କରୋନା ମୁହଁକୁ ଯିବେ ଶିକ୍ଷକ

ସେପ୍ଟେମ୍ବରରେ ସ୍କୁଲ ଖୋଲିବା ନେଇ ଆଶଙ୍କା, ‘ଶିକ୍ଷା ସମ୍ପର୍କ ଯୋଜନା’ ଆରମ୍ଭ ନ ହେଉଣୁ ବିବାଦ

ଭୁବନେଶ୍ୱର : କରୋନା ସଂକ୍ରମଣ ସମୟରେ ସ୍କୁଲ ବନ୍ଦ ରହିଛି। ପିଲାଙ୍କର ପାଖାପାଖି ୫ ମାସର କ୍ଲାସରୁମ ପାଠପଢ଼ା ପ୍ରଭାବିତ ହେଲାଣି। ସ୍ଥିତିରେ ସୁଧାର ଆସୁ ନ ଥିବାରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏବେ ସେପ୍ଟେମ୍ବରରେ ବି ସ୍କୁଲ ଖୋଲିବା ନେଇ ଆଶଙ୍କା ଦେଖାଦେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାରମ୍ବାର ବୈଠକ କରି ସ୍ଥିତିର ସମୀକ୍ଷା କରୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରୁନାହିଁ। ଓଡ଼ିଶାର ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଥିବାରୁ ସେପ୍ଟେମ୍ବରରେ ସ୍କୁଲ ଖୋଲିବ କି ନାହିଁ ତାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଚିନ୍ତାରେ ଅଛନ୍ତି। ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କରୋନା ପାଇଁ ଏବେ ସ୍କୁଲ ଖୋଲିବା ସମ୍ଭବପର ନୁହେଁ। ଅଗଷ୍ଟ ୩୧ ଯାଏ ସ୍କୁଲ ବନ୍ଦ ହୋଇଛି। ସେପ୍ଟେମ୍ବର ମାସର ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ଛୁଟି ସମୟରେ ପିଲାଙ୍କ ଅନ୍‌ଲାଇନ ଶିକ୍ଷାଦାନ ଚାଲିଛି। ହ୍ଵାଟ୍‌ସଆପ ମାଧ୍ୟମରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମରେ ପିଲାଙ୍କୁ ଯୋଡ଼ିବାକୁ ପ୍ରୟାସ ହୋଇଛି। ମଧୁ ଆପ୍‌ରେ ମଧ୍ୟ ପିଲାଙ୍କ ପାଇଁ ପାଠ୍ୟକ୍ରମ ଉପଲବ୍ଧ ହୋଇଛି। ତା’ପରେ ବି ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧା ପିଲାଙ୍କୁ ବି ଯୋଡ଼ାଯାଇ ପାରିନାହିଁ। ଏବେ ସୁଦ୍ଧା ମାତ୍ର ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ହ୍ଵାଟ୍‌ସଆପରେ ଯୋଡ଼ାଯାଇଛି। ବହୁ କମ୍‌ ସଂଖ୍ୟାରେ ଛାତ୍ରଛାତ୍ରୀ ମଧୁ ଆପ୍‌ ଡାଉନଲୋଡ କରି ପଢ଼ୁଛନ୍ତି। କେଉଁଠି ଇଣ୍ଟରନେଟ ସୁବିଧା ନାହିଁ ତ ଆଉ କେଉଁଠି ପିଲାମାନେ ଅନ୍‌ଲାଇନ ପାଠପଢ଼ା ଲାଗି ପାହାଡ଼ ଚଢ଼ୁଛନ୍ତି। ଅନ୍‌ଲାଇନରେ ପଢ଼ିବା ପାଇଁ ୬୦% ଅଭିଭାବକଙ୍କର ଆଣ୍ଡ୍ରଏଡ ଫୋନ ସୁବିଧା ନାହିଁ। ଏଭଳି ସମୟରେ ରାଜ୍ୟ ସରକାର ଏବେ ଆଉ ଏକ ବିକଳ୍ପ ବ୍ୟବସ୍ଥା ‘ଶିକ୍ଷା ସମ୍ପର୍କ ଯୋଜନା’ ଅପଣାଇବାକୁ ଯାଉଛନ୍ତି। ଯାହା ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ ଗାଁ ବୁଲି ପଢ଼ାଇବେ। ସ୍କୁଲ ବଦଳରେ କୋଠ ଘର, ଗାଁ ପାଠାଗାର, ଭାଗବତ ଟୁଙ୍ଗିରେ ପିଲାଙ୍କୁ ପଢ଼ାଯିବ। ଆସନ୍ତା ୧୦ ଦିନ ମଧ୍ୟରେ ଏନେଇ ଚୂଡ଼ାନ୍ତ ବ୍ଲୁ ପ୍ରିଣ୍ଟ ହେବ। ତେବେ ବିଭାଗର ଏଭଳି ଯୋଜନାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗୋଟେ ପଟେ ଅନ୍‌ଲାଇନ ଶିକ୍ଷା ଫେଲ ମାରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ ଗାଁ ବୁଲି କେମିତି ପଢ଼ାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି। କୋଭିଡ୍‌-୧୯ ସଂକ୍ରମଣ ବଢ଼ିବା ଦିନରୁ ଶିକ୍ଷକ ଶିକ୍ଷୟିତ୍ରୀ ଫିଲ୍‌ଡ଼ରେ କାମ କରୁଛନ୍ତି। କରୋନାକୁ ଖାତିର ନ କରି ପିଲାଙ୍କୁ ମାଗଣା ବହି, ମଧ୍ୟାହ୍ନଭୋଜନ ସାମଗ୍ରୀ ବଣ୍ଟନ କରୁଛନ୍ତି। କ୍ୱାରାଣ୍ଟିନ କେନ୍ଦ୍ର ଦାୟିତ୍ୱରେ ବି ରହୁଛନ୍ତି। ତା’ପରେ ବି ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନାହିଁ।

ଓଷ୍ଟା ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେଉଁ କାମ ଦିଆଗଲେ କରିବାକୁ ରାଜି ଅଛନ୍ତି। ତେବେ ଗାଁକୁ ଗାଁ ବୁଲି ପିଲାଙ୍କୁ ପଢ଼ାଇବା କେତେ ଦୂର ଯୁକ୍ତିସଙ୍ଗତ ତାହା ଉପରେ ଆଲୋଚନା ହେବା ଦରକାର। ଜଣେ ଶିକ୍ଷକ କେତେ ଗାଁ ବୁଲିବ? ୨୦ ପିଲାଙ୍କୁ ଗୋଟିଏ ସ୍ଥାନରେ ବସାଇ ପଢ଼ାଇ ହେବ ତ? ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କୁ କେମିତି ବସାଇ ପଢ଼ାଇବେ? ଏହାଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରୋନା ମୁହଁକୁ ଠେଲିବା ସହ ସମାନ। ପିଲାଙ୍କ ପାଇଁ ବି ବିପଦ ରହିଛି। କରୋନା ସହ ଲଢେ଼ଇ କରି ଏପର୍ଯ୍ୟନ୍ତ ୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଲାଣି। କୌଣସି ପ୍ରକାର ସହାୟତା ମିଳିଲା ନାହିଁ କି କରୋନା ଯୋଦ୍ଧା ଭାବେ ଘୋଷଣା କରାଗଲା ନାହିଁ। ତଥାପି ଶିକ୍ଷକମାନେ ଜୀବନକୁ ବାଜି ଲଗାଇ କାମ କରିଚାଲିଛନ୍ତି। ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ କରି ସ୍କୁଲରେ ପାଳି କରି ପିଲାଙ୍କୁ ପଢ଼ାଇବା ଲାଗି ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର