ଭୁବନେଶ୍ବର: ଆଜି ରାଜଧାନୀରେ ଗଣଶିକ୍ଷକମାନେ ନିଜର ଦାବି ହାସଲ ଲାଗି ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ବିକ୍ଷୋଭ ଚାଲିଥିବାବେଳେ ସଂଘର ଗୋଟି ଗୋଟି ଦାବି ସଂପର୍କରେ ଭାଷଣ ଦେଇ ସାରିବା ପରେ ଜଣେ ଶିକ୍ଷକ ନେତା ଟଳି ପଡ଼ିଛନ୍ତି। ସେ ହେଲେ ଗଣଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର୍) ମହାସଂଘର ମୟୂରଭଞ୍ଜ ଜିଲ୍ଲା ସଭାପତି ନିରଞ୍ଜନ ବାରିକ(୫୦)। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନିରଞ୍ଜନ ସାର୍ଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରି ଦେଇଥିବାବେଳେ ଆନ୍ଦୋଳନରତ ଶିକ୍ଷକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ପ୍ରଦାନ କରିବା ପାଇଁ ମହାସଂଘ ପକ୍ଷରୁ ଦାବି ହୋଇଛି। ଅପରପକ୍ଷେ ଶ୍ରୀ ବାରିକଙ୍କ ପରିବାର ଲୋକ ରାଜଧାନୀରେ ପହଞ୍ଚିବା ପରେ ତାଙ୍କର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ୍ ଅଧୀନ ବାଲିଜୁଡ଼ା ସେବାଶ୍ରମରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ନିରଞ୍ଜନ। ମହାସଂଘର ଜଣେ ବରିଷ୍ଠ କର୍ମକର୍ତାଙ୍କ ସୂଚନା ଅନୁସାରେ, ଓଟିଇଟି ପରୀକ୍ଷାରେ ହୋଇଥିବା ବ୍ୟାପକ ବିଭ୍ରାଟ ସହ ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର୍)ଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆଜି ଗଣଶିକ୍ଷକମାନେ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଥିଲେ। ବିକ୍ଷୋଭ ପ୍ରଦର୍ଶନବେଳେ ନିରଞ୍ଜନ ସାର୍ ଏହାର ନେତୃତ୍ବ ନେବା ସହ ଉଦ୍ବୋଧନ ଦେଉଥିଲେ। ଦିନ ପ୍ରାୟ ସାଢ଼େ ୧ଟାରେ ଶୋଭାଯାତ୍ରା ରେଳ ଷ୍ଟେସନ୍ରୁ ବାହାରି କଂଗ୍ରେସ ଭବନ ପାର ହେବା ପରେ ଭାଷଣ ଦେଉଥିବା ନିରଞ୍ଜନ ସାର୍ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ମୁଣ୍ଡ ବୁଲାଇ ଦେବାରୁ ସେ ସେଠାରେ ବସି ପଡ଼ିଥିଲେ। ତେଣୁ ତୁରନ୍ତ କିଛି ଶିକ୍ଷକ ତାଙ୍କୁ ୟୁନିଟ୍-୨ସ୍ଥିତ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ପାଣି ପିଇବା ସହ ଫ୍ୟାନ୍ ତଳେ କିଛି ସମୟ ବସିଥିଲେ। ମାତ୍ର ଠିକ୍ ଭାବେ କଥାବାର୍ତା କରି ନ ପାରିବାରୁ ସାଥୀ ଶିକ୍ଷକମାନେ ୧୦୮ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ନିରଞ୍ଜନ ସାର୍ଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସାଥୀ ଶିକ୍ଷକମାନେ। ଓଟିଇଟି ପରୀକ୍ଷାରେ ହୋଇଥିବା ବ୍ୟାପକ ବିଭ୍ରାଟରେ ସେ ମାନସିକ ଭାବେ ଚିନ୍ତିତ ଥିଲେ ବୋଲି ମହାସଂଘର କର୍ମକର୍ତା କହିଛନ୍ତି। ମାନସିକ ଚାପ ଯୋଗୁଁ ସେ ଅକାଳରେ ପ୍ରାଣ ହରାଇଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି। ହସ୍ପିଟାଲର ଶବାଗାରରୁ ତାଙ୍କ ମୃତଦେହକୁ ଲୋୟର ପିଏମ୍ଜିକୁ ନେବା ପାଇଁ ଶିକ୍ଷକମାନେ ଦାବି କରିଥିଲେ। ତେବେ ପୁଲିସ ପକ୍ଷରୁ ବୁଝାସୁଝା କରାଯିବା ପରେ ଶିକ୍ଷକମାନେ ଶାନ୍ତ ପଡ଼ିଥିଲେ। ଏହି ଘଟଣାରେ ମହାସଂଘର ଉପ-ସଭାପତି ବିଶ୍ବରଂଜନ ଦାଶ କହିଛନ୍ତି, ବୋର୍ଡ ଜରିଆରେ ଓଟିଇଟି ପରୀକ୍ଷାରେ ବ୍ୟାପକ ବିଭ୍ରାଟ ହୋଇଥିଲା। ବୋର୍ଡ ପକ୍ଷରୁ ଏହାର ସମାଧାନ କରାଯିବ ବୋଲି କୁହାଯାଇଥିଲେ ହେଁ ଗତ ୨୧ ତାରିଖରେ ବିଳମ୍ବିତ ରାତିରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ୩ଟି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରିଥିବା ବେଳେ ଏଥିରେ କେତେ ଜଣ ପରୀକ୍ଷା ଦେଇଥିଲେ, କେତେ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଏହାର ପାସ୍ ହାର କେତେ; ବୋର୍ଡ ପକ୍ଷରୁ ସୂଚନା ଦିଆଗଲା ନାହିଁ। ରାଜ୍ୟ ସରକାରଙ୍କୁ ଚଳିତ ମାସ ୨ ତାରିଖ ଭିତରେ ଏହାର ସମାଧାନ କରିବା ପାଇଁ କୁହାଯାଇଥିଲା। ମାତ୍ର ଏଥିରେ କୌଣସି ସୁଫଳ ନ ମିଳିବାରୁ ମହାସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି।
ଅପରପକ୍ଷେ ମୃତ ନିରଞ୍ଜନ ସାର୍ଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ପ୍ରଦାନ କରାଯାଉ ବୋଲି ଶ୍ରୀ ଦାଶ ଦାବି କରିଛନ୍ତି। ସେ କହିଛନ୍ତି, ଓଟିଇଟି ଉଚ୍ଛେଦ ଲାଗି ପୂର୍ବରୁ ଅନେକ ଶିକ୍ଷକ ଦାବି କରି ପ୍ରାଣ ହରାଇ ସାରିଲେଣି। ରାଜ୍ୟରେ ଏବେ ୨୨ହଜାର ଶିକ୍ଷକ ରହିଛନ୍ତି। ୨୦୧୭ ମସିହାରେ ରାଜ୍ୟ ସରକାର ଶିକ୍ଷକଙ୍କୁ ସ୍ଥାୟୀ କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଓଟିଇଟି ପରୀକ୍ଷା ୨୦୧୯ ମଧ୍ୟରେ ଦେବା ପାଇଁ ବାଧ୍ୟ କରାଯାଇଥିଲା, ନଚେତ୍ ପଦୋନ୍ନତି ହୋଇପାରିବ ନାହିଁ ବୋଲି ସରକାର ଦର୍ଶାଇଥିଲେ। ଓଟିଇଟିର ନିୟମ ଅନୁସାରେ ବର୍ଷକୁ ୨ଥର ଏହାର ପରୀକ୍ଷା ହେବା ଜରୁରୀ। ୨୦୧୮ ମସିହାରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଚଳିତବର୍ଷ ପୁଣିଥରେ ପରୀକ୍ଷା ହୋଇଥିଲେ ହେଁ ପ୍ରଶ୍ନରେ ବ୍ୟାପକ ବିଭ୍ରାଟ ହୋଇଥିଲା। ଦୀର୍ଘ ୧୫ବର୍ଷ ଧରି ଶିକ୍ଷକତା କରୁଥିଲେ ହେଁ ଶିକ୍ଷକମାନଙ୍କୁ ପଦୋନ୍ନତି ମିଳିପାରୁ ନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି।