ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା

ଦାବି ଦିବସରେ ଏକାଠି ହେଲେ ହଜାର ହଜାର ଶିକ୍ଷକ

ଭୁବନେଶ୍ବର : ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଦାବି ଦିବସ ଉପ‌ଲକ୍ଷେ ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ‌ହୋଇଯାଇଛି। ରାଜ୍ୟର ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗର୍ଜିଥିଲା। ଦାବି ଗୁଡ଼ିକ ମଧ୍ୟରେ ୨୦୦୮ ମସିହା ପରଠାରୁ ସ୍କୁଲ୍‌ କଲେଜ୍‌ରେ ଯୋଗ୍ୟ ବିବେଚିତ ଶିକ୍ଷକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ, ଖାଲିଥିବା ଶିକ୍ଷକ ପଦବି ପୂରଣ, ଜନୁଆରୀ ୨୦୧୭ ମସିହା ପରିବର୍ତ୍ତେ ୨୦୧୬ ମସିହା ଜାନୁଆରୀରୁ ୭ମ ବେତନ କମିସନଙ୍କ ସୁପାରିଶ ଲାଗୁ, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ୬୧୦ ଅନୁଦାନ ପ୍ରାପ୍ତ ହାଇସ୍କୁଲ, ୬୦୯ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୪୮୮ ଅନୁଦାନ ପ୍ରାପ୍ତ କଲେଜକୁ ସରକାରୀ ସରକାରୀ କରିବା ଆଦି ଦାବି ରହିଛି। ସଂଘର ସମ୍ପାଦକ ଅଧ୍ୟାପକ ରବି ରାୟ, ସଭାପତି ଦାଶରଥୀ ନାୟକ, ବିବେକାନନ୍ଦ ଦାଶ, ବିଜୟ ଦ୍ବିବେଦୀ ଓ ଦୁଷ୍ମନ୍ତ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଦାବି ଦିବସରେ ଏକାଠି ହେଲେ ହଜାର ହଜାର ଶିକ୍ଷକ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ବାନରେ ଆଜି ରାଜଧାନୀରେ ଶିକ୍ଷକ ଦାବି ଦିବସ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସହବନ୍ଧିତ ସଂଗଠନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ୬୬୨ କଲେଜ ଶିକ୍ଷକ ସଂଘ, ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ଓଡ଼ିଶା ମଦ୍ରାସା ଶିକ୍ଷକ ସଂଘ ଓ ସଂସ୍କୃତି ବିଦ୍ୟାଳୟ ସଂଘର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନେ ଏକାଠି ହୋଇଥିଲେ। ବିପର୍ଯ୍ୟସ୍ତ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ସୁଧାର ପାଇଁ ଶିକ୍ଷକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଥିଲା। ଶିକ୍ଷକଙ୍କ ଦାବିକୁ ବିଚାର କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି।

ମଞ୍ଚ ପକ୍ଷରୁ କୁହାଯାଇଥିଲା, ସରକାର ବ୍ଲକଗ୍ରାଣ୍ଟ ପ୍ରଥାକୁ ଉଚ୍ଛେଦ କରି ଅନୁଦାନ ଆଇନକୁ ଜନ୍ମ ଦେଇଛନ୍ତି। ଯେଉଁଥିରେ ଚାକିରି ସର୍ତାବଳୀ ନାହିଁ କି ଅବସରକାଳୀନ ସୁବିଧା ସୁଯୋଗ ନାହିଁ। ସମସ୍ତ ସରକାରୀ କର୍ମଚାରୀ ଅବସର ନେବା ପରେ ଗ୍ରାଚ୍ୟୁଇଟି, ପେନସନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଛନ୍ତି। ମାତ୍ର ଏହି ବର୍ଗର ଶିକ୍ଷକ/ଅଧ୍ୟପକମାନେ ଅବସର ନେଲେ ସେମାନଙ୍କୁ କୌଣସି ସୁବିଧା ନାହିଁ। ସମସ୍ତ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ/ଅଧ୍ୟାପକଙ୍କ ଅବସର ସମୟସୀମା ୬୨ବର୍ଷକୁ ବୃଦ୍ଧି କରାଯାଉ। ଏହାସହ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କ ଆରଏସିପି ନିର୍ଧାରଣରେ ସରକାରଙ୍କ ପକ୍ଷରୁ କରାଯାଇଥିବା ତ୍ରୁଟିର ସମାଧାନ କରାଯାଉ। ୬୬୨ ଓ ୪୮୮ ମହାବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କ ରିସାଇନ୍‌ଡ ନିର୍ଦେଶ ପ୍ରତ୍ୟାହାର କରିବା, ଲାଇବ୍ରେରି ଓ ପରୀକ୍ଷାଗାରରେ କାର୍ଯ୍ୟରତ ଅଣଶିକ୍ଷକମାନଙ୍କର ଚାକିରିରେ ଥିବା ଅସଂଗତିକୁ ଦୂର କରିବା ପାଇଁ ଦାବି କରାଯାଇଛି। ଏହି ଦାବିପତ୍ରକୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ସମାବେଶରେ ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ମହାନ୍ତି, ୪୪୮ ବର୍ଗର ପବିତ୍ର ମହଲା, ୬୬୨ବର୍ଗର ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ଜେନା, ସିପିଆଇର ଆଶିଷ କାନୁନ୍‌ଗୋ, ସନ୍ତୋଷ ଦାଶ, ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଅକ୍ଷୟ ମିଶ୍ର, ଅଟଳ ବିହାରୀ ବଳ, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ ଅହମ୍ମଦ, ଆଦିତ୍ୟ ପ୍ରସାଦ ରଥ, ତପନ ଜେନା, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ଅମୀୟବାଳା ପରିଡ଼ା ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର