ଦୁର୍ନୀତିର ମାୟାଜାଲରେ ଶିକ୍ଷକ, ଶିକ୍ଷାଧିକାରୀ

ଏବର୍ଷ ଧରାହେଲେଣି ୫ ଶିକ୍ଷା ଅଧିକାରୀ, ଭିଜିଲାନ୍ସ ପଞ୍ଝାରେ ପଡ଼ୁଛନ୍ତି କୋଟିପତି ଶିକ୍ଷକ

ଭୁବନେଶ୍ବର, (କେଶବ ପାଣି) : ବୃତ୍ତିରେ ଶିକ୍ଷକ। ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଦେବେ। ଭବିଷ୍ୟତର ବାଟ ଦେଖାଇବେ। ଦ୍ରୋଣାଚାର୍ଯ୍ୟ ହୋଇ ପିଲାଙ୍କ ସ୍ବପ୍ନ ସାକାର କରିବାର ମାର୍ଗଦର୍ଶକ ସାଜିବେ। ଏଭଳି କେତେ କ’ଣ ଆଶା ନେଇ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡ଼ୁଛନ୍ତି। ଶିକ୍ଷକଙ୍କ ଉପରେ ଅଗାଢ଼ ବିଶ୍ବାସ ଜନ୍ମାଉଛନ୍ତି। ମାତ୍ର ସେହି ଶିକ୍ଷକ କିମ୍ବା ଶିକ୍ଷା ଅଧିକାରୀ ଯଦି ଦୁର୍ନୀତିରେ ଲିପ୍ତ ରୁହନ୍ତି ତେବେ ପିଲାମାନେ କି ଶିକ୍ଷା ପାଇବେ? ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଦେଖୁଥିବା ପିତାମାତାଙ୍କ ଅବସ୍ଥା କ’ଣ ହେବ? କ୍ଲାସରୁମ୍‌ରେ ନୈତିକ ଶିକ୍ଷା କଥା କହୁଥିବା ଶିକ୍ଷକମାନେ ପିଲାଙ୍କ ସ୍ବପ୍ନ ସାକାର କରିବାରେ କିଭଳି ସହାୟକ ହେବେ? ୬ ମାସ ମଧ୍ୟରେ ଶିକ୍ଷକ ଓ ଶିକ୍ଷା ‌ଅଧିକାରୀମାନେ ଯେଉଁଭଳି ଭାବେ ଭିଜିଲାନ୍ସ ପଞ୍ଝାରେ ପଡ଼ୁଛନ୍ତି, ତାହାକୁ ଦେଖି ଏମିତି ପ୍ରଶ୍ନ ସାଧାରଣରେ ସ୍ବତଃପ୍ରବୃତ୍ତ ଭାବେ ଆସୁଛି। ଆମ ଶିକ୍ଷା ବ୍ୟବସ୍ଥାର ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଲାଣି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।

କେଉଁଠି ଶିକ୍ଷକ ଧରାପଡ଼ୁଛନ୍ତି ତ ଆଉ କେଉଁଠି ବ୍ଲକ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡ଼ିବସୁଛି। ଆଉ କେଉଁଠି ଏରିଅର ଟଙ୍କା ରିଲିଜ୍‌ ଲାଗି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣି ନିଜ ପକେଟ ଗରମ କରୁଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ବି ଏଥରୁ ବାଦ୍‌ ପଡ଼ୁନି। ଲାଗୁଛି ସତେ ଯେମିତି ବିନା ଲାଞ୍ଚରେ ଗୋଟିଏ ଅଫିସରୁ ଅନ୍ୟ ଅଫିସ୍‌କୁ ଫାଇଲ୍‌ ଘୁଞ୍ଚୁନି। ମଧ୍ୟାହ୍ନଭୋଜନ ସମେତ ବିଭିନ୍ନ ଯୋଜନାରେ ସ୍କୁଲକୁ ଆସୁଥିବା ଟଙ୍କା ବାଟମାରଣ ହେଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ସେଥିମଧ୍ୟରୁ କିଛି ସତ ଧରାପଡ଼ୁଛି ତ ଆଉ କିଛି ‌ଲୁଚିଯାଉଛି।

ବିଶେଷକରି ଗତ ଦୁଇ ବର୍ଷ ହେଲା ଯେଉଁଭଳି ଭାବେ ଶିକ୍ଷା ଅଧିକାରୀଙ୍କ କାରନାମା ସାମ୍ନାକୁ ଆସୁଛି ତା‌ହା ସମସ୍ତଙ୍କୁ ଚକିତ କରିଛି। ଗୋଟିଏ ପଟେ ନକଲି ଶିକ୍ଷକଙ୍କ ପ୍ରାଦୃର୍ଭାବ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଥିବା ବେଳେ ଅନ୍ୟପଟେ କିଛି ଶିକ୍ଷା ଅଧିକାରୀଙ୍କ ଯୋଗୁଁ ବଦନାମ ମୁଣ୍ଡାଉଛି ଗଣଶିକ୍ଷା ବିଭାଗ। ବିଶେଷକରି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା କିଛି ବର୍ଷର ତଥ୍ୟକୁ ଦେଖିଲେ ଜଣାପଡ଼ୁଛି। ୨୦୨୧ରେ ଓ ୨୦୨୨ରେ ଏପର୍ଯ୍ୟନ୍ତ ଭିଜିଲାନ୍ସ ପଞ୍ଝାରେ ୧୫ରୁ ଅଧିକ ଶିକ୍ଷକ, ଶିକ୍ଷା ଅଧିକାରୀ ଓ କିରାଣି ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଅନେକ ଶିକ୍ଷକ ଛନ୍ଦି ହୋଇଯାଇଛନ୍ତି। ମେ’ ମାସରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଚଢ଼ାଉ କରିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ପଛ ପଟ ରାସ୍ତା ଦେଇ ଛୁ ମାରିବା ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀଙ୍କୁ ପଦାରେ ପକାଇଛି।

Ommcom News

ଗତ ସପ୍ତାହରେ ଦୁଇଟି ପ୍ରମୁଖ ଘଟଣା ଶିକ୍ଷା ଅଧିକାରୀ ଟଙ୍କା ପାଇଁ କେତେ ବ୍ୟାକୁଳ ହୋଇପଡ଼ିଛନ୍ତି ତାହା ସାମ୍ନାକୁ ଆଣିଛି। ଦରମା ରିଲିଜ୍ ପାଇଁ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ଧରାପଡ଼ିଥିଲେ। ସେହି ଦିନ ବକେୟା ଦରମା ଫେରସ୍ତ ପାଇବାକୁ ପ୍ରଧାନ ଶିକ୍ଷକଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲ୍ଲା ଝାରବନ୍ଧ ବିଇଓଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା। ମେ’ ମାସରେ କାମାକ୍ଷାନଗର ବିଇଓଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ। ଏପ୍ରିଲରେ ଭୁବନ ବିଇଓଙ୍କ କାର୍ଯ୍ୟାଳୟର ଜଣେ କିରାଣି ଅନୁରୂପ ଭାବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ମାର୍ଚ୍ଚରେ ରାୟଗଡ଼ା ଜିଲ୍ଲା ଗୁଣପୁର ବିଇଓ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ଫେବ୍ରୁଆରିରେ ଗଜପତି ଜିଲ୍ଲାରେ ଜଣେ ଶିକ୍ଷକଙ୍କ ଦରମା ଏରିୟର୍‌ ବିଲ୍‌ କରାଇବା ପାଇଁ‌ ବିଇଓ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ଜାନୁଆରିରେ ରାୟଗଡ଼ା ଜିଲ୍ଲାରେ ଜଣେ କୋଟିପତି ଶିକ୍ଷକ ଧରାପଡ଼ିଥିଲେ।

୨୦୨୧ରେ ବି କିଛି ବଡ଼ ଘଟଣା ସାମ୍ନାକୁ ଆସିଥିଲା। ଲାଞ୍ଚ ନେବା ବେଳେ ଆନନ୍ଦପୁର ଏବିଇଓ, ଗଞ୍ଜାମ ଜିଲ୍ଲା ଧରାକୋଟ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣିଙ୍କୁ ଭିଜିଲାନ୍ସ ଅଧିକାରୀମାନେ କାବୁ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବିଇଓ ଓ କିରାଣୀ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ଜଣେ ସିଆର୍‌ସିସିଙ୍କୁ ଭିଜିଲାନ୍ସ ଧରିଥିଲା। ମାର୍ଚ୍ଚରେ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ବାଘମାରି ନିବାସୀ ତଥା ପଥରଘାଟ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଥିଲା। ୨୦୧୭ରୁ ୨୦୨୦ ମଧ୍ୟରେ ଏକାଧିକ ଶିକ୍ଷକଙ୍କ ଘରେ ଓ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଶିକ୍ଷା ବ୍ୟବସ୍ଥାର କେଳେଙ୍କାରୀଙ୍କୁ ପଦା‌ରେ ପକାଇଛି।

ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ କିଛି ଦୁର୍ନୀତିଗସ୍ତ ଶିକ୍ଷକ, ଶିକ୍ଷା ଅଧିକାରୀ ଓ କିରାଣିଙ୍କ ଲାଗି ଶିକ୍ଷା ବ୍ୟବସ୍ଥା ବଦନାମ ମୁଣ୍ଡାଉଛି। ଯେଉଁମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଫଳରେ ଅନ୍ୟମାନେ ଦୁର୍ନୀତି କରିବାକୁ ସାହାସ ଜୁଟାଇବେ ନାହିଁ। ବିଭାଗର ତଳଠାରୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ଭରି ରହିଛି। କେବଳ ତଳତଳିଆଙ୍କୁ ନ ଧରି ଉପରେ ଥିବା ବାବୁଙ୍କ ଉପରେ ବି ଚଢ଼ାଉ କରାଯାଉ। ଲାଞ୍ଚ ନେଉଥିବା ଓ ଦେଉଥିବା ‌ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦରକାର।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦୁର୍ନୀତିକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ଗତ ୩ ବର୍ଷ ହେଲା ଲଗାତାର ଭାବେ ଚଢ଼ାଉ କରାଯାଇ ନକଲି ଶିକ୍ଷକଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି। କିଛି ଜଣ ଜେଲ୍‌ରେ ପଶି ସାରିଲେଣି। ଯେଉଁ ଶିକ୍ଷା ଅଧିକାରୀମାନେ ଲାଞ୍ଚ ମାଗି ଧରାପଡ଼ୁଛନ୍ତି ସେମାନଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନେଉଛି। ବିଭାଗ ବି ଏଦିଗରେ ପଦକ୍ଷେପ ନେଉଛି। ନବୀନ ସରକାରରେ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର