ମାର୍ଚ୍ଚ ୨୬ରେ ପୁଣିଥରେ ମହାସମାବେଶ

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି

ଭୁବନେଶ୍ୱର : ପୁଣିଥରେ ମହାସମାବେଶ କରିବେ ବ୍ଲକଗ୍ରାଣ୍ଟ ଶିକ୍ଷକ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵାନ କ୍ରମେ ମାର୍ଚ୍ଚ ୨୬ରେ ବିଧାନସଭା ସମ୍ମୁଖରେ ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏକାଠି ହୋଇ ସଂକଳ୍ପ ନେବେ। ଓଡ଼ିଶାରୁ ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ, ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଆଣିବା ଯାଏ ଏହି ଅସହଯୋଗ ଚାଲିବ। ଶିକ୍ଷକମାନେ କୌଣସି ପ୍ରକାର ସତ୍ୟପାଠ ଦେବେ ନାହିଁ ବୋଲି ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା, ଗୋଲକ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଗତ ୩ ଦିନ ପରି ଆଜି ମଧ୍ୟ ମାଟ୍ରିକ୍‌ ଖାତା ମୂଲ୍ୟାୟନ ବର୍ଜନ କରିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ। ୫୭ଟି ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣା ଜାରି ରଖିଥିବାରୁ କିଛି ସ୍ଥାନରେ ଖାତାଦେଖା ବାଧାପ୍ରାପ୍ତ ହୋଇଛି। ଏବେ ବି ୪୦ ପ୍ରତିଶତ ଶିକ୍ଷକ ଖାତା ଦେଖିବାକୁ ଆସି ନ ଥିବା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଶିକ୍ଷକ ନେତାମାନେ କହିଛନ୍ତି ଯେ ଗତ ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ କୁତ୍ସିତ ବ୍ଲକ୍‌ଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରାଗଲା। ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପାଇବେ। ଏହାପରେ ଯେଉଁ ଗେଜେଟ ପ୍ରକାଶ ପାଇଲା ସେଥିରେ ୪୦, ୬୦, ୭୫ ପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ଶିକ୍ଷକ, କର୍ମଚାରୀଙ୍କୁ ବାଦ୍‌ ଦିଆଗଲା। ଅନୁଦାନ ପାଇବାକୁ ଥିବା ସ୍କୁଲ ଓ କଲେଜ ସମ୍ପର୍କରେ କିଛି ବି ନିଷ୍ପତ୍ତି ନିଆଗଲା ନାହିଁ। ଏଥିରେ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ରାଜ୍ୟ ସରକାର ମିଳିତ ମଞ୍ଚକୁ ଭାଙ୍ଗିବା ଲାଗି ଚକ୍ରାନ୍ତ କରୁଛନ୍ତି। ଏଥିସହ ସତ୍ୟପାଠ ଦାଖଲ ନିୟମ ବି କରାଗଲା। ଯେଉଁ ସତ୍ୟପାଠ ମାଧ୍ୟମରେ ଶିକ୍ଷକମାନେ ହାତ କାଟି ଲେଖିଦେବେ ଯେ ସେମାନଙ୍କ ଉପରେ ଯେତେ ଅନ୍ୟାୟ ହେଲେ ମଧ୍ୟ କୋର୍ଟକୁ ଯିବେ ନାହିଁ କି ମାମଲା କରିବେ ନାହିଁ। ଶିକ୍ଷକମାନଙ୍କ ଲାଗି ଯଦି ଏଭଳି ନିୟମ କରାଯାଇଛି ତେବେ ସରକାରୀ ଅଧିକାରୀମାନେ ସରକାରଙ୍କୁ କି ପ୍ରକାର ସତ୍ୟପାଠ ଦେଇଛନ୍ତି ତାହା ପ୍ରକାଶ କରନ୍ତୁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଆଉ ବିଳମ୍ବ ନ କରି ଶିକ୍ଷକମାନଙ୍କ ୬ ଦଫା ଦାବି ପୂରଣ କରନ୍ତୁ। ନ ହେଲେ ପରିସ୍ଥିତି ଭୟଙ୍କର ହେବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର