ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ର-ଅଧ୍ୟାପକ ମାଡ଼ପିଟ : ୯ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତିବିହାର କ୍ୟାମ୍ପସ୍‌‌ରେ ଅଧ୍ୟାପକ-ଛାତ୍ର ମାଡ଼ପିଟ ଓ ତାଲାବନ୍ଦ ଘଟଣାରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୯ ଜଣ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏଥିରେ ୨ ଜଣ ଛାତ୍ରଙ୍କ ପିଏଚଡି ପଞ୍ଜୀକରଣ ସ୍ଥଗିତ ରଖାଯାଇଛି। ଏହାଛଡ଼ା ହଷ୍ଟେଲ ଛାଡ଼ିବା, ବିଶ୍ବବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରୁ ବାରଣ, ୫ ହଜାର ଟଙ୍କା ଜରିମାନା ତଥା କୌଣସି ପ୍ରକାର ଆନ୍ଦୋଳନରେ ସାମିଲ ନହେବା ନେଇ ସତ୍ୟପାଠ ଦାଖଲ ଭଳି ଭିନ୍ନଭିନ୍ନ ଦଣ୍ଡ ବିଧାନ କରାଯାଇଛି। ଛାତ୍ର-ଅଧ୍ୟାପକ ମାଡ଼ପିଟ ଘଟଣାରେ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ସୁପାରିସ ପରେ ସିଣ୍ଡିକେଟ ବୈଠକରେ ଆଲୋଚନା ହୋଇ ଏହି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା କହିଛନ୍ତି ପିଜି କାଉନସିଲ ଅଧ୍ୟକ୍ଷ ଅଶୋକ ଦାସ। ତେବେ ଏଭଳି କାର୍ଯ୍ୟାନୁଷ୍ଠାନକୁ ସଂପୃକ୍ତ ଛାତ୍ରମାନେ ଦୃଢ଼ ବିରୋଧ ଓ ପ୍ରତିବାଦ କରିଛନ୍ତି। ଏହା ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ ଶାସନର ନିଦର୍ଶନ ବୋଲି ସଂପୃକ୍ତ ଛାତ୍ରମାନେ ଅଭିଯୋଗ କରିଛନ୍ତି।

ଜ୍ୟୋତିବିହାରରେ କିଛି ମାସ ତଳେ ପ୍ରାଧ୍ୟାପକ ଡ. ରଜତ କୁଜୁର ଏବଂ ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଏ ନେଇ ଉଭୟ ପକ୍ଷ ଆହତ ହୋଇଥିବା ଅଭିଯୋଗ କରି ବୁର୍ଲା ଥାନାରେ ଏତଲା ଦେଇଥିଲେ। ଏହାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠିତ ହୋଇଥିଲା। କମିଟିର ସୁପାରିସ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର