ଭୁବନେଶ୍ବର: ଆଲୋଚନା ବିଫଳ ପରେ ବୁଝାଇଲେ। ତା’ପରେ ନାଲିଆଖି। କାର୍ଯ୍ୟାନୁଷ୍ଠାନ ଭୟ ବି ଦେଖାଇଲେ। ସମସ୍ତ ଉଦ୍ୟମ ବିଫଳ ହେବା ପରେ ଏବେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ୩ଟି ବଡ଼ ପ୍ରାଥମିକ ଶିକ୍ଷକ ସଂଘ ଏକାଠି ହୋଇ ସରକାରଙ୍କ ଉପରେ ଚାପ ପକାଉଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସବୁଠି ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ସଂଘ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ରାତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଶିକ୍ଷକମାନେ ଦାୟିତ୍ୱରୁ ଓହରିନାହାନ୍ତି। ସ୍କୁଲରେ ରହି ନିଜର ଦାୟିତ୍ୱ ତୁଲାଉଛନ୍ତି। ସେମାନେ ଗୁରୁ ଦାୟିତ୍ବ ଭୁଲିନାହାନ୍ତି।
ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ରାଜ୍ୟରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନରେ ଲେପ୍ଟ ଆଉଟ୍ ଗଣ ଶିକ୍ଷକ, ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଓ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର) ମହାସଂଘ ସାମିଲ ହୋଇନାହାନ୍ତି। ସଂଘର ସଦସ୍ୟମାନେ ସମୂହ ଛୁଟିରେ ନଯାଇ ବିଦ୍ୟାଳୟରେ ନିଜ ଦାୟିତ୍ୱ ତୁଲାଉଛନ୍ତି। ଲେଫ୍ଟଆଉଟ୍ ଗଣଶିକ୍ଷକ ସଂଘର ସଭାପତି ରାଜକିଶୋର ତ୍ରିପାଠୀ ଆଜି ଗଣଶିକ୍ଷା ବିଭାଗ ସଚିବଙ୍କୁ ଆଜି ପତ୍ର ଲେଖି କହିଛନ୍ତି ସବ୍-କମିଟି ମାଧ୍ୟମରେ ଆଲୋଚନା ହୋଇଥିବାରୁ ଦାବିଗୁଡ଼ିକ ପୂରଣ ହେବ ବୋଲି ଆମେ ଆଶାବାଦୀ। ତେଣୁ ଆମ ସଂଘ ଧାରଣାରେ ଯୋଗଦେଇ ନାହିଁ। ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ ମଧ୍ୟ ଚିଠି ଲେଖି ୫ ଦଫା ଦାବି ପୂରଣ ନେଇ ଏକ୍ସ-କ୍ୟାଡର ଶିକ୍ଷକମାନେ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣା ଦେଉଛନ୍ତି। ମିଳିତ ଶିକ୍ଷକ ମଞ୍ଚ କରୁଥିବା ଆନ୍ଦୋଳନ ଓ ସମୂହ ଛୁଟିକୁ ଆମେ ସମର୍ଥନ ନ କରି ବିଦ୍ୟାଳୟ ପରିଚାଳନା କରୁଛୁ। ସେହିପରି ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶିକ୍ଷକମାନେ ଛୁଟିରେ ନ ରହି ନିଜ ଦାୟିତ୍ୱ ତୁଲାଉଥିବା କହିଛନ୍ତି।
ଗୋଟିଏ ପଟେ ୩ ଦଫା ଦାବି ନେଇ ଅଲ୍ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବ୍ୟାନରରେ ରାଜ୍ୟର ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟ ବନ୍ଦ କରିଛନ୍ତି। ରାଜ୍ୟବ୍ୟାପୀ ଧାରଣାରେ ବସିଥିବାବେଳେ ଉକ୍ତ ୩ଟି ଶିକ୍ଷକ ସଂଘ ନିଜ ଆଡ଼ୁ ସରକାରଙ୍କୁ କାହିଁକି ଚିଠି ଲେଖିଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ୩ଟି ଶିକ୍ଷକ ସଂଘକୁ ଚିଠି ଲେଖିବା ପାଇଁ ରାଜ୍ୟ ସରକାର ପ୍ରବର୍ତ୍ତାଇଛନ୍ତି ନା ସେମାନେ ବାସ୍ତବରେ ନିଜର ସହଯୋଗୀ(ଶିକ୍ଷକମାନେ)ମାନଙ୍କ ଦାବିକୁ ଅଯୁକ୍ତିକର ବୋଲି ଭାବି ସମର୍ଥନ ଦେଉନାହାନ୍ତି ତାହା ଜଣାପଡ଼ି ନାହିଁ। କାରଣ ଏସମ୍ପର୍କରେ ସମ୍ପୃକ୍ତ ଶିକ୍ଷକ ସଂଘ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନାହିଁ। ପ୍ରାଥମିକ ଶିକ୍ଷକ ନିଜର ହକ୍ ପାଇଁ ଆନ୍ଦୋଳନ ଜାରି ରଖିଥିବାବେଳେ ଉକ୍ତ ତିନି ଶିକ୍ଷକ ସଂଘ ସେମାନଙ୍କର ସହଯୋଗୀଙ୍କୁ ବିରୋଧ କରିବା ପରି ଆଚରଣ ପ୍ରଦର୍ଶନ କରିବା ପଛରେ ରାଜ୍ୟ ସରକାରଙ୍କ ସନ୍ଦେହଜନକ ଭୂମିକାକୁ ନେଇ ଚର୍ଚ୍ଚା ହେଉଛି।
ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି।
ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନଙ୍କ ନିକଟରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପହଞ୍ଚି ଆଜି ସମର୍ଥନ ଜଣାଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାୟଗଡ଼ା ଗସ୍ତରେ ଯାଇଥିବାବେଳେ ଶିକ୍ଷକଙ୍କ ୩ ଦଫା ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଶିକ୍ଷକ ଆନ୍ଦୋଳନ ଯୋଗୁଁ ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଥିବାବେଳେ ବିଭାଗୀୟ ମନ୍ତ୍ରୀଙ୍କ ନୀରବତାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କରିଛନ୍ତି ଅଲ ଓଡ଼ିଶା ଷ୍ଟୁଡେଣ୍ଟ ଭଏସର ସଦସ୍ୟ। ଶିକ୍ଷକଙ୍କ ଦାବି ତୁରନ୍ତ ପୂରଣ କରିବା ସହ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବା ଦାବିରେ ମନ୍ତ୍ରୀଙ୍କ ବାସଭବନ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ତେବେ କେବଳ ପ୍ରାଥମିକ ଶିକ୍ଷକଙ୍କ ଧାରଣା ନୁହେଁ ହାଇସ୍କୁଲ ଶିକ୍ଷକମାନେ ମଧ୍ୟ ଆନ୍ଦୋଳନ କରିବାକୁ ସଜବାଜ ହେବା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି।
ସୂଚନାଯୋଗ୍ୟ, ଗ୍ରେଡ୍ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ଦାବିରେ ସେପ୍ଟେମ୍ବର ୮ତାରିଖରୁ ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।