ହାଇସ୍କୁଲରେ ଏମିତି ଚାଲିଛି ଧନ୍ଦାମୂଳକ ଶିକ୍ଷା, ଶିକ୍ଷକଙ୍କୁ ମିଳିନି ୬ ମାସର ଦରମା

୫ ବର୍ଷ ହେଲା ବଢ଼ିନି ଦରମା, ଚିନ୍ତାରେ ୧୨୦୦ ଶିକ୍ଷକ

ଭୁବନେଶ୍ବର: ୨୦୧୬ ଡିସେମ୍ବରରୁ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୦୮ ହାଇସ୍କୁଲ ତଥା ଉଚ୍ଚବିଦ୍ୟାଳୟରେ ଖୋଲିଥିବା ଏହି ପାଠ୍ୟକ୍ରମ ଏବେ ପ୍ରାୟ ହାଇସ୍କୁଲରେ ପହଞ୍ଚିଲାଣି। ବହୁ ପରିମାଣର ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉଥିବାରୁ ସଂସ୍କୃତ ଓ ହିନ୍ଦୀ ବିଷୟ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଛି। କେତେକ ହାଇସ୍କୁଲରେ ପିଲାମାନେ ସଂସ୍କୃତ ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ମଧ୍ୟ ନଜରକୁ ଆସିଛି। ତେଣୁ ସଫଳତା ପରେ ବି ଧନ୍ଦାମୂଳକ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଚିତ ନ୍ୟାୟ ମିଳି ପାରୁନାହିଁ। ୫ବର୍ଷ ହେଲା ସେମାନଙ୍କର ଦରମା ବଢ଼ି ନଥିବା ବେଳେ ଏବେ ନିୟମିତ ଦରମା ମିଳୁନାହିଁ। ପ୍ରାୟ ୧୨୦୦ରୁ ଅଧିକ ଶିକ୍ଷକ ଗତ ଜାନୁଆରି ମାସରୁ ଆଦୌ ଦରମା ପାଇ ନ ଥିବାରୁ ସେମାନଙ୍କ ମାନସିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି। ଗୋଟିଏ ପଟେ ରାଜ୍ୟ ସରକାର ଅନ୍ୟ ଶିକ୍ଷକଙ୍କୁ ଠିକ୍‌ ସମୟରେ ଦରମା ଦେଉଥିବା ବେଳେ ଏମାନଙ୍କ ପ୍ରତି କାହିଁକି ପାନ୍ତରଅନ୍ତର କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟର ପ୍ରାୟ ହଜାରେ ବିଦ୍ୟାଳୟରେ ୮ରୁ ଅଧିକ ଟ୍ରେଡ୍‌ରେ ଶିକ୍ଷା ଦିଆଯାଉଛି। ପ୍ରତି ବିଦ୍ୟାଳୟରେ ଦୁଇଟି ଟ୍ରେଡ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ତାହାକୁ ହିସାବକୁ ନେଲେ ୧୮୦୦ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପଢ଼ାଉଛନ୍ତି। ଆଇଟି ଆଣ୍ଡ ଆଇଟିଇଏସ୍‌ ବିଷୟ ଅଧିକାଂଶ ବିଦ୍ୟାଳୟରେ ରହିଥିବା ବେଳେ ରିଟେଲ୍‌, ଟୁରିଜିମ୍‌ ଆଣ୍ଡ୍‌ ହସ୍ପିଟାଲିଟି, ପ୍ଲମ୍ବର୍‌, ଏଗ୍ରିକଲଚର, ଇଲେକ୍ଟ୍ରୋନିକ୍‌ ଓ ହାର୍ଡୱେୟାର, ଅଟୋମୋଟିଭ୍‌ ଆଦି ବିଷୟରେ ବି ପିଲାମାନେ ପଢ଼ୁଛନ୍ତି। ପ୍ରତି ଟ୍ରେଡ୍‌ରେ ୩୦ରୁ ୩୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ବତନ୍ତ୍ର ସମୟସାରଣୀ ନିର୍ଧାରଣ କରାଯିବା ସହ ପିଲାଙ୍କୁ ଶିଳ୍ପାୟନ ପରିଦର୍ଶନ, ଅତିଥି ଅଧ୍ୟାପକ ପାଇଁ ବ୍ୟବସ୍ଥା ହୋଇଛି। କରୋନା କାଳରେ କ୍ଲାସରୁମ୍‌ ହେଉ କି ଅନ୍‌ଲାଇନ୍‌ ଶିକ୍ଷା, ସବୁଥିରେ ପିଲାଙ୍କୁ ପଢ଼ାଉଛନ୍ତି। ତା’ ପରେ ବି କେତେକ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ଗତ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି।

ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (ରାମ୍‌ସା) ପକ୍ଷରୁ ଓଡ଼ିଶାରେ ପ୍ରାୟ ୧୬ଟି ଘରୋଇ ସଂସ୍ଥାକୁ ଏହି ପାଠ୍ୟକ୍ରମର ପରିଚାଳନା ଦାୟିତ୍ବ ଦିଆଯାଇଛି। ହେଲେ ସେମାନେ ଠିକ୍‌ ଭାବେ କାର୍ଯ୍ୟ ତୁଲାଉ ନାହାନ୍ତି। ନିର୍ଧାରିତ ସମୟରେ ଦରମା ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ଦୁଇ ବର୍ଷ ହେଲା କେତେବେଳେ ୩ ମାସରେ ଥରେ ତ ଆଉ କେତେବେଳେ ଦୁଇ ମାସରେ ଥରେ ଦରମା ମିଳୁଛି। ଶିକ୍ଷକମାନେ ବିନା ବାଧାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପ୍ରତି କାହିଁକି ଏଭଳି ମନୋଭାବ ପୋଷଣ କରାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୧୬ଟି ସଂସ୍ଥା ମଧ୍ୟରୁ ଏବେ ସୁଦ୍ଧା ୪ଟି ସଂସ୍ଥା ଏପ୍ରିଲ ମାସ ପର୍ଯ୍ୟନ୍ତ ଦରମା ଦେଇଛନ୍ତି। ବାକି ୧୨ଟି ସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଦରମା ମିଳି ପାରିନାହିଁ। ୩ଟି ସଂସ୍ଥା ଡିସେମ୍ବର ମାସ ଯାଏ ଦରମା ଦେଇଛନ୍ତି। ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ଜିଲ୍ଲାରେ ଦାୟିତ୍ବ ନେଇଥିବା ସଂସ୍ଥା ଜାନୁଆରି ମାସ ପର୍ଯ୍ୟନ୍ତ ଦରମା ଦେଇଛି। ଜୁନ୍‌ ସରିବାକୁ ବସିଥିବା ବେଳେ ଦରମା ମିଳୁ ନଥିବାରୁ କରୋନା ଭଳି ଦୁର୍ଦ୍ଦିନ ସମୟରେ ସେମାନେ କିଭଳି ପରିବାର ପରିପୋଷଣ କରିବେ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପାଠ୍ୟକ୍ରମ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥାଠାରୁ ଆରମ୍ଭ କରି ରାମ୍‌ସା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହେଲେଣି। ତା’ ପରେ ବ କେହି ଶୁଣୁନାହାନ୍ତି।

ସମ୍ବନ୍ଧିତ ଖବର