ଦାନା ବାନ୍ଧୁଛି ବଡ଼ ଧରଣର ଶିକ୍ଷକ ଆନ୍ଦୋଳନ

୬ରୁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଓଷ୍ଟାର ଗଣଧାରଣା

କଟକ : ସରକାରୀ ନିଷ୍ପତ୍ତି ଠିକ୍‌ ଢଙ୍ଗରେ ପାଳିତ ନ ହେବା, ପ୍ରତିଶ୍ରୁତି ପାଳନରେ ଚଞ୍ଚକତା, ଉଦାସୀନତା ଓ ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ କରିବାରେ ଟାଳଟୁଳ ନୀତି ଶିକ୍ଷକଙ୍କ ଅସନ୍ତୋଷ ବୃଦ୍ଧିର ପ୍ରମୁଖ କାରଣ ବୋଲି ଓଷ୍ଟା ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ଦର୍ଶାଯାଇଛି । ଏଥିପାଇଁ ପୁଣି ବଡ଼ ଧରଣର ଶିକ୍ଷକ ଆନ୍ଦୋଳନ ଦାନା ବାନ୍ଧୁଛି। ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଅହୋରାତ୍ର ଗଣଧାରଣା ଦିଆଯିବ ବୋଲି ଓଷ୍ଟା ପକ୍ଷରୁ ଚେତାବନୀ ଦିଆଯାଇଛି।

ଓଷ୍ଟା ପକ୍ଷରୁ ଦର୍ଶାଯାଇଛି ଯେ ନୂତନ ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଆର୍‌ଏସିପି ପ୍ରଦାନ ବେଳେ ୨:୧ ନିୟମକୁ ଅଗଣତାନ୍ତ୍ରିକ ଭାବରେ ଲାଗୁକରାଯାଇ ସେମାନଙ୍କର ଦରମା କାଟ୍‌ର ବ୍ୟବସ୍ଥା କରାଯାଇଛି। ଏହି ନିୟମ କେବଳ କ୍ୟାଡର ପ୍ରସ୍ତୁତି ଓ ପଦୋନ୍ନତି କ୍ଷେତ୍ରରେ ବରିଷ୍ଠତା ନିର୍ଦ୍ଧାରଣ ପାଇଁ କରାଯାଇଥିଲା । ମାତ୍ର ବର୍ତମାନ ସରକାରୀ ଅଧିକାରୀମାନେ ଏହାକୁ ଦରମା ସହିତ ଯୋଡ଼ି ଏକ ଅବାଞ୍ଛତ ସମସ୍ୟା ସୃଷ୍ଟି କରିଛନ୍ତି । ଏହାକୁ ଦରମା ସହିତ ନ ଯୋଡ଼ିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥବିଭାଗର ପ୍ରମୁଖ ସଚିବଙ୍କ ସମେତ ଉଭୟ ବିଭାଗର ମନ୍ତ୍ରୀଙ୍କ ସହିତ ବାରମ୍ବାର ଆଲୋଚନା ସତ୍ତେ୍ଵ ଏହି ନିୟମ ପ୍ରତ୍ୟାହୃତ ହେଉନାହିଁ । ଏଥିସହିତ ଦୀର୍ଘଦିନ ଧରି ମାନସିକ ଯନ୍ତ୍ରଣା ମଧ୍ୟରେ ରହି ୨୦-୨୫ ବର୍ଷରୁ ଊର୍ଦ୍ଧ୍ୱ କାଳ ବିନା ଦରମାରେ ବା ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଗ୍ରାଣ୍ଟ-ଇନ୍‌-ଏଡ୍‌ ଦିଆଯିବ ବୋଲି ଗତ ସେପ୍ଟେମ୍ବର ୧ ତାରିଖରେ ଘୋଷଣା କଲେ । କିନ୍ତୁ ଗତ ଅକ୍ଟୋବର ୨୨ ତାରିଖରେ ବିଭାଗୀୟ ଅଧିକାରୀମାନେ ଏହି ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପାଇବା ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଏକ ଶପଥପାଠର ମୁଚାଲିକା ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଚଞ୍ଚକତାପୂର୍ଣ୍ଣ ଏକ ଷଡ଼ଯନ୍ତ୍ର ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ ହୋଇଛି।

ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଙ୍କ ପରି ସମସ୍ତ ସୁବିଧା ସୁଯୋଗ ପାଇବେକି ନାହିଁ ସେ ସମ୍ପର୍କରେ କୌଣସି ପ୍ରଶାସନିକ ନିର୍ଦ୍ଦେଶନାମା ଅଦ୍ୟାବଧି ବାହାରିଲା ନାହିଁ । ବ୍ଲକଗ୍ରାଣ୍ଟ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ହିନ୍ଦୀ, ସଂସ୍କୃତ, ଖେଳଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ୨୦୦୮ ମସିହାର ନିର୍ଦ୍ଧାରିତ ଦରମା ନିୟମ ଭିିତ୍ତିରେ ପ୍ରଦାନ କଥା କୁହାଯାଉଥିଲେ ହେଁ ପ୍ରକୃତରେ ସେମାନଙ୍କ କ୍ଷେତ୍ରରେ ଯୋଗ୍ୟତା ଭିତ୍ତିିରେ ଅନ୍ୟ ଶିକ୍ଷକ, କର୍ମଚାରୀମାନଙ୍କ ଭଳି ଦରମା ଓ ଗ୍ରେଡ୍‌-ପେ ପ୍ରଦାନରେ ଅନେକ ଅସଂଗତି ରହିଛି । ବାରମ୍ବାର ଆଲୋଚନା ହେଲେ ମଧ୍ୟ ସରକାରୀ ଅବହେଳା ଓ ଉଦାସୀନତା ପାଇଁ ଅଦ୍ୟାବଧି ତାହାର ସମାଧାନ ହେଉନାହିଁ । ଉପରୋକ୍ତ ସମସ୍ୟା ସମାଧାନ ଦାବିରେ ଗଣତାନ୍ତ୍ରିକ ପଦ୍ଧତିରେ ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଅହୋରାତ୍ର ଗଣଧାରଣା ଦିଆଯିବ । ତଥାପି ଯଦି ଏ ଦିଗରେ ସରକାରୀ ତତ୍ପରତା ପ୍ରକାଶ ନ ପାଏ ତେବେ ଆଗାମୀ ଦିନରେ ପୂର୍ବଭଳି ଓଡ଼ିଶାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନଙ୍କ ମିଳିତ ମଞ୍ଚର ଆହ୍ଵାନରେ ଗଣଆନ୍ଦୋଳନ ରାଜଧାନୀରୁ ପୁରପଲ୍ଲୀ ପର୍ଯ୍ୟନ୍ତ ବ୍ୟାପିବ ବୋଲି ଓଷ୍ଟା ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଓଷ୍ଟା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭିକାରୀ ଚରଣ ସାହୁ, ସନ୍ତୋଷ କୁମାର ଭଟ୍ଟ, ଅଶୋକ କୁମାର ମହାପାତ୍ର, ଅକ୍ଷୟ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର