ଭୁବନେଶ୍ବର: ମାସେ କି ଦୁଇ ମାସ ନୁହେଁ। ଲଗାତାର ୬ ମାସ ହେଲା ବିନା ଦରମାରେ କାମ କରୁଛନ୍ତି ହାଇସ୍କୁଲର ଧନ୍ଦାମୂଳକ ଶିକ୍ଷକ। ଗୋଟିଏ ପଟେ ରାଜ୍ୟ ସରକାର ଅନ୍ୟ ଶିକ୍ଷକଙ୍କୁ ଠିକ୍ ସମୟରେ ଦରମା ଦେଉଥିବା ବେଳେ ଏମାନଙ୍କ ପ୍ରତି କାହିଁକି ପାନ୍ତରଅନ୍ତର କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଜୁଲାଇ ମାସରେ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓସେପା) ନିର୍ଦେଶ ପରେ ମଧ୍ୟ ସଂସ୍ଥାଗୁଡ଼ିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦରମା ଦେଉ ନ ଥିବା ଅଭିଯୋଗ ହୋଇଛି। କେବଳ ହାଇସ୍କୁଲର ଧନ୍ଦାମୂଳକ ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ବରଂ ୬୬୨ ବର୍ଗ କଲେଜ ଅଧ୍ୟାପକ ମଧ୍ୟ ୩ ମାସ ହେଲା ଦରମା ପାଇନାହାନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ସ୍ବଚ୍ଛତା କଥା କହୁଥିବା ବେଳେ ଅନ୍ୟପଟେ ଦରମା ଦେବାରେ କାହିଁକି ବିଳମ୍ବ ହେଉଛି ସେନେଇ ଶିକ୍ଷକ ସଙ୍ଗଠନଗୁଡ଼ିକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ରାଜ୍ୟର ପ୍ରାୟ ହଜାରେ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ୮ରୁ ଅଧିକ ଟ୍ରେଡ୍ରେ ଶିକ୍ଷା ଦିଆଯାଉଛି। ପ୍ରତି ବିଦ୍ୟାଳୟରେ ଦୁଇଟି ଟ୍ରେଡ୍ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ହେଉଛି। ତାହାକୁ ହିସାବକୁ ନେଲେ ୧୮୦୦ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ଧନ୍ଦାମୂଳକ ଶିକ୍ଷା ପଢ଼ାଉଛନ୍ତି। ଆଇଟି ଆଣ୍ଡ ଆଇଟିଇଏସ୍ ବିଷୟ ଅଧିକାଂଶ ବିଦ୍ୟାଳୟରେ ରହିଥିବା ବେଳେ ରିଟେଲ୍, ଟୁରିଜିମ୍ ଆଣ୍ଡ୍ ହସ୍ପିଟାଲିଟି, ପ୍ଲମ୍ବର୍, ଏଗ୍ରିକଲଚର, ଇଲେକ୍ଟ୍ରୋନିକ୍ ଓ ହାର୍ଡୱେର, ଅଟୋମୋଟିଭ୍ ଆଦି ବିଷୟରେ ବି ପିଲାମାନେ ପଢ଼ୁଛନ୍ତି। ପ୍ରତି ଟ୍ରେଡ୍ରେ ୩୦ରୁ ୩୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ବତନ୍ତ୍ର ସମୟସାରଣୀ ନିର୍ଧାରଣ କରାଯିବା ସହ ପିଲାଙ୍କୁ ଶିଳ୍ପାୟନ ପରିଦର୍ଶନ, ଅତିଥି ଅଧ୍ୟାପକ ପାଇଁ ବ୍ୟବସ୍ଥା ହୋଇଛି। ଏପ୍ରିଲରେ କରୋନା କଟକଣା କାଳରେ ପିଲାଙ୍କୁ ଅନ୍ଲାଇନ୍ରେ ପଢ଼ାଯାଉଥିଲା। ପରବର୍ତୀ ସମୟରେ ସ୍କୁଲ ଖୋଲିବା ପରେ କ୍ଲାସରୁମ୍ ଶିକ୍ଷାଦାନ ଚାଲିଛି। ମାତ୍ର କେତେକ ଜିଲ୍ଲାର ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମେ’ ମାସଠାରୁ ଏପର୍ଯ୍ୟନ୍ତ ଦରମା ମିଳିନାହିଁ। ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ରାମ୍ସା) ପକ୍ଷରୁ ଓଡ଼ିଶାରେ ପ୍ରାୟ ୧୬ଟି ଘରୋଇ ସଂସ୍ଥାକୁ ଏହି ପାଠ୍ୟକ୍ରମର ପରିଚାଳନା ଦାୟିତ୍ବ ଦିଆଯାଇଛି। ସେଥିମଧ୍ୟରୁ କେତେକ ସଂସ୍ଥା ଠିକ୍ ସମୟରେ କାର୍ଯ୍ୟ ତୁଲାଉ ନାହାନ୍ତି। ଅଢ଼େଇ ବର୍ଷ ହେଲା କେତେବେଳେ ୫ ମାସରେ ଥରେ ତ ଆଉ କେତେବେଳେ ଦୁଇ ମାସରେ ଥରେ ଦରମା ଦେଉଛନ୍ତି। ଯାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ ୬୬୨ ବର୍ଗ ଯୁକ୍ତ୩ କଲେଜଗୁଡ଼ିକରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାଙ୍କୁ ତିନି ମାସ ହେଲା ଦରମା ଦିଆଯାଇ ନାହିଁ। ଯେଉଁଥିପାଇଁ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ଏବେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିଛନ୍ତି। ସେମାନେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗରେ ଏବେ ଏକ ଅଜବ ରାଜୁତି ଚାଲିଛି। ଯାହାକୁ ପଚାରିଲେ ସମସ୍ତେ ନିରବ। ଦିନ ଥିଲା ଯୁକ୍ତ୨ ଓ ଯୁକ୍ତ୩ କଲେଜ ଅଧ୍ୟାପକଙ୍କ ଦରମା ଉଚ୍ଚଶିକ୍ଷା ନିର୍ଦେଶାଳୟରୁ ନ କହିବା ପୂର୍ବରୁ ମିଳି ଯାଉଥିଲା। ମାତ୍ର ଏବେ ଯୁକ୍ତ୨ ଓ ଯୁକ୍ତ୩ ଅଲଗା ହୋଇଥିଲେ ମଧ୍ୟ ତାହା ଠିକ ସମୟରେ ମିଳୁ ନାହିଁ। ଯୁକ୍ତ୨ ନିର୍ଦେଶାଳୟ ଉପଯୁକ୍ତ ସମୟରେ ମାସିକ ଦରମା ପ୍ରଦାନ କରୁଥିବା ବେଳେ ଯୁକ୍ତ୩ ନିର୍ଦେଶାଳୟର ଅହେତୁକ ବିଳମ୍ବ ସମସ୍ତଙ୍କୁ ବ୍ୟଥିତ କରିଛି। ଅଧ୍ୟାପକ ସଂଘଗୁଡ଼ିକର ଫୋନ୍ କଲ ପାଇ ଅଧିକାରୀମାନେ ଉତ୍ତର ଦେବାକୁ ଅକ୍ଷମ ହେଲିଣି। ଏହି କଥାକୁ ନେଇ ଆଉ କ’ଣ ଆନ୍ଦୋଳନ କରିବାକୁ ହେବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।