ବିଧାନସଭା ଅଚଳ କଲେ ବିରୋଧୀ

ଭୁବନେଶ୍ବର : ରାଜଧାନୀରେ ତିନି ଦିନ ହେଲା ଶିକ୍ଷକମାନଙ୍କର ଆନ୍ଦୋଳନ ଜାରି ରହିଛି। ବହୁ ସଂଖ୍ୟାରେ ଶିକ୍ଷକ ଲୋୟର୍‌ ପିଏମ୍‌ଜିରେ ଏକାଠି ହୋଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି। ଆଜି ଏହି ପ୍ରସଙ୍ଗ ବିଧାନସଭାକୁ ଅଚଳ କରିଦେଇଥିଲା। ସରକାର କାହିଁକି ସମାଧାନର ବାଟ ବାହାର କରୁନାହାନ୍ତି ବୋଲି ପ୍ରଶ୍ନ କରି ବିରୋଧୀ ଦଳ ସଭ୍ୟମାନେ ଗୃହରେ ତୀବ୍ର ପ୍ରତିବାଦ କରିଥିଲେ। ସରକାର ପଦକ୍ଷେପ ନନେଲେ ବିଧାନସଭା ଚାଲିବାର ମାନେ କିଛି ନାହିଁ ବୋଲି ରୋକ୍‌ଠୋକ୍ ଜଣାଇ ଦେଇଥିଲେ। ଫଳରେ ମଙ୍ଗଳବାର ଦିନ ଗୃହରେ କୌଣସି କାର୍ଯ୍ୟ ହୋଇ ପାରି ନଥିଲା।

ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ‌ଆସି ‌ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ୧୧ଟା ୩୦ରେ ସମାନ ସ୍ଥିତି ଲାଗି ରହିଥିଲା। ବାଚସ୍ପତି ଗତକାଲି ରୁଲିଂ ଦେବା ସତ୍ତ୍ବେ ସରକାର କାହିଁକି ପଦ‌କ୍ଷେପ ନେଲେନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ।

ବୈଠକ ପରେ ଗୃହରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜଧାନୀରେ ଲକ୍ଷାଧିକ ଶିକ୍ଷକ ଆନ୍ଦୋଳନ ଚଳାଇଛନ୍ତି। ଏବେ ବିଧାନସଭା ଚାଲିଛି। ଆନ୍ଦୋଳନ ଯୋଗୁ ରାଜଧାନୀ‌ରେ ଟ୍ରାଫିକ୍ ସମସ୍ୟା ଗୁରୁତର ହେଲାଣି। ଶିକ୍ଷକଙ୍କ ଅନେକ ଦାବି ଆମ ହିସାବରେ ଯୁକ୍ତିଯୁକ୍ତ। କିନ୍ତୁ ସରକାରଙ୍କ କାନକୁ କଥା ଯାଉନି। ଗତକାଲି ଆମେ ଏ ସମ୍ପର୍କରେ ଧ୍ୟାନ ଆକର୍ଷଣ କରିଥିଲୁ। ସରକାର ଆଲୋଚନା କରିବା ପାଇଁ ଆପଣ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ସରକାର କିଛି କଲେନି। ଧର୍ମକୁ ଆଖି ଠାର ନ୍ୟାୟରେ ଗଣଶିକ୍ଷା ବିଭାଗର ସଚିବ ଶିକ୍ଷକମାନଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସଚିବ ନୂଆ ଆସିଥିବାରୁ ଶିକ୍ଷକଙ୍କ ଦାବି ସମ୍ପର୍କରେ ଜାଣି ନ ଥିବା ପ୍ରତିନିଧିମାନଙ୍କୁ କହିଥି‌ଲେ। ‌ସଚିବ ସିନା ନୂଆ, କିନ୍ତୁ ସରକାର ନୂଆ ନୁହନ୍ତି।

ସରକାରଙ୍କ ପକ୍ଷରୁ ଶିକ୍ଷକ ଆନ୍ଦୋଳନ ସମ୍ପର୍କରେ କେହି ଉତ୍ତର ଦେଇନାହାନ୍ତି। ଆମେ କ’ଣ ଗୃହରେ କାନ୍ଥବାଡ଼କୁ କହୁଛୁ କି? ଏମିତି ଏମାନେ କିଛି କରିବେନି, ବିଧାନସଭା ସରିଯିବ। ସରକାର ତୁରନ୍ତ ଜଣାନ୍ତୁ, ଶିକ୍ଷକଙ୍କ ଦାବି ଓ ସରକାରଙ୍କ ମତ ସମ୍ପର୍କରେ। ଗୃହ ଯଦି ସେଥିରେ ସନ୍ତୁଷ୍ଟ ହୁଏ, ତେବେ ଚାଲିବ। ନଚେତ ଗୃହ ନଚାଲୁ। ବ୍ୟୁରୋକ୍ରାଟ୍‌ମାନେ ଏହି ସମସ୍ୟାର ସମାଧାନ କେବେ କରିବେନି। ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ସେମାନଙ୍କର ଆନ୍ତରିକତା ନାହିଁ। ଯାହା ହେବ, ଏହି ଗୃହରେ ହିଁ ହେବ।ଶ୍ରୀ ମିଶ୍ର ଆହୁରି କହିଲେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଗଲାଣି। ୨୨ ବର୍ଷ ଭିତରେ ଶିକ୍ଷକ ପଦବି ପୂରଣ କରିପାରିଲେନି। ଯେଉଁଠି ଶିକ୍ଷାର ବିକାଶ ହୋଇନି, ସେଠି ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ କେମିତି? କେବଳ ଗୋଟିଏ ଲକ୍ଷ୍ୟ ଗୋଟିଏ ଉପନିର୍ବାଚନରେ କେମିତି ଜିତିବେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସବୁବେଳେ ଗୃହରେ ରହୁଥିଲେ। ବିଭିନ୍ନ ପ୍ରସଙ୍ଗରେ ନିଜ ମତ ଦେଉଥିଲେ। ତାଙ୍କରି ଆଦର୍ଶରେ ଏ ଦଳ ଗଢ଼ା ହୋଇଛି ବୋଲି ଏମାନେ କହୁଛନ୍ତି। କିନ୍ତୁ ଏମିତି ତାଙ୍କ ଆଦର୍ଶକୁ ମାନୁଛନ୍ତି।

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଆନ୍ଦୋଳନକାରୀଙ୍କ ସହ ସରକାର ଆଲୋଚନା କରନ୍ତୁ ବୋଲି କହିଥିଲେ। ସନ୍ତୋଷ ସିଂହ ସାଲୁଜା କହିଥିଲେ, ଦେଶର କୌଣସି ରାଜ୍ୟରେ ଏମିତି ଶିକ୍ଷା ବ୍ୟବସ୍ଥା ନାହିଁ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଶିକ୍ଷକ ଆନ୍ଦୋଳନ ସମ୍ପର୍କରେ ସରକାର ଗୃହରେ କିଛି ତଥ୍ୟ ଦେଉନାହାନ୍ତି। ଶିକ୍ଷା ସଚିବ ଶିକ୍ଷକଙ୍କ ଦାବି ସମ୍ପର୍କରେ ଜାଣି ପାରୁନାହାନ୍ତି। ମନ୍ତ୍ରୀ ନିର୍ବାଚନରେ ବ୍ୟସ୍ତ। ଶିକ୍ଷକମାନେ ସେମାନଙ୍କ ଦାବି ସମ୍ପର୍କରେ ପୂର୍ବରୁ ସମସ୍ତଙ୍କୁ ଜଣାଇଛନ୍ତି। ସରକାର ଏବେ ଜାଣିପାରୁ ନାହାନ୍ତି ବୋଲି କହୁଛନ୍ତି। ଅଧିକ ସମୟ ଶାସନରେ ରହିଲେ ଗର୍ବ ଓ ଅହଙ୍କାର ଆସିଯାଏ। ଭଗବାନ ଏ ଅହଙ୍କାରକୁ ସହିବେନି। ବିଜେପି ବିଧାୟକ ଭାସ୍କର ମଢ଼େଇ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।

ଶାସକ ଦଳ ସଭ୍ୟ ଅମର ଶତପଥୀ କହିଲେ, ଶିକ୍ଷକମାନଙ୍କ ସହ ଆଲୋଚନା ଜାରି ରହିଛି। ଶିକ୍ଷକ ଆନ୍ଦୋଳନରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ ନ ହେଉ। ଉଦ୍ଦେଶ୍ୟମୂଳକ ଭାବେ ଗୃହକୁ ବନ୍ଦ କରିବା ଠିକ ନୁହେଁ। ଶିକ୍ଷକମାନଙ୍କ ସମସ୍ୟା ସହ ରାଜ୍ୟର ଅନ୍ୟ ସମସ୍ୟା ଉପରେ ଏଠାରେ ବିତର୍କ ହେଉ।

ବିରୋଧୀ ଦଳଙ୍କ ଦାବି ପରେ ସରକାରଙ୍କୁ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖି କହିଥିଲେ, ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ସରକାର ସଚେତନ ଅଛନ୍ତି। ଗଣଶିକ୍ଷା ବିଭାଗର ସଚିବ ଶିକ୍ଷକଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। କିଛି ଦାବି ପୂରଣ ପାଇଁ ଆନ୍ତଃ ବିଭାଗୀୟ ସ୍ତରରେ ବୈଠକର ଆବଶ୍ୟକତା ରହିଛି। ସେ ନେଇ ମଧ୍ୟ ସରକାର ପଦ‌କ୍ଷେପ ନେଉଛନ୍ତି। ଆଲୋଚନା ପାଇଁ ସରକାରଙ୍କ ଦ୍ବାର ଖୋଲା ଅଛି।

ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସରକାର କିଛି ପଦକ୍ଷେପ ନେଇନାହାନ୍ତି ବୋଲି ଆରୋପ ଲଗାଇ ନାରାବାଜି କରିଥିଲେ। ବାଚସ୍ପତି କହିଥିଲେ, ‘ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ। ଆଲୋଚନା ଜାରି ରହିଛି। ତେଣୁ ଆପଣମାନେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ।’ କିନ୍ତୁ ବିରୋଧୀ ଦଳର ସଭ୍ୟମାନେ ଶାନ୍ତ ହୋଇ ନଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୪ଟା ବେଳେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା ଜାରି ରଖିଲେ। ଫଳରେ ବାଚସ୍ପତି ୪ଟା ୧୫ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସମ୍ବନ୍ଧିତ ଖବର