ଶିକ୍ଷକଙ୍କୁ ବୁଝାଇବାରେ ସରକାର ବିଫଳ

୧୯ରେ ପୁଣିଥରେ ଶିକ୍ଷକଙ୍କ ମହାସମାବେଶ

ମାଟ୍ରିକ୍‌ ପରୀକ୍ଷା ପରିଚାଳନା ନେଇ ଘାରିଲା ଚିନ୍ତା

ଭୁବନେଶ୍ୱର : ଶିକ୍ଷକ ଆନ୍ଦୋଳନ ଭାଙ୍ଗିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଉଦ୍ୟମ ଆଜି ବିଫଳ ହୋଇଛି। ଆସନ୍ତା ୧୯ ତାରିଖରେ ସ୍କୁଲ, କଲେଜ ଶିକ୍ଷକମାନେ ପୁଣିଥରେ ମହାସମାବେଶ କରିବା ଲାଗି ଘୋଷଣା କରିବାର ଦୁଇ ଘଣ୍ଟା ପରେ ସନ୍ଧ୍ୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା। ଏଥିରେ ବିଭାଗୀୟ ଶାସନ ସଚିବ, ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଏକ ପ୍ରତିନିଧିଦଳ ସହ ଆଲୋଚନା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଶିକ୍ଷକଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି।

ବୈଠକରେ ସରକାରୀ ଅଧିକାରୀମାନେ କହିଥିଲେ ଯେ ଯେଉଁ ଅନୁଦାନ ଆଇନ ଘୋଷଣା ହୋଇଛି ତାହା କେବଳ ବର୍ଦ୍ଧିତ ବ୍ଲକଗ୍ରାଣ୍ଟ। ପୂର୍ଣ୍ଣ ଅନୁଦାନ ଆଇନ ସମ୍ପର୍କରେ କୌଣସି ସୂଚନା ନାହିଁ। ମାର୍ଚ୍ଚ ୯ ପୂର୍ବରୁ ଶିକ୍ଷକଙ୍କ ସମସ୍ୟାର ସମାଧାନ କରିବା ସମ୍ଭବପର ନୁହେଁ। ବିଜେପୁର ଉପନିର୍ବାଚନ ପରେ ବିଜ୍ଞପ୍ତିି ପ୍ରକାଶ କରାଯିବ। ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ମିଳିତ ମଞ୍ଚର ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଥିଲା। ଏଭଳି ଅଲିଖିତ ପ୍ରତିଶ୍ରୁତିକୁ ପ୍ରତ୍ୟାଖାନ କରି ମିଳିତ ମଞ୍ଚ କହିଛି ଯେ ସରକାର ପୂର୍ଣ୍ଣ ଅନୁଦାନ ଆଇନ ନ ଆଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।

ଗତ ୯ ତାରିଖରେ ରାଜ୍ୟ ସରକାରଙ୍କ ସହ ମିଳିତ ମଞ୍ଚ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଥିଲା। ଦାବି ପୂରଣ ତଥା ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୭ ଦିନ ସମୟ ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅବଧି ଆଜି ଶେଷ ହୋଇଥିଲେ ମଧ୍ୟ ୭ଦଫା ଦାବି ମଧ୍ୟରୁ କୌଣସି ଗୋଟିଏ ହେଲେ ବି ସମାଧାନ ହୋଇ ନାହିଁ। ବରଂ ଶିକ୍ଷକଙ୍କ ଲାଗି ସତ୍ୟପାଠ ବାଧ୍ୟତାମୂଳକ ନୁହେଁ ବୋଲି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ମିଳିତ ମଞ୍ଚ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କୁହାଯାଇଥିଲେ ମଧ୍ୟ ସେଥିରେ କୌଣସି ମନ୍ତ୍ରୀ କିମ୍ବା ସଚିବଙ୍କ ଦସ୍ତଖତ ରହି ନ ଥିଲା। କୌଣସି ଅଧିକାରୀଙ୍କ ପ୍ୟାଡ୍‌ରେ ବି ତାହା ଉଲ୍ଲେଖ ନ ଥିଲା। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଶିକ୍ଷକଙ୍କୁ ଭଣ୍ଡାଇବାକୁ ଏହା ଏକ ଚାଲ୍‌ ରହିଥିଲା ବୋଲି ମଞ୍ଚ କହିଛି।

ଅପରାହ୍ନରେ ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରି ୧୯ରେ ହେବାକୁ ଥିବା ମହାସମାବେଶରେ ୬୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଏକାଠି ହେବେ। ଏଥିରେ ବୁଦ୍ଧିଜୀବୀ, କର୍ମଚାରୀ ସଙ୍ଗଠନ, ଛାତ୍ର ସଙ୍ଗଠନ, ଅନ୍ୟ ସମସ୍ତ ଶିକ୍ଷକ ସଙ୍ଗଠନ, ଶ୍ରମିକ ସଙ୍ଗଠନ, ଗଣମାଧ୍ୟମ ଓ ଗଣ ସଙ୍ଗଠନର ପ୍ରତିନିଧି ଯୋଗଦେବେ। ଯଦି ଚାକିରି ସର୍ତ୍ତାବଳୀ ସହ ସବୁ ସ୍କୁଲ କଲେଜକୁ ଶତ ପ୍ରତିଶତ ଅନୁଦାନ ଘୋଷଣା କରା ନ ଯାଏ, ସତ୍ୟପାଠର ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ନ କରନ୍ତି, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରା ନ ଯାଏ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ନ ଦିଅନ୍ତି ତେବେ ମାଟ୍ରିକ୍‌ ପରୀକ୍ଷା ବର୍ଜନ କରାଯିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଥିଲେ।

ଅନ୍ୟପକ୍ଷରେ ଶିକ୍ଷକଙ୍କ ଆନ୍ଦୋଳନକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଆଗକୁ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏବେ ତାହାକୁ ନେଇ ସମସ୍ୟା ଉପୁଜିଛି। ଚିନ୍ତାରେ ପଡ଼ିଛନ୍ତି ଗଣଶିକ୍ଷା ବିଭାଗର ଅଧିକାରୀ। କିଭଳି ଭାବେ ପରୀକ୍ଷା ପରିଚାଳନା କରିବେ ତାହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ସମସ୍ତେ। ଗତକାଲି ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫେରେନ୍ସିଂ କରୁଥିବା ସମୟରେ ଏ ନେଇ ବି ମତପ୍ରକାଶ ପାଇଥିଲା। ପରୀକ୍ଷା ସମୟରେ ସମସ୍ୟା ଉପୁଜିପାରେ ବୋଲି ଅଧିକାରୀମାନେ କହିଥିଲେ।

ସମ୍ବନ୍ଧିତ ଖବର