ମୁଣ୍ଡକୁ ଚଢ଼ିଲା ପିତ୍ତ, ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ସ୍ଥିତ ନିତ୍ୟାନନ୍ଦ ପଣ୍ଡା ନୋଡାଲ୍ ଉଚ୍ଚବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଅଭାବନୀୟ ଘଟଣା ଘଟିଛି। ଶିକ୍ଷକ ଅରୁଣ କୁମାର ସେଠୀ ଆଜି ହଠାତ୍ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ୍ ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ବିଦ୍ୟାଳୟର ପଡ଼ିଆରେ ପିଲାମାନେ ଖେଳୁଥିବା ବେଳେ ଶ୍ରୀ ସେଠୀ ହଠାତ୍ ସେଠାରେ ପହଞ୍ଚିଯାଇଥିଲେ। ଯାହାକୁ ପାଇଲେ ତାକୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଠେଲି ଦେଇଥିଲେ। ଏପରିକି କିଛି ଛାତ୍ରଛାତ୍ରୀଙ୍କ ବେକକୁ ଚିପି ଦେଇଥିଲେ। ପିଲାଙ୍କ ପାଟି ଶୁଣି ବିଦ୍ୟାଳୟର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଦୌଡ଼ି ଆସି ଶ୍ରୀ ସେଠୀଙ୍କୁ ଅଟକାଇଥିଲେ। ନବମ ଶ୍ରେଣୀ ପରୀକ୍ଷା ପରିଚାଳନାରେ ବ୍ୟସ୍ତ ପ୍ରଧାନଶିକ୍ଷକ ସୋମନାଥ ବେହେରା ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ସେଠୀଙ୍କୁ ନିଜ କାର୍ଯ୍ୟାଳୟକୁ ନେଇଯାଇଥିଲେ।

ଘଟଣା ପ୍ରଘଟ ହେବା ପରେ କିଛି ଅଭିଭାବକ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ହୋହଲ୍ଲା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଥିଲେ। ଆହତ ଛାତ୍ରଛାତ୍ରୀ ମାନେ ଶ୍ରୀ ସେଠୀଙ୍କ ନାମରେ ପ୍ରଧାନଶିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନଶିକ୍ଷକ, କିରାଣି ବୃତ୍ତିକାନ୍ତ ପ୍ରଧାନ ଓ ଅନ୍ୟ ଶିକ୍ଷକମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥଲା। ତେବ‌େ ଶ୍ରୀ ସେଠୀଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ତୁରନ୍ତ ତାଙ୍କୁ ଏଠାରୁ ବଦଳି ପାଇଁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଦାବି କରିଥିଲେ।
ପ୍ରଧାନଶିକ୍ଷକ ଶ୍ରୀ ବେହେରା କହିଛନ୍ତି, ଉକ୍ତ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ। ତେବେ ତାଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରି ଆସୁଥିଲୁ। ତେବେ ଆଜିର ଘଟଣା ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଶିକ୍ଷକ ଶ୍ରୀ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଛାତ୍ରଛାତ୍ରୀ ମୋ’ ଉପରକୁ ଗୋଡ଼ି ବାଲି ଫିଙ୍ଗି ଦୁଷ୍ଟାମୀ କରିଥିଲେ। ତାଙ୍କୁ ଆକଟ କରିବା ପାଇଁ ମାଡ଼ ମାରିଥିଲି। ତେବ‌େ ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମାନେ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର