍ଷକ!

କାଳିଆପାଣି : ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଗଡ଼ା ସଡ଼କ ରକ୍ଷଣାବେକ୍ଷଣ ଓ ମରାମତି ନାଁରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଖୋଦ୍‌ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କର ହୃଦୟଙ୍ଗମ ହୋଇଛି। ତେବେ, ଏହି ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ନଗଡ଼ା ସଡ଼କ ମରାମତି ନାଁରେ ହୋଇଥିବା ୧୦ଟି ଗୁପ୍ତ ଟେଣ୍ଡରରେ ୪୪ ଲକ୍ଷରୁ ଅଧିକ ଟଙ୍କାର କାମରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଠିକାଦାର ଥିଲେ ବୋଲି ଜଣାପଡ଼ିଛି।

ହସ୍ତଗତ ତଥ୍ୟ ଅନୁସାରେ, ଦାନଗଦୀ ବ୍ଲକ କିଆଝର ପଞ୍ଚ‌ାୟତ ଅନ୍ତର୍ଗତ ଟୁଙ୍ଗେଇଶୁଣି ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ସୁନିଲ କୁମାର ବେହେରା ଠିକାଦାର ଭାବେ ନଗଡ଼ା ସଡ଼କ ମରାମତି କାମ କରୁଥିବା ସ୍ପଷ୍ଟ ହୋଇଛି। ଗତ ୨୦୨୦ ମସିହା ଅଗଷ୍ଟ ମାସ ୨୫ ତାରିଖରେ ଦୁଇମାସିଆ କାର୍ଯ୍ୟ ଅବଧି ପାଇଁ ଚୁକ୍ତିବଦ୍ଧ ହୋଇଥିବା ସଂପୃକ୍ତ ୨ ଠିକାଦାର ହେଲେ ଦାନଗଦୀ ବ୍ଲକ ଅନ୍ତର୍ଗତ ବାଙ୍ଗରକୋଟା ଗାଁର ସ୍ମୃତି‌ରେଖା ବେହେରା ଓ ଗୋବର୍ଦ୍ଧନପୁର ଗାଁର ପ୍ରଣୟ ସେଠୀ। କିନ୍ତୁ ବାସ୍ତବ କ୍ଷେତ୍ରରେ ସ୍ମୃତିରେଖାଙ୍କ ସ୍ବାମୀ ଶିକ୍ଷକ ଶ୍ରୀ ବେହେରା ନଗଡ଼ା କ୍ଷେତ୍ର ଉପରେ ରହି ଠିକାଦାରି କରି ଆସୁଥିଲେ। ସେହିପରି ଏକ ଘରୋଇ କମ୍ପାନିରେ ନିରାପତ୍ତାରକ୍ଷୀ ଭାବେ କାର୍ଯ୍ୟରତ ଥିବା ପ୍ରଣୟ ସେଠୀଙ୍କ ନାଁରେ ଅନ୍ୟ ଏକ ଠିକାଦାରି ଲାଇସେନ୍ସ ପ୍ରସ୍ତୁତ କରାଇ ତାଙ୍କୁ ପ୍ରଚ୍ଛଦ ପଟରେ ରଖି ଶିକ୍ଷକ ଶ୍ରୀ ବେହେରା ନଗଡ଼ା ରାସ୍ତାକାମ କରୁଥିଲେ। ଖାସ୍ ଠିକାଦାରି ଭଳି ଲାଭଜନକ ବ୍ୟବସାୟ ପାଇଁ ଶିକ୍ଷକ ଶ୍ରୀ ବେହେରା କ୍ରୋମ୍‌ ଉପତ୍ୟକା ଉପକଣ୍ଠରେ ଥିବା ବଣ ପାହାଡ଼ ଘେରା ଟୁଙ୍ଗେଇଶୁଣି ପ୍ରାଥମିକ ସ୍କୁଲକୁ କର୍ମକ୍ଷେତ୍ର ଭାବେ ଚୟନ କରିଥିଲେ।

ଏ ସଂପର୍କରେ ଶିକ୍ଷକ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଏହି କାମକୁ ସେ ବୁଝାବୁଝି କରୁଥିଲେ ବୋଲି ସ୍ବୀକାର କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଚୁକ୍ତିବଦ୍ଧ ଠିକାଦାର ଦ୍ବୟ ଦିନେ ବି କାର୍ଯ୍ୟସ୍ଥଳକୁ ଆସି ନଥିବା ଜଣାପଡ଼ିଛି। ସଂପୃକ୍ତ ୨ ଠିକାଦାର ସ୍ମୃତିରେଖା ବେହେରା ଓ ପ୍ରଣୟ ସେଠୀଙ୍କୁ କାଳିଆପାଣି ପୁଲିସ ପକ୍ଷରୁ ୨ ଦିନ ତଳେ ନୋଟିସ୍ ଜାରି ହୋଇଥିବା କୁହାଯାଉଛି। ଏ ସଂପର୍କରେ ଥାନା ଅଧିକାରୀ ଶ୍ରୀ ଦାସଙ୍କୁ ଯୋଗାଯୋଗ କରିବାରେ ୩ ଅଭିଯୁକ୍ତ ଯନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ନୋଟିସ ଜାରି ହୋଇଥିବା କହିଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହି ଅଧିକ କିଛି କହିବାକୁ ସେ ମନା କରିଦେଇଥିଲେ। ଅନ୍ୟପକ୍ଷରେ ବାରମ୍ବାର ଉଦ୍ୟମ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଯନ୍ତ୍ରୀମାନଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶ, ଯାଜପୁର-୧ ବିଭାଜନ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିଜୟ କୁମାର ମହାରଣା, ଡୁବୁରି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମୁଦୁଲି ଭେଙ୍କଟରମଣ ଓ ଟମକା ସେକ୍ସନର କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର