ନୂଆଗାଁ : ପାଠ ପଢ଼ିବାକୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁଥିଲେ ମଧ୍ୟ ସାର୍ଙ୍କ ଦେଖା ମିଳୁନି। ଏମିତି ଘଟଣା ଶୁଣିଲେ ଯେ କେହି ତାଜୁବ୍ ହେଇଯିବ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଘରୁ ବାହାରି ଆସି ବିଦ୍ୟାଳୟରେ ଖେଳିବୁଲି ଘରକୁ ଫେରୁଛନ୍ତି। ଏହା ଆଉ କେହି ନୁହେଁ ଖୋଦ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ ଉପରେ ଅଧିକାରୀଙ୍କ ତାଗିଦ୍ ନଥିବାରୁ ଅଧିକାଂଶ ବିଦ୍ୟାଳୟରେ ଏମିତି ସମସ୍ୟା ସୃଷ୍ଟି ହେଉଛି। ନୂଆଗାଁ ବ୍ଲକ୍ ଜାକେଡ଼ା ପଞ୍ଚାୟତ ବାଡ଼ିବାରୀ ସେବାଶ୍ରମ ବିଦ୍ୟାଳୟରେ ଘଟଣା ଘଟିଛି। ଘଟଣାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ‘‘କେତେବେଳେ କେମିତି ଯାଇ ହେଇନଥିବ’’ କହି ଏଡ଼ାଇ ଯାଇଛନ୍ତି।
ଘଟଣାରୁ ପ୍ରକାଶ, ଜାକେଡ଼ା ପଞ୍ଚାୟତର ଅପାନ୍ତିଆ ଇଲାକା ବାଡ଼ିବାରୀ ଗ୍ରାମରେ ଏକ ସେବାଶ୍ରମ ବିଦ୍ୟାଳୟ ସ୍ଥାପନ ହୋଇଛି। ଏଠାରେ କିନ୍ତୁ କର୍ମଚାରୀଙ୍କ ଠକାମୀ ମନୋବୃତ୍ତି ପାଇଁ ଛାତ୍ରଛାତ୍ରୀମାନେ ପାଠପଢାରୁ ବଂଚିତ ହେଉଛନ୍ତି। ବାଡ଼ିବାରୀ ସେବାଶ୍ରମ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଠାରେ ପାଠ ପଢିବାକୁ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଶିକ୍ଷକମାନେ ବିଦ୍ୟାଳୟକୁ ଠିକ୍ ଭାବେ ଆସୁନଥିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ନ ଛାଡ଼ି ଘର କାମରେ ଲଗାଉଛନ୍ତି। ସେଠାକାର ଲୋକେ ଅଶିକ୍ଷିତ ହୋଇଥିବାରୁ ଏହାର ବେଶ୍ ଫାଇଦା ଉଠାଇଛନ୍ତି ଦୁଇଜଣ କାର୍ଯ୍ୟରତ ଶିକ୍ଷକ। ବାଡ଼ିବାରୀ ସେବାଶ୍ରମ ବିଦ୍ୟାଳୟରେ ଦୀନବନ୍ଧୁ ମିଶ୍ର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ନବୀନ କୁମାର ଲେଙ୍କା ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ବିଦ୍ୟାଳୟଟି ଜଙ୍ଗଲିଆ ପରିବେଶ ମଧ୍ୟରେ ରହିଥିବାରୁ କୌଣସି ଅଧିକାରୀଙ୍କର ବିଦ୍ୟାଳୟ ପ୍ରତି ଦୃଷ୍ଟି ନାହିଁ। ଦୁଇଜଣ ଶିକ୍ଷକ ପାଳି କରି ବିଦ୍ୟାଳୟକୁ ଆସୁଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଜଣେ ଶିକ୍ଷକ ସପ୍ତାହର ସୋମ, ବୁଧ, ଶୁକ୍ରବାର ଆସୁଥିଲା ବେଳେ ଆଉ ଜଣେ ମଙ୍ଗଳ, ଗୁରୁ ଏବଂ ଶନିବାର ଦିନ ବିଦ୍ୟାଳୟକୁ ଆସୁଛନ୍ତି। କେବଳ ସେତିକି ନୁହଁ ଗୋଟିଏ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ବସାଇ ଦେଇ ଶିକ୍ଷକ ମୋବାଇଲ୍ରେ ଗପ ମାରୁଛନ୍ତି। ପ୍ରତିଦିନ ବିଦ୍ୟାଳୟକୁ ୧୧ଟା ପୂର୍ବରୁ କେହି ଆସୁନଥିବା ମଧ୍ୟ ଛାତ୍ରଛାତ୍ରୀମାନେ କହିଛନ୍ତି।
ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଅଚାନକ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସରପଞ୍ଚ ଶ୍ରୀ ପ୍ରଧାନ ବିଦ୍ୟାଳୟରେ ଦିନ ୧୦ଟା ୩୦ ମିନିଟ୍ରେ ପହଞ୍ଚିଥିଲେ ମଧ୍ୟ ଶିକ୍ଷକମାନେ ଆସିନଥିଲେ। ଏମିତି ଅପେକ୍ଷା କରିବା ପରେ ନବୀନ କୁମାର ଲେଙ୍କା ଠିକ୍ ୧୧ଟା ୩୦ ମିନିଟ୍ ସମୟରେ ବିଦ୍ୟାଳୟକୁ ଆସିଥିଲେ। ଏହି ସମୟରେ ସରପଞ୍ଚ ବିଦ୍ୟାଳୟରେ କୌଣସି ଶିକ୍ଷକ ନଥିବା, ଛାତ୍ରଛାତ୍ରୀମାନେ ଏଣେତେଣେ ବୁଲୁଥିବା ଏବଂ ଶିକ୍ଷାଦାନ ଭୁଶୁଡ଼ି ଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ। ତଥାପି ଶିକ୍ଷା ବିଭାଗର ଚେତା ପଶିନଥିଲା। ସେହିଭଳି ବିଦ୍ୟାଳୟକୁ ଶିକ୍ଷକମାନେ ନିଜ ଇଚ୍ଛା ଅନୁସାରେ ଆସୁଥିବା ସରପଞ୍ଚ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ମିଶ୍ରଙ୍କୁ ପଚାରିବାରୁ, ଆମେ ଠିକ୍ରେ ବିଦ୍ୟାଳୟକୁ ଯାଉଛୁ, କେତେବେଳେ କେମିତି ଯାଇ ପାରୁନୁ ବୋଲି କହିଛନ୍ତି। ବ୍ଲକ୍ ମଙ୍ଗଳ ଅଧିକାରୀ ମଳୟ ରଂଜନ ଚିନ୍ନରାଙ୍କୁ ଫୋନ୍ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/school-nayagarh-f.jpg)