ଭୁବନେଶ୍ବର : ରାଜ୍ୟରେ ସରକାରୀ ସ୍ବୟଂଶାସିତ କଲେଜଗୁଡ଼ିକରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ପ୍ରମୁଖ ସ୍ଥାନଗୁଡ଼ିକରେ ଥିବା ୧୬ଟି ସରକାରୀ ସ୍ବୟଂଶାସିତ କଲେଜରେ ଅର୍ଦ୍ଧାଧିକ ଅଧ୍ୟାପକ ପଦବି ଖାଲି ପଡ଼ିଛି। ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏମିତି ତଥ୍ୟ ଦେଇଛନ୍ତି।

Advertisment

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୧୬ଟି ସ୍ବୟଂଶାସିତ କଲେଜରେ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ସଂଖ୍ୟା ହେଉଛି ୧୧୨୧। ଏଥିରୁ ୫୭୬ଟି ପଦବି ଖାଲି ପଡ଼ିଛି। କିଛି କଲେଜରେ ସ୍ଥିତି ସଙ୍ଗୀନ୍ ଅଛି। ଢେଙ୍କାନାଳ ସ୍ବୟଂଶାସିତ କଲେଜରେ ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା ୬୦ ହୋଇଥିଲା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୨୪। ବାଲେଶ୍ବରର ଏଫ୍‌ ଏମ୍‌ କଲେଜରେ ୧୦୧ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ଖାଲି ଅଛି ୫୩ । ଏସ୍‌ସିଏସ୍ କଲେଜ, ଅନୁଗୁଳ ସରକାରୀ କଲେଜ, ଭଦ୍ରକ ସ୍ବୟଂଶାସିତ କଲେଜ, ଏନ୍ ସି କଲେଜ, ଡି ଡି କଲେଜ, ରାଉରକେଲା ସରକାରୀ କଲେଜ, ବିକ୍ରମ ଦେବ କଲେଜ, ଡି ଡି କଲେଜ, ଏମ୍‌ପିସି କଲେଜ, ପାରଳାଖେମୁଣ୍ଡି ଏସ୍‌କେସିଜି କଲେଜ, ଖଲ୍ଲିକୋଟ କଲେଜ ଆଦିରେ ଅର୍ଦ୍ଧାଧିକ ପଦବି ଖାଲି ପଡ଼ିଛି। ବ୍ରହ୍ମପୁର ଏସ୍‌ ବି ରଥ ମହିଳା ସ୍ବୟଂଶାସିତ କଲେଜ ଓ ଫୁଲବାଣୀ ସରକାରୀ ସ୍ବୟଂଶାସିତ କଲେଜରେ ସବୁଠାରୁ ବିଚିତ୍ର ସ୍ଥିତି। ଏସ୍‌ ବି ରଥ ମହିଳା କଲେଜରେ ୪୨ଟି ପଦବିରୁ ଖାଲି ପଡ଼ିଛି ୨୪। ସେମିତି ଫୁଲବାଣୀ କଲେଜରେ ୫୨ ପଦବିରୁ ଖାଲି ପଡ଼ିଛି ୩୨। ରାଜ୍ୟର ପ୍ରମୁଖ କଲେଜ ବିଜେବିରେ ଅର୍ଦ୍ଧାଧିକ ପଦବିରେ ଅଧ୍ୟାପକ ଥିଲେ ବି ପାଖାପାଖି ୨୧ଟି ଖାଲି ଅଛି। ୧୩ଟି କଲେଜ ମଧ୍ୟରୁ ଭଲ ସ୍ଥିତିରେ ଅଛି କଟକର ଶୈଳବାଳା ମହିଳା‌ ସ୍ବୟଂଶାସିତ କଲେଜ। ଏଠାରେ ୪୯ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୪୭ଟିରେ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି ଓ ମାତ୍ର ୨ଟି ପଦବି ଖାଲି ପଡ଼ିଛି।

ନିଯୁକ୍ତି ନେଇ ମନ୍ତ୍ରୀ ଜଣାଇଛନ୍ତି, ସରକାରୀ ଡିଗ୍ରି କଲେଜଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବି ମଧ୍ୟରୁ ଅର୍ଥ ବିଭାଗର ସହମତିକ୍ରମେ ବିଭିନ୍ନ ବିଷୟରେ ୬୦୬ଟି ଶିକ୍ଷକ ପଦବି ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆ‌ୟୋଗକୁ ଅନୁରୋଧ କରାଯାଇ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି।

ଅର୍ଦ୍ଧାଧିକ ଅଧ୍ୟାପକ ପଦ ଖାଲି ଓ ଭିତ୍ତିଭୂମି ଅଭାବରୁ ଢେଙ୍କାନାଳ କଲେଜର ସ୍ବୟଂଶାସିତ ମ‌ାନ୍ୟତା ପ୍ରତ୍ୟାହାର ନେଇ ୟୁଜିସି ଚେତାବନୀ ଦେଇଥିବା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ବିଭିନ୍ନ କାରଣ ଯୋଗୁ ଢେଙ୍କାନାଳ କଲେଜର ସ୍ବୟଂଶାସିତ ମାନ୍ୟତା ୟୁଜିସି ଦ୍ବାରା ପ୍ରତ୍ୟାହାର କରିନିଆଯାଇଛି। ତେବେ ଏହି କାରଣଗୁଡ଼ିକ ସମ୍ପର୍କରେ ମନ୍ତ୍ରୀ ଉତ୍ତରରେ କିଛି ଦର୍ଶାଇ ନାହାନ୍ତି।