ଶିକ୍ଷକ ଆନ୍ଦୋଳନ ସାମୟିକ ସ୍ଥଗିତ

ଆଦର୍ଶ ଆଚରଣ ବିଧି ସରକାରଙ୍କୁ ବଞ୍ଚାଇଦେଲା

ପରୀକ୍ଷାରେ ସହଯୋଗ କରିବେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ
ଦାବି ପୂରଣ ନ ହେଲେ ଖାତା ଦେଖା ବେଳକୁ ପୁଣି ମୁକାବିଲା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନର ଆଦର୍ଶ ଆଚରଣ ବିଧି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗକୁ ସମ୍ଭାବ୍ୟ ବିପଦରୁ ବଞ୍ଚାଇଦେଇଛି। ଗତ ୧୨ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଓଡ଼ିଶା ସ୍କୁଲ୍‌, କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚକୁ ସରକାର ଏହି ଆଦର୍ଶ ଆଚରଣ ବିଧି ଆଳରେ କୌଣସି ଲିଖିତ ପ୍ରତିଶ୍ରୁତି ନ ଦେଇ ବି ସାମୟିକ ଭାବେ ସେମାନଙ୍କ ଆନ୍ଦୋଳନ ଟାଳି ଦେବାକୁ ସକ୍ଷମ ହୋଇଛନ୍ତି। ଆଜି ସଚିବାଳୟରେ ଉଭୟ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ସହ ମିଳିତ ମଞ୍ଚ କର୍ମକର୍ତ୍ତାଙ୍କ ଆଲୋଚନା ପରେ ମଞ୍ଚ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛି। ତେବେ ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି, ମାର୍ଚ୍ଚ ୯ ତାରିଖ ଭିତରେ ଦାବି ପୂରଣ ନହେଲେ ପୁଣି ପରୀକ୍ଷା ଖାତା ଦେଖିଲା ବେଳକୁ ମୁକାବିଲା ହେବ।

ସୂଚନାଯୋଗ୍ୟ ୭ ଦଫା ଦାବି ନେଇ ଓଡ଼ିଶା ସ୍କୁଲ୍‌, କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ୧୨ ଦିନ ହେଲା ଆନ୍ଦୋଳନ ଚାଲିଥିଲା। ସରକାର ବାରମ୍ବାର ଠକୁଥିବାରୁ ଏଥର ଆନ୍ଦୋଳନକାରୀମାନେ ଦାବି ପୂରଣ ପାଇଁ ଜିଦିରେ ଅଟଳ ରହିଥିଲେ। ସରକାରଙ୍କ ସହ ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ସରକାର ୭ ଦିନ ସମୟ ନେଇଥିଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ପୁଣି ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେଲା। ତାହା ବି ବିଫଳ ହେଲା। ଆନ୍ଦୋଳନକାରୀ ଜିଦିରେ ଅଟଳ ରହିଲେ। ସମାଧାନର ବାଟ ବାହାରୁ ନ ଥିବାରୁ ସରକାର ବି ଅକଳରେ ପଡ଼ିଯାଇଥିଲେ। ବିଶେଷ କରି ଆଗକୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଆସୁଥିବାରୁ ପରୀକ୍ଷା କିପରି ପରିଚାଳନା କରିବେ, ସେ ନେଇ ଚିନ୍ତା ବଢ଼ିଥିଲା। ଏପରିକି ବିକଳ୍ପ ବ୍ୟବସ୍ଥା ପାଇଁ ବି ବିଭାଗ ସ୍ତରରେ ସଜବାଜ ଚାଲିଥିଲା। ଏମିତି ଛକାପଞ୍ଝା ଭିତରେ ଆଜି ସରକାର ପୁଣି ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ।

ରବିବାର ଛୁଟି ସତ୍ତ୍ୱେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ, ସଚିବ ଓ ଅନ୍ୟ ଅଧିକାରୀମାନେ ସଚିବାଳୟ ଆସିଥିଲେ। ମିଳିତ ମଞ୍ଚର କର୍ମକର୍ତ୍ତାମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହେଲା। ସେଠାରୁ ବାହାରିଲା ପରେ କର୍ମକର୍ତ୍ତାମାନେ ଆଲୋଚନାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ, ୭ ଦଫା ଦାବି ମଧ୍ୟରୁ ୬ଟି ଦାବି ଉପରେ ସରକାର ଅନୁକୂଳ ମତ ଦେଇଛନ୍ତି। ରାଜ୍ୟ ସରକାର ରଖିଥିବା ସତ୍ୟପାଠ ଦାଖଲକୁ ଉଚ୍ଛେଦ କରାଯିବ। ଏହା ଛଡ଼ା ୬୦, ୪୦ ଓ ୭୫ ବର୍ଗ ଅଧ୍ୟାପକଙ୍କୁ ପୂର୍ଣ୍ଣ ଅଦୁଦାନ ଦେବା, ବକେୟା ଦରମା ପ୍ରଦାନ ଦେବା, ସପ୍ତମ ବେତନ କମିସନ୍‌ ଲାଗୁ କରିବା ଆଦି ପ୍ରମୁଖ ଦାବି ପୂରଣ ପାଇଁ ସରକାର ରାଜି ହୋଇଛନ୍ତି। ତେବେ ଅବସର ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରିବା ନେଇ କରାଯାଇଥିବା ଦାବିରେ ସରକାର ସହମତି ପ୍ରକାଶ କରି ନାହାନ୍ତି। ଏବେ ବିଜେପୁର ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଛି। ତେଣୁ ବିଜ୍ଞପ୍ତି ପ୍ରକାଶ ପାଇ ପାରୁ ନାହିଁ। ରାଜ୍ୟ ସରକାରଙ୍କ ଠାରୁ ମୌଖିକ ପ୍ରତିଶ୍ରୁତି ପାଇ ଆମେ ଆନ୍ଦୋଳନକୁ ସ୍ଥଗିତ ରଖୁଛୁ।

କର୍ମକର୍ତ୍ତାମାନେ ଆହୁରି କହିଛନ୍ତି, ଆଗକୁ ପରୀକ୍ଷା ଆସୁଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆମେ ପରୀକ୍ଷାରେ ସହଯୋଗ କରିବୁ। ମାର୍ଚ୍ଚ ୯ ତାରିଖ ଯାଏଁ ସରକାରଙ୍କୁ ସମୟ ଦିଆଯାଇଛି। ୯ ତାରିଖ ସୁଦ୍ଧା ଦାବି ପୂରଣ ନେଇ ସରକାର ଠୋସ୍‌ ପଦକ୍ଷେପ ନ ନେଲେ, ୨୦ ତାରିଖ ଠାରୁ ଖାତା ମୂଲ୍ୟାୟନ ବର୍ଜନ କରାଯିବ। ସେହିପରି ଆସନ୍ତାକାଲି ଅର୍ଥାତ୍‌ ୧୯ ତାରିଖରେ ହେବାକୁ ଥିବା ମହାସମାବେଶକୁ ବି ବାତିଲ୍‌ କରିଦିଆଯାଇଛି।

ସମ୍ବନ୍ଧିତ ଖବର