ଭୁବନେଶ୍ୱର : ଏ ପର୍ଯ୍ୟନ୍ତ ରାଜ୍ୟର ସବୁ ଶିକ୍ଷକଙ୍କ ବାୟୋଡାଟା ଠିକ୍ ନାହିଁ। ଅଧାର ନମ୍ବର, ମୋବାଇଲ୍ ନମ୍ବର, ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ବହୁ ତ୍ରୁଟି ପରିଲକ୍ଷିତ ହେଉଛି। ଏହାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସମାଧାନ କରିବାକୁ ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଥିଲା। ଗତ ଜୁଲାଇ ୧୦ ତାରିଖ ସୁଦ୍ଧା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ବାୟୋଡାଟା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ବାୟୋଡାଟା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୁଣି ଥରେ ଯାଞ୍ଚ କରି ରିପୋର୍ଟ ଦେବାକୁ ଜୁନ୍ ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନ୍ଫରେନ୍ସିଂ ବୈଠକରେ କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକଙ୍କ ବାୟୋଡାଟା ଡିଇଓ ଓ ବିଇଓଙ୍କ ଦ୍ୱାରା କରାଯାଇ ନ ଥିବା ଜଣାପଡ଼ିଛି। ଏସ୍ଟି ଆଣ୍ଡ ଏସ୍ସି ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଗଣଶିକ୍ଷା ବିଭାଗର ଶିକ୍ଷକଙ୍କ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି) ଯାଞ୍ଚ କରି ଦାଖଲ କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଏବେ ବି ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ କିଚେନ୍ ସେଡ୍ (ମଧ୍ୟାହ୍ନ ଭୋଜନ ଗୃହ) ନିର୍ମାଣ ଶେଷ ହୋଇନାହିଁ। ଜୁନ୍ ଶେଷ ସୁଦ୍ଧା ପ୍ରାୟ ୯୩ ପ୍ର୍ରତିଶତ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଗୃହ ଶେଷ ହୋଇଛି। ଅଗଷ୍ଟ ୧୫ ସୁଦ୍ଧା ବାକି ୭ ପ୍ରତିଶତ କାମ ଶେଷ କରିବାକୁ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଏବେ ସୁଦ୍ଧା ୮୦% ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ ହୋଇଛି। ବୌଦ୍ଧ (୬୮%), ଯାଜପୁର (୬୭%) ଏବଂ କେନ୍ଦ୍ରାପଡ଼ା (୬୮%) ଜିଲ୍ଲାରେ ପିଲାଙ୍କ ପଞ୍ଜୀକରଣ ନୈରାଶ୍ୟଜନକ ରହିଛି। ଏବେ ସୁଦ୍ଧା ସବୁ ଜିଲ୍ଲାରେ ଶତ ପ୍ରତିଶତ ପଞ୍ଜୀକରଣ ହୋଇପାରି ନ ଥିବାରୁ ଜୁଲାଇ ୩୧ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ ପାଇଁ ନିର୍ଦେଶ ଦିଆଯାଇଛି।
ଚଳିତ ଶିକ୍ଷାବର୍ଷରେ ୩୦ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସେଠାକୁ ବିଜୁଳି ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା ଓ ସମସ୍ତ ସମାଗ୍ରୀ ଯୋଗାଣ ହୋଇଛି କି ନାହିଁ ସେନେଇ ଡିଇଓମାନେ ଜଣାଇବେ। ପୁରୀ ଜିଲ୍ଲାର ଡେଲାଙ୍ଗ, ଗୋପ, କଣାସ, କାକଟପୁର ଓ ପିପିଲି ସମେତ ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକରେ ପ୍ରତିଷ୍ଠା ହେବାକୁ ଥିବା ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ହସ୍ତାନ୍ତର କରାଯାଇ ନାହିଁ। ବଡ଼ମ୍ବାରେ ଜମି ସମସ୍ୟା ଓ ନିଆଳି ବ୍ଲକରେ ଥିବା ବିଦ୍ୟାଳୟ ପାଇଁ ସଂଯୋଗ ରାସ୍ତା ସମସ୍ୟାର ତୁରନ୍ତ ସମାଧାନ ପାଇଁ କୁହାଯାଇଛି। ଫଳରେ ସେଠାରେ ଟାଟା ଷ୍ଟିଲ୍ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ଖୋର୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ଚିହ୍ନଟ ହୋଇଥିବା ଜମି ହସ୍ତାନ୍ତର କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଗତ ଜୁଲାଇ ୧୫ ସୁଦ୍ଧା ସମସ୍ତ ବିଦ୍ୟାଳୟକୁ ଅସବାବପତ୍ର ଯୋଗାଣ, କୋରାପୁଟ, ବୌଦ୍ଧ, ନୟାଗଡ଼, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ଜୁନିଅର କ୍ଲର୍କ-କମ୍-ଆକାଉଣ୍ଟାଣ୍ଟ ନିଯୁକ୍ତି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/tea.jpeg.jpg)