ଲକ୍‌ଡାଉନ୍‌ ସମୟରେ ଅନୁପସ୍ଥିତ ଶିକ୍ଷକଙ୍କୁ ଦରମା ଦିଆଯାଉ, ଦାବି କଲା ବିଏଡ୍‌ କନିଷ୍ଠ ଶିକ୍ଷକ ସଂଘ

ଭୁବ‌େନଶ୍ବର : ରାଜ୍ୟରେ ବିଭିନ୍ନ ଜିଲ୍ଲାର ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ୍‌ରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଲକ୍‌ଡାଉନ୍ ସମୟରେ ଜିଲ୍ଲା ତଥା ବ୍ଲକ୍‌ ମୁଖ୍ୟାଳୟରେ ଅନୁପସ୍ଥିତ କାରଣରୁ ଜିଲ୍ଲା ଶିକ୍ଷାଧିକାରୀମାନେ ଦରମା ପ୍ରଦାନ କରୁ ନାହାନ୍ତି। ଏହାକୁ ରାଜ୍ୟ ବିଏଡ୍‌ କନିଷ୍ଠ ଶିକ୍ଷକ ସଂଘ ବିରୋଧ କରିବା ସହ ତୁରନ୍ତ ସେହି ଶିକ୍ଷକମାନଙ୍କୁ ଦରମା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛି। ସଂଘର ସଭାପତି ସରୋଜ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ କହିଛନ୍ତି ଯେ ଏଭଳି ପରିସ୍ଥିତି ପୂର୍ବରୁ କେବେ ଶିକ୍ଷକମାନେ ସାମ୍ନା କରି ନ ଥିଲେ। ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ସରକାରଙ୍କର କୌଣସି ନିର୍ଦ୍ଦେଶନାମା ନ ଥିଲା। ଜୁନ୍ ୧୭ ତାରିଖ ଯାଏ ସ୍କୁଲ୍‌ ବନ୍ଦ ରହିବା, ଶିକ୍ଷକମାନଙ୍କୁ ସ୍କୁଲ୍‌ ନ ଆସିବା, କେବଳ ଫୋନ୍ ମାଧ୍ୟମରେ ଯୋଗାଯୋଗରେ ରହିବା ପାଇଁ ସରକାରଙ୍କ ତରଫରୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା। ତେଣୁ ଶିକ୍ଷକମାନେ ନିଜ ପରିବାରର ସୁରକ୍ଷା ନିମନ୍ତେ କର୍ମସ୍ଥଳୀରୁ ନିଜ ନିଜ ଗ୍ରାମକୁ ପଳାଇଥିଲେ। ଏହି ସମୟରେ ଲକ୍‌ଡାଉନ୍ କଟକଣା ଯୋଗୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଲକ୍‌ଡାଉନ୍ କୋହଳ ହେବା ପରେ ଶିକ୍ଷକମାନେ ନିଜ ନିଜ କର୍ମସ୍ଥଳୀକୁ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଠାରେ ଥିବା ଗ୍ରାମବାସୀ ଓ ଘର ମାଲିକମାନେ ଘରେ ପୂରାଇ ଦେଇ ନ ଥିଲେ। କିଛି ଜାଗାରେ ସଙ୍ଗରୋଧରେ ରହିବାକୁ ବାଧ୍ୟ କରିଥିଲେ। ଏହି ସବୁ ପରିସ୍ଥିତିକୁ ବିଚାର ନ କରି ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ପରି କିଛି ଜିଲ୍ଲାରେ ଶିକ୍ଷକମାନଙ୍କ ଦରମା ବନ୍ଦ କରିଦିଆଯାଇଛି। ସରକାର ତୁରନ୍ତ ଏହାର ବିଚାର କରି ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର