ବିଦ୍ୟାଳୟ ବିସ୍ଥାପନକୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କେଉଟୁଣୀମାରି ଗ୍ରାମପଞ୍ଚାୟତ ଅଧୀନସ୍ଥ ଦରିଆଶୋଳ ଗ୍ରାମରେ ୧୯୭୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏକ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦେବାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଫଳରେ ଦୀର୍ଘ ସମୟ ଧରି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ବିଦ୍ୟାଳୟର ଏକ କୋଠରୀ ଭିତରେ ଭର୍ତ୍ତି କରାଇ ବାହାରୁ ତାଲା ପକାଇ ଅଟକ ରଖିଥିଲେ ।

ଖବରପାଇ ଚାନ୍ଦୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କୋଠରୀ ଭିତରୁ ମୁକ୍ତ କରାଇବା ସମୟରେ ପୁଲିସ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୁଲିସ ଗ୍ରାମର ୬ ଜଣ ଯୁବକକୁ ଥାନାକୁ ଧରି ନେଇଯାଇଥିଲେ । ପରବର୍ତ୍ତୀ ସମୟରେ ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ ଅଟକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସାଥୀରେ ଧରି ଫେରୁଥିବା ସମୟରେ ରାସ୍ତାରେ ଗ୍ରାମବାସୀମାନେ ୩ଟି ପୁଲିସ ଗାଡ଼ିକୁ ଅଟକ ରଖିଥିଲେ ଓ ରାଜରାସ୍ତାରେ ଧାରଣାରେ ବସିଥିଲେ।କୁଳିଅଣା ବ୍ଲକ ଏବିଓ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ଆବଶ୍ୟକସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କାରଣରୁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉଥିବାର ଦର୍ଶାଇଥିଲେ ।


ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା ଅନୁସାରେ ୧୯୯୭ ମସିହା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ଜମ୍ଭୀରା ବନ୍ଧ ନିର୍ମାଣ ସମୟରେ ଦରିଆଶୋଳ ଗ୍ରାମକୁ ବିସ୍ଥାପିତ କରାଯାଇଥିବା ସମୟରେ ଉକ୍ତ ବିଦ୍ୟାଳୟକୁ ଦରିଆଶୋଳ ଗ୍ରାମବାସୀ ରହୁଥିବା ସ୍ଥାନକୁ ବିସ୍ଥାପିତ କରା ନ ଯିବାରୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି । ତେବେ ପୁଲିସ ଦ୍ୱାରା ଅଟକ ରଖାଯାଇଥିବା ଗ୍ରାମବାସୀମାନଙ୍କୁ ତୁରନ୍ତ ନିସର୍ତ୍ତରେ ଛାଡ଼ିଦେବା ସାଙ୍ଗକୁ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ପୁଲିସ ଗାଡ଼ିକୁ ଅଟକ ରଖିଥିବାର ଗ୍ରାମବାସୀମାନେ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର