ଭୁବନେଶ୍ୱର : ଅଗଷ୍ଟ ୧୬ ଶିକ୍ଷକ ଦାବି ଦିବସ ଅବସରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଶିକ୍ଷକ ଓ କର୍ମଚାରୀମାନଙ୍କ ଦୀର୍ଘ ଦିନ ଧରି ପଡ଼ି ରହିଥିବା ବହୁ ଅସମାହିତ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ରାଜ୍ୟ ସରକାର ଏହାର ସମାଧାନ ପାଇଁ କର୍ଣ୍ଣପାତ କରୁ ନଥିବାରୁ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି ବୋଲି ମିଳିତ ମଞ୍ଚ ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ରାଜ୍ୟର ୪୦୦୦ରୁ ଅଧିକ ବିଦ୍ୟାଳୟ, ମହାବିଦ୍ୟାଳୟର ୬୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଦୀର୍ଘ ୨୫ ରୁ ୩୦ ବର୍ଷ ଧରି ଦରମା ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ପରେ ରାଜ୍ୟ ସରକାର ୨୦୧୮ ଜାନୁଆରି ପହିଲାରେ ଅନୁଦାନ ଦେଲେ। ତେବେ ଅମଲାତାନ୍ତ୍ରିକ ଚକ୍ରାନ୍ତ ଓ ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇ ଶିକ୍ଷକ କର୍ମଚାରୀ ପିଛିଲା ଦିନର ସମସ୍ତ ପାଉଣା ହରାଇବା ସହ ୨୦୧୮ ଜାନୁଆରି ପହିଲାରୁ ସ୍ୱଳ୍ପ ଦରମା ଗଣ୍ଡିକ ପାଇଲେ। ନା ଏଥିରେ ଥିଲା ଚାକିରି ସର୍ତ୍ତାବଳି, ଅବସରକାଳୀନ ସୁବିଧା କିମ୍ବା ଆଉ କିଛି। ସେହି ୨୦୧୮ ଅନୁଦାନ ଆଇନ୍ରେ ଯେଉଁମାନେ ୪୦%, ୬୦% ଓ ୭୫% ଦରମା ପାଉଥିଲେ, ଚଞ୍ଚକତା କରି ସେମାନଙ୍କୁ ବାର୍ଷିକ ଇନ୍କ୍ରିମେଣ୍ଟ ଦିଆଗଲା ନାହିଁ ଓ ଏଥିସହ ଆହୁରି ଅନେକ ସମସ୍ୟା ଯୋଡ଼ି ଦିଆଯାଇଛି। ଯାହା ଆଜି ବି ସମାଧାନ ହୋଇନାହିଁ। ଏହି ବର୍ଗର ପ୍ରାୟ ୬୦ ହଜାର ଶିକ୍ଷକ ଅଧ୍ୟାପକଙ୍କ ଭବିଷ୍ୟନିଧି ପାଣ୍ଠିରେ କୌଣସି ଜମା ନାହିଁ। ଫଳରେ ଅବସର ପରେ କିଏ ଭିକ୍ଷାବୃତ୍ତି କରୁଛି ତ କିଏ ମୂଲ ଲାଗି ପେଟ ପୋଷୁଛି। ଏ ସମସ୍ତ ଦାବି ସମ୍ପର୍କରେ ସରକାର ତ୍ୱରିତ ପଦକ୍ଷେପ ନେଇ ଶିକ୍ଷକ ସଂଗଠନଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବା ପାଇଁ ମିଳିତ ମଞ୍ଚ ପକ୍ଷରୁ ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଅଟଳ ବିହାରୀ ବଳ, ଶତାବୁଦ୍ଦିନ ଅହମ୍ମଦ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ନରେନ୍ଦ୍ର ନାଥ ବସ୍ତିଆ, ତପନ କୁମାର ଜେନ, ଅମୀୟବାଳା ପରିଡ଼ା, ଯାଜ୍ଞସେନୀ ରାୟ, ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Odisha-school-teachers-1280x720.jpg)