ସୈନିକ ଗଢ଼ୁଥିଲେ, ଏବେ ସାଜିଛନ୍ତି ସେନାପତି : କରୋନା ଯୁଦ୍ଧରେ ଲଢ଼ୁଛନ୍ତି ଶିକ୍ଷକ ସମାଜ, ସାଜିଛନ୍ତି ତୃଣମୂଳସ୍ତରର ଯୋଦ୍ଧା

ମୟୂରଭଞ୍ଜ ଜିଲ୍ଲାରେ ନିୟୋଜିତ ଅଛନ୍ତି ୫ହଜାର ୫ଶହରୁ ଊର୍ଧ୍ବ ଶିକ୍ଷକ

ବାରିପଦା, (ରାଜ କିଶୋର ଦାଶ): ରାଷ୍ଟ୍ର କାର୍ଯ୍ୟ ପାଇଁ ସୈନିକ ଗଢ଼ୁଥିଲେ। ମାତ୍ର ବର୍ତ୍ତମାନ ସାଜିଛନ୍ତି ସେନାପତି। ପରବର୍ତ୍ତୀ ପିଢ଼ୀକୁ ସୁରକ୍ଷିତ କରିବା ପାଇଁ ନିଜେ ସାଜିଛନ୍ତି ତୃଣମୂଳସ୍ତରର କରୋନା ଯୋଦ୍ଧା। ଶ୍ରେଣୀଗୃହରେ ଅଗଣିତ ମଣିଷ ସୃଷ୍ଟି କରୁଥିବା ଶିକ୍ଷକଟିଏ ଆଜି ସମାଜକୁ ରକ୍ଷା କରିବାକୁ ପାଲଟିଛନ୍ତି କୋଭିଡ୍ ଯୋଦ୍ଧା। ଗାଁକୁ ଗାଁ ବୁଲି କରୋନା ମହାମାରୀ ସହିତ ଚାଲିଥିବା ଏହି ଲଢ଼େଇରେ ସାଜିଛନ୍ତି ନାୟକ। ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରାୟ ୫ହଜାର ୫ଶହରୁ ଊର୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟେକ୍ଷ ଭାବେ ଏହି କରୋନା ଯୁଦ୍ଧରେ ସାମିଲ ଅଛନ୍ତି। ଜିଲ୍ଲାରେ ହୋମ୍ ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ଦୈନନ୍ଦିନ ଟ୍ରାକିଂ କରିବା ହେଉ ଅବା ମୟୂରଭଞ୍ଜର ଅଗମ୍ୟ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବା, କୌଣସି କାର୍ଯ୍ୟରେ ଅବହେଳା କରୁନାହାନ୍ତି ଶିକ୍ଷକସମାଜ।

କେବଳ ଏତିକି ନୁହେଁ ସାରା ଜିଲ୍ଲା ଯେତେବେଳେ ଲକ୍‌ଡାଉନ ଏବଂ ସଟ୍‌ଡାଉନରେ ରହୁଥିଲା, ସମାଜକୁ ବାଟ ଦେଖାଉଥିବା ଏହି ଗୁରୁମାନେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ଶୁଖିଲା ମଧ୍ୟାହ୍ନ ଭୋଜନ ସାମଗ୍ରୀ ଯୋଗାଇ ଦେବାକୁ ବୁଲୁଥିଲେ ଗାଁ କୁ ଗାଁ। ଏହା ମଧ୍ୟରେ ପାଠପଢ଼ା ଧର୍ମକୁ ମଧ୍ୟ ଭୁଲିନାହାନ୍ତି ଏମାନେ। ନିଜର ସ୍ମାର୍ଟଫୋନ୍ ନଥାଉ ପଛେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କିନ୍ତୁ ଟେକ୍‌ସ୍ୟାଭି ହୋଇଛନ୍ତି। ଏମିତି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଯେଉଁମାନେ କି ଚଳିତ କରୋନା ମହାମାରୀ ସମୟରେ ବୈଷୟିକ ଜ୍ଞାନକୌଶଳରେ ନିଜକୁ ପାରଙ୍ଗମ କରାଇ ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି। ଏମାନେ ମଧ୍ୟ ଚକ୍‌ଲିଟ୍ ଆପ୍ ମାଧ୍ୟମରେ ତାଲିମ ନେଇଛନ୍ତି। ଆଉ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେତେବେଳେ କରୋନାର ପ୍ରକୋପ ଆରମ୍ଭ ହେଉଥିଲା, ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ ହୋଇଥିବା କ୍ବାରାଣ୍ଟିନ୍ ସେଣ୍ଟର୍ ଦାୟିତ୍ୱରେ ଜଣେ ଜଣେ ଶିକ୍ଷକଙ୍କୁ ରଖାଯାଉଥିଲା। ଦିନ ରାତି ଯେକୌଣସି ସମୟରେ ମଧ୍ୟ ସେମାନଙ୍କୁ ଦାୟିତ୍ୱରେ ଲଗାଯାଉଥିଲା। ତଥାପି ବିପଦକୁ ଖାତିର ନକରି ସେବା କରିବାକୁ ଆଗେଇ ଆସିଛନ୍ତି ଏମାନେ।

ମୟୂରଭଞ୍ଜ ଭଳି ଜିଲ୍ଲାରେ ଶିକ୍ଷକମାନଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଅନେକ ନିପଟ ମଫସଲ ଏବଂ ଅପହଞ୍ଚ ସ୍ଥାନରେ ଏମାନଙ୍କୁ ସ୍ଥାନୀୟ ଅଧିବାସୀ ଏବଂ ଆଦିବାସୀ ବେଶ୍ ସମ୍ମାନ ଦେବା ସହିତ ସବୁ କଥା ମାନିଥାଆନ୍ତି। ତେଣୁ ବାରିପଦାରୁ ବହଳଦା, ରାସଗୋବିନ୍ଦପୁରରୁ ରାଇରଙ୍ଗପୁର ହେଉ ଅବା ଶରତ ଘାଟି ଭଳି ସ୍ଥାନ, ସବୁଠି କର୍ମତତ୍ପର ଅଛନ୍ତି ଶିକ୍ଷକସମାଜ। ଶିକ୍ଷାଦାନ କରିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ଚଳିତ ମହାମାରୀ ସମୟରେ ଶିକ୍ଷାଦାନ ସହିତ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ମଧ୍ୟ ନିୟୋଜିତ ଅଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ ଅଧିକ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ କରୋନାରେ ସଂକ୍ରମଣ ହୋଇନଥିବା ଖବର ଅଛି। ଯାହାକି ନିହାତି ଆଶ୍ବସ୍ତିର ବିଷୟ।

ଗତକାଲି ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଭର୍ଚୁଆଲୀ ପ୍ରଣିପାତ କରିଛନ୍ତି। ‘ଆୱାର୍ ଟିଚର୍, ଆୱାର ହିରୋ’ ଶୀର୍ଷକରେ ସେମାନଙ୍କର ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏପରି ତ୍ୟାଗପୁତ କାର୍ଯ୍ୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ପ୍ରଶଂସା କରିଛନ୍ତି। ସେହିପରି ଜିଲ୍ଲା ଯୋଜନା ସଂଯୋଜକ ମନୋଜ କୁମାର ଶର୍ମା ମଧ୍ୟ ସିଧାସଳଖ କରୋନା ଯୁଦ୍ଧରେ ସଂଶ୍ଳିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ସୁରକ୍ଷା କାମନା କରିଛନ୍ତି।

ସମ୍ବନ୍ଧିତ ଖବର