ଶିକ୍ଷକଙ୍କ ସମ୍ପତ୍ତି ୪.୯୩ କୋଟି ଟପିଲା, ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର/ଗୋଳନ୍ଥରା : ବ୍ରହ୍ମପୁର, ଗୋପାଳପୁର, ଭୁବନେଶ୍ବର, ପୁରୀ ସମେତ ଏକାଧିକ ସ୍ଥାନରେ ପ୍ଲଟ୍‌, ବହୁତଳ କୋଠା, ଫ୍ଲାଟ୍‌ ଓ ବିପୁଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଶିକ୍ଷକ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ ଝାଡ଼ଙ୍କୁଲି ସ୍ଥିତ ଯଶୋଦା ହାଇସ୍କୁଲ୍‌ର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ସମୁଦାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି।

ଭିଜିଲାନ୍ସ ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୪କୋଟି ୯୩ଲକ୍ଷ ୯୭ହଜାର ୨୪୪ଟଙ୍କା। ବ୍ରହ୍ମପୁର ବ୍ରହ୍ମାନଗର ଠାରେ ୫ମହଲା ‌କୋଠା ମୂଲ୍ୟ ୧କୋଟି ୮୬ଲକ୍ଷ ୬୩ହଜାର ୧୬୫ଟଙ୍କା ଆକଳନ କରାଯାଇଛି। ବୈକୁଣ୍ଠନଗର ଦ୍ବିତୀୟ ଲେନ୍‌ ସ୍ଥିତ ୩ମହଲା କୋଠାର ମୂଲ୍ୟ ୧କୋଟି ୧୨ଲକ୍ଷ ଟଙ୍କା ଆକଳନ କରାଯାଇଛି। ଏହି କୋଠଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି। ସେହିପରି ଗୋପାଳପୁର ଏନ୍‌ଏସିର ୱାର୍ଡ ନମ୍ବର ‌୧ରେ ଗୋଟିଏ କୋଠା, ବଳିୟାରସିଂ ମୋଜାରେ ଗୋଟିଏ କୋଠା, ଓ ବ୍ରହ୍ମପୁର ସହର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ ରହିଛି। ବ୍ରହ୍ମାନଗରରେ ଥିବା ଏକ ଆଜବେଷ୍ଟସ ଘର ମୂଲ୍ୟର ୧୬ଲକ୍ଷ ଟଙ୍କା, ଭୁବନେଶ୍ବର ଫ୍ଲାଟର ମୂଲ୍ୟ ୨୮ଲକ୍ଷ, ପୁରୀ ଫ୍ଲାଟର ମୂଲ୍ୟ ୬ଲକ୍ଷ ଓ ନିମଖଣ୍ଡି ଦୋକାନ ଗୃହର ମୂଲ୍ୟ ୫ଲକ୍ଷ ଟଙ୍କା ଆକଳନ କରାଯାଇଛି। ୨୦ଲକ୍ଷ ୭୪ହଜାର ୮୯୫ଟଙ୍କାର ଏଲଆଇସି ରହିଛି। ୮ଲକ୍ଷ ୪୩ହଜାର ୮୩୮ଟଙ୍କାର ବ୍ୟାଙ୍କ ଜମା ରହିଛି। ନଗଦ ୯୪୭୦ଟଙ୍କା ତାଙ୍କ ନିକଟରେ ରହିଥିବା ଏହି ଚଢଉ ବେଳେ ଜଣାପଡ଼ିଛି।

ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ ଓ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌ର ୧୦ଟି ଟିମ୍‌ ଅର୍ଥାତ ପ୍ରାୟ ୫୦ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଶିକ୍ଷକଙ୍କ ବ୍ରହ୍ମପୁର ବୈକୁଣ୍ଠନଗର ଦ୍ବିତୀୟ ଲେନ୍‌ ସ୍ଥିତ ବାସଭବନ, ସେହି ଲେନ୍‌ରେ ଭଡ଼ା ଲଗାଇଥିବା ଏକ ଘର, ବ୍ରହ୍ମାନଗରରେ ଥିବା ୫ ମହଲା ବିଶିଷ୍ଟ ତାଙ୍କର ଏକ କୋଠା ଘରେ, ନିମଖଣ୍ଡିରେ ଭଡ଼ା ଲାଗିଥିବା ତାଙ୍କ ଦୋକାନ ଘରେ, ଭୁବନେଶ୍ବରର କଳ୍ପନା ଛକରେ ତାଙ୍କ ପତ୍ନୀ ଓ ପିଲା ରହୁଥିବା ଘର, ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଥିବା ତାଙ୍କ ଏକ ଫ୍ଲାଟ୍, ଭୁବନେଶ୍ବରର ସୁନ୍ଦରପଦାରେ ଥିବା ତାଙ୍କ ୩ ବିଏଚ୍‌କେ ଫ୍ଲାଟ, ଯଶୋଦା ହାଇସ୍କୁଲ୍‌ କାର୍ଯ୍ୟାଳୟ, ତାଙ୍କ କୋଟିଲିଙ୍ଗି ସ୍ଥିତ ପୈତୃକ ଘର, ଓ ଚିକିଟିସ୍ଥିତ ଏକ ବେସରକାରୀ ସ୍କୁଲ୍‌ରେ ଚଢ଼ଉ ହୋଇଛି। ଭିଜିଲାନ୍ସ ଏସ୍‌ପି ଅନୀଲ ପାତ୍ରଙ୍କ ପ୍ରତ୍ୟକ୍ଷତତ୍ତ୍ବାବଧାନରେ ଏହି ଚଢଉ ହୋଇଛି।

ସମ୍ବନ୍ଧିତ ଖବର