ବ୍ରହ୍ମପୁର/ଧରାକୋଟ : ନିଯୁକ୍ତି ବେଳେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ୪ଜଣ କନିଷ୍ଠ ଶିକ୍ଷକ ଯାଞ୍ଚ ବେଳେ ଧରାପଡ଼ିଛନ୍ତି। ଯୁଗ୍ମ ତଦନ୍ତରୁ ଏହା ଜଣାପଡ଼ିବା ପରେ ଜିଲ୍ଲାପାଳ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଆଉ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ଓ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ହେଲା ଜିଲ୍ଲାରେ ବିଭିନ୍ନ ବର୍ଗରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ତେବେ ଧରାକୋଟ ବ୍ଲକର ୪ଜଣ ଶିକ୍ଷକ ଯଥା ନୂଆସାହି ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକ, ବରଡ଼ାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଅମରେଶ ପଣ୍ଡା ଏବଂ ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନାରାୟଣ ବେହେରାଙ୍କ ପ୍ରମାଣପତ୍ର ଯାଞ୍ଚ ସମୟରେ ଜାଲ ବୋଲି ଜଣାପଡ଼ିଥିଲା।
ଗତ ୧ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ୪ଶିକ୍ଷକ ଦାଖଲ କରିଥିବା ସମସ୍ତ ପ୍ରମାଣପତ୍ର ଓ ମାର୍କସିଟ୍ ପୁନଃ ଯାଞ୍ଚ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାହାକଙ୍କ ବିରୋଧରେ ଓସିଏସ୍(ସିସି ଆଣ୍ଡ ଏ) ରୁଲସ୍ ୧୯୬୨ ଧାରା ୧୫ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ରହିଛି। ଅନ୍ୟ ୩ କନିଷ୍ଠ ଶିକ୍ଷକଙ୍କ ବିରୋଧରେ ଆଇନ ଅନୁଯାୟୀ ସେମାନଙ୍କ ନିଯୁକ୍ତି ରଦ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅନ୍ୟପକ୍ଷରେ ୪ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ୨୩ଟି ବ୍ଲକରେ ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/teachers-ff.jpg)