ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀଙ୍କ ସ୍ବାମୀ! ଶିକ୍ଷୟିତ୍ରୀ ନିଲମ୍ବିତ, ସ୍ବାମୀ ଫେରାର୍‌

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଜାଲପାଲି ଗ୍ରାମରେ ଥିବା ୟୁପି ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ସ୍ବାମୀ ଫେରାର୍‌ ହୋଇଯାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜାଲପାଲି ସ୍କୁଲକୁ ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କୁ ନେଇ ତାଙ୍କ ସ୍ବାମୀ ସୌଦାଗର ମେହେର ଆସିଥିଲେ। ସେତେବେଳେ ପ୍ରଧାନ ଶିକ୍ଷକ ପରୀକ୍ଷା ପ୍ରଶ୍ନପତ୍ର ଆଣିବାକୁ ପାଟଣାଗଡ଼ ଆସିଥିଲେ। ଏହାର ସୁଯୋଗ ନେଇ ସୌଦାଗର ମେହେର ଏକ ଶ୍ରେଣୀ ଗୃହରେ ପଶି ଛାତ୍ରଛାତ୍ରୀମାନଙ୍କୁ ଚିତ୍ରାଙ୍କନ କରିବାକୁ କହିଥିଲେ। ଛାତ୍ରଛାତ୍ରୀମାନେ କରି ନ ପାରିବାରୁ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ମାଡ଼ ମାରିଥିଲେ। ମାଡ଼ ଖାଇଥିବା ଛାତ୍ରଛାତ୍ରୀମାନେ ଘରକୁ ଯାଇ ଏ ସଂପର୍କରେ ଜଣାଇଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ଘସିଏନ ସିଏଚ୍‌ସିରେ ଚିକିତ୍ସା କରାଯାଇଥିଲା। ଏହାର ପ୍ରତିବାଦରେ ରାତିରେ ଅବିଭାବକ ଓ ଗ୍ରାମବାସୀ ଲରମ୍ଭା ଥାନାରେ ସୌଦାଗରଙ୍କ ବିରୋଧରେ ଏତଲା ଦେଇଥିଲେ।

ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଘଟଣା ପରଠାରୁ ସୌଦାଗର ଫେରାର୍‌ ହୋଇ ଯାଇଛନ୍ତି। ଶନିବାର ସ୍କୁଲକୁ ଲରମ୍ଭା ଥାନାଧିକାରୀ ପହଞ୍ଚିବା ସମୟରେ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସିଥିଲେ। ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଦେଇଥିବା ଖବର ପାଇ ଡିଇଓଙ୍କ ନିର୍ଦେଶରେ ପାଟଣାଗଡ଼ ଏବିଇଓ ସୁରେଶ ମିଶ୍ର ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍କୁଲର ତାଲା ଖୋଲାଇଥିଲେ। ସନ୍ଧ୍ୟାରେ ଶିକ୍ଷୟିତ୍ରୀ ଲକ୍ଷ୍ମୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ନିଲମ୍ବନ କରାଯାଇଛି ବୋଲି ଏବିଇଓ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର