ଭୋଗରାଇ: ବନ୍ୟା ପ୍ରଭାବିତ ବିଦ୍ୟାଳୟ ପରିସରକୁ ସଫାସୁତରା କରି ଉଦାହରଣ ସାଜିଛନ୍ତି ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତ ଖଳାବାଡ଼ିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ। ସୁବର୍ଣ୍ଣରେଖା ନଦୀକୂଳରେ ରହିଛି ଖଳାବାଡ଼ିଆ ଗାଁ। ୧୯୫୦ ମସିହାରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଏହି ଗାଁରେ ଗଢ଼ିଉଠିଥିଲା ଏକ ପ୍ରାଥମିକ ବିଦ୍ୟାଳୟ। ୧୯୭୫ ମସିହାରେ ବିଦ୍ୟାଳୟର କଳେବର ବୃଦ୍ଧି ହୋଇ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହେଲା।
ପ୍ରତିବର୍ଷ ବନ୍ୟାରେ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବେଳେ ଚଳିତ ଲଗାଣ ବର୍ଷାରେ ସ୍କୁଲର ପଶ୍ଚିମପାର୍ଶ୍ବରେ ଥିବା ୨୦୦ ଫୁଟ୍ର ପୁରୁଣା ପାଚେରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। କେବଳ ସେତିକି ନୁହେଁ, ବନ୍ୟାଜଳରେ ବିଦ୍ୟାଳୟଟି ଅଧା ପର୍ଯ୍ୟନ୍ତ ବୁଡ଼ିଯିବା ଫଳରେ ସମସ୍ତ ଦରକାରୀ କାଗଜପତ୍ର ସହିତ ରୋଷେଇ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ବନ୍ୟା ଛାଡ଼ିବା ପରେ ସ୍କୁଲ ହତା ଭିତରେ ଓ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଉଚ୍ଚର କାଦୁଅ, ପାଣି ଜମି ରହିଥିବାବେଳେ ଶ୍ରେଣୀ ଗୃହ ଭିତରେ ବିଷଧର ସରୀସୃପଙ୍କୁ ଦେଖିବାକୁ ମିଳିଥିଲା।
ଏଭଳି ସ୍ଥିତିରେ ସ୍କୁଲର ପ୍ରଧାନଶିକ୍ଷକ ପଞ୍ଚାନନ ଜେନା, ଶିକ୍ଷକ ସଞ୍ଜୟ କୁମାର ଜେନା, ସୁନୀଲ କୁମାର କରଣ, ସୁବାସ ଜେନା, ରାଜେଶ କୁମାର ପାତ୍ର, ଶିକ୍ଷୟିତ୍ରୀ ପ୍ରମିଳା ମାଝୀ, ଅମିତା ବିଶ୍ବାଳ, ସୁମିତ୍ରା ସିଂହ ପ୍ରମୁଖ କଢ଼ା ଓ କୋଦାଳ ଧରି ସ୍କୁଲ ପରିସରରୁ କାଦୁଅ ପଟୁ ସଫା କରିବା ସହିତ ଶ୍ରେଣୀ ଗୃହଗୁଡିକୁ ସଫାସୁତରା କରିଥିଲେ। ବିଦ୍ୟାଳୟରେ ଶିକ୍ଷାଦାନ ସ୍ଥିତିକୁ ସ୍ବାଭାବିକ କରିବା ଲାଗି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମ୍ମିଳିତ ପ୍ରୟାସକୁ ଗ୍ରାମବାସୀଙ୍କ ସମେତ ସ୍କୁଲ ପରିଚାଳନା କମିଟି ସଭାପତି ସୁଜିତ୍ ପରିଡା, ସରପଞ୍ଚ ବର୍ଷାରାଣୀ ପରିଡା, ସମିତିସଭ୍ୟା ଝରଣା ସାହୁ, ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ ଭୂୟସୀ ପ୍ରଶଂସା କରିଛନ୍ତି।