ଆଗକୁ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା : ଅସହଯୋଗ କରିବାକୁ ଶିକ୍ଷକଙ୍କ ଧମକ
ବିଧାନସଭା ସମ୍ମୁଖରେ ଓଷ୍ଟାର ବିକ୍ଷୋଭ, ୮ରେ ସମୂହ ଆତ୍ମାହୁତି ଦେବେ ଅଧ୍ୟାପକ
ଭୁବନେଶ୍ୱର : ମୁଣ୍ଡ ଉପରେ ପରୀକ୍ଷା। ଫେବ୍ରୁଆରି ୨୨ରୁ ମାଟ୍ରିକ୍ ଓ ଏହାର କିଛି ଦିନ ପରେ ମାର୍ଚ୍ଚ ୬ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ଏତେ କମ୍ ସମୟ ବାକି ଥିବା ବେଳେ ଦାନା ବାନ୍ଧିଲାଣି ଶିକ୍ଷକ ଆନ୍ଦୋଳନ। ପୁରୁଣା ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆଜି ରାଜରାସ୍ତାକୁ ଓହ୍ଲାଇବା ସହ ଶିକ୍ଷକ ଓ କର୍ମଚାରୀ ବିଧାନସଭା ସମ୍ମୁଖରେ ରଣହୁଙ୍କାର ଦେଇଛନ୍ତି। ଆଗକୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ବର୍ଜନ ସହ ସାଧାରଣ ନିର୍ବାଚନରେ ଅସହଯୋଗ କରିବାକୁ ସଙ୍ଗଠନର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଚେତାବନୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ପୂର୍ଣ୍ଣ ଅନୁଦାନ ପାଉଥିବା ୬୪୮ଟି ବିଦ୍ୟାଳୟକୁ ସରକାରୀକରଣ କରିବା ପାଇଁ ୨୪ବର୍ଷ ହେଲା ଦାବି ହେଉଛି। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଫାଇଲ୍ ରହିଛି ତ କେତେବେଳେ ଅର୍ଥ ବିଭାଗକୁ ମଞ୍ଜୁରି ପାଇଁ ଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ହେଲେ ଦାବି ପୂରଣ ହେଉନି। ଶିକ୍ଷକ ଅବସର ନେଉଥିବାରୁ ବହୁ ବିଦ୍ୟାଳୟ ବନ୍ଦ ହେବାକୁ ବସିଲାଣି। ୧୪ବର୍ଷ ଧରି ଆନ୍ଦୋଳନ କରିବା ପରେ ବ୍ଲକଗ୍ରାଣ୍ଟ ପରି ଭଳି କୁତ୍ସିତ ପ୍ରଥାର ନାମ ପରିବର୍ତ୍ତନ କରାଯାଇ ନୂତନ ଅନୁଦାନ ନିୟମ କଲେ। କିନ୍ତୁ ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ଲାଗୁ କରାଯାଉ ନାହିଁ। ସମସ୍ତଙ୍କ ପାଇଁ ସପ୍ତମ ବେତନ କମିସନ ଲାଗୁ କରିଥିଲେ ମଧ୍ୟ ସେଥିରେ ଟାଳଟୁଳ ନୀତି ରହିଛି। ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୧୭୭ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ଦେବେ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ ତାହା ମଧ୍ୟ କାର୍ଯ୍ୟକାରୀ ହେଉନି। ୮୦ ପ୍ରତିଶତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି। ୩ ବର୍ଷ ହେଲା ପଦୋନ୍ନତି ହେଉନି। ଆରଏସିପି ଲାଗୁ କ୍ଷେତ୍ରରେ ସରକାର ଜାଣିଶୁଣି କେଁ ପୂରାଉଛନ୍ତି। ଫଳରେ ଅବସର ନେଇଯାଇଥିବା ବହୁ ଶିକ୍ଷକ ପେନସନ୍ ନ ପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଥର ଯଦି ସରକାର ହେୟଜ୍ଞାନ କରିବେ, ସବୁ କ୍ଷେତ୍ରରେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଓଷ୍ଟାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଅଶୋକ କୁମାର ମହାପାତ୍ର, ଅକ୍ଷୟ କୁମାର ହୋତା କହିଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ଅଧ୍ୟାପକ ଓ କର୍ମଚାରୀମାନେ ଆତ୍ମାହୁତି ଧମକ ଦେଇଛନ୍ତି। ୨୦୦୮ ପରବର୍ତୀ ଅଧ୍ୟାପକ ଓ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(ଯୁକ୍ତ୨ ଓ ଯୁକ୍ତ୩) ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ସରକାରଙ୍କ ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ ସୁଫଳ ମିଳୁନି। ତେଣୁ ସଂଘର ସଦସ୍ୟମାନେ ଫେବ୍ରୁଆରି ୭ରେ ସମୂହ ଭାବେ ନିଜର ଶ୍ରାଦ୍ଧ କରିବେ। ୮ ତାରିଖରେ ଆତ୍ମାହୁତି ଦେବା ପାଇଁ ଧମକ ଦେଇଛନ୍ତି।
୮ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟସ୍ତରୀୟ-୫(ଏକ୍ସ-କ୍ୟାଡର) ଶିକ୍ଷକ ମହାସଂଘ। ଫେବ୍ରୁଆରି ୮ ତାରିଖରେ ରାଜ୍ୟରେ ଥିବା ଗଣଶିକ୍ଷକ ଓ ସହକାରୀ ଶିକ୍ଷକମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ମହାସଂଘର ସଭାପତି ଶିବଲାଲ ସାହୁ, ସମ୍ପାଦକ ବୁଲୁ ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ସେହିପରି ଚାକିରି ନିୟମିତ କରିବା ଦାବିରେ ଗଣଶିକ୍ଷକମାନେ ଗତକାଲିଠାରୁ ଲୋୟର ପିଏମ୍ଜିରେ ଧାରଣା ଜାରି ରଖିଛନ୍ତି। ଦାବି ପୂରଣ କରାନଗଲେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ସବୁ କ୍ଷେତ୍ରରେ ଅସହଯୋଗ କରାଯିବ ବୋଲି ରାଜ୍ୟ ଗଣଶିକ୍ଷକ ମହାସଂଘର ସଭାପତି ମହାଦେବ ସେଠୀ କହିଛନ୍ତି।