ସ୍କୁଲ, କଲେଜରେ ଗୁରୁ ନାହାନ୍ତି

ସ୍କୁଲରେ ୫୦ ହଜା‌ରରୁ ଅଧିକ ଶିକ୍ଷକ ପଦ ଖାଲି, ଯୁକ୍ତ୨ରେ ପଢ଼ାଉଛନ୍ତି ଯୁକ୍ତ୩ କଲେଜ ଅଧ୍ୟାପକ, ବିଶ୍ବବିଦ୍ୟାଳୟରେ ନାହାନ୍ତି ୮୦୦ ଶିକ୍ଷକ

ଭୁବନେଶ୍ବର : ମାଟ୍ରିକ୍‌ରେ ପାସ୍‌ହାର କମୁଛି। ଯୁକ୍ତ୨(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ବି ପିଲା ଖରାପ କରୁଛନ୍ତି। ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହୁଛି। ଯୁକ୍ତ ୩ରେ ପଢ଼ିବା ପାଇଁ ପିଲା ଆଗ୍ରହ ଦେଖାଉନାହାନ୍ତି। ଲଗାତାର ତିନି ବର୍ଷ ହେଲା ପାସ୍‌ ହାର କମୁଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ନିଦ ହଜିଗଲାଣି। ତେଣୁ ସଂସ୍କାର ଆଣିବାକୁ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନିଆଯାଉଛି। ପିଲା ହେଉ ନଥିବାରୁ ପ୍ରାୟ ହଜାରେ ସ୍କୁଲ ବନ୍ଦ ହେଲାଣି। ଆଉ ଯେଉଁଠି ୨୦ରୁ କମ୍‌ ପିଲା ପଢ଼ୁଛନ୍ତି ସେଠାରେ ବି ତାଲା ପକାଇବାକୁ ଯୋଜନା କରାଯାଇଛି। ଶିକ୍ଷକମାନଙ୍କୁ ବି ନାଲି ଆଖି ଦେଖାଯାଉଛି। ଅଧ୍ୟାପକଙ୍କୁ ୭ ଘଣ୍ଟା କ୍ୟାମ୍ପସ୍‌ରେ ରହିବାକୁ କଡ଼ା ନିର୍ଦେଶ ଦିଆଯାଇଛି। କ୍ଲାସ୍‌ କରିବାକୁ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିବା, ପିଲାଙ୍କ ଉପସ୍ଥାନ କଡ଼ାକଡ଼ି, ଦେଢ଼ ଘଣ୍ଟିଆ କ୍ଲାସ୍‌ କରିବା ପରି ପଦକ୍ଷେପ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ତେବେ ପ୍ରକୃତ ସମସ୍ୟା ଯଥା ଶିକ୍ଷକ ଓ ଭିତ୍ତିଭୂମି ଅଭାବ ଆଜି ପର୍ଯ୍ୟନ୍ତ ଦୂର କରାଯାଇପାରିନି। ପ୍ରତି କ୍ଲାସ୍‌ ପାଇଁ ଶ୍ରେଣୀଗୃହ ନାହିଁ। ପ୍ରତି ବିଷୟ ପଢ଼ାଇବା ଲାଗି ଶିକ୍ଷକ ନାହାନ୍ତି। କେଉଁଠି ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀ ଚାଲୁଛି ତ କେଉଁଠି ୫ଟି କ୍ଲାସ୍‌ରେ ପଢ଼ାଇବା ପାଇଁ ଜଣେ ଶିକ୍ଷକ। ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଏଭଳି ସମସ୍ୟା ଲାଗି ରହିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟରେ ୩୬ ହଜାର ୩୯୯ ପ୍ରାଥମିକ ଓ ୨୧ ହଜାର ୯୪୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୪୩ ହଜାର ୯୭୩ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଶ୍ରେଣୀଗୃହ ନାହିଁ। ୪ ହଜାର ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି। ଶିକ୍ଷା ଅଧିକାରୀ ଆଇନ ଅନୁଯାୟୀ, ଏ ଯାଏ ଆବଶ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାରିନାହିଁ। ଏହି ଆଇନ‍ ଅନୁଯାୟୀ ରାଜ୍ୟରେ ୨ ଲକ୍ଷ ୨୪ହଜାର ୩୩୦ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ରହିବା କଥା। କିନ୍ତୁ ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ। ଅର୍ଥାତ ଅଧା ନିୟମିତ ଶିକ୍ଷକ ପଦ ଖାଲି ପଡ଼ିଛି।

ଆଶ୍ବାସନାର ବିଷୟ ହେଉଛି ଯେ ସ୍ୱଳ୍ପ ପାରିଶ୍ରମିକରେ ୭୩ ହଜାର ୭୩୬ ଜଣ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହାପରେ ବି ୩୫ ହଜାର ଶିକ୍ଷକ ପଦ ଖାଲି ପଡ଼ିଛି। ହାଇସ୍କୁଲଗୁଡ଼ିକରେ ପ୍ରାୟ ୬ ହଜାର ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଛି। ୨୬୦୮ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କେହି ପ୍ରଧାନ ଶିକ୍ଷକ ନାହାନ୍ତି। ୧୬ରୁ ୧୭ ହଜାର ଶିକ୍ଷକ ପଦ ଖାଲି ପଡ଼ିଛି। ପ୍ରତି ମାସରେ ଶିକ୍ଷକମାନେ ଅବସର ନେଉଥିବାରୁ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ନୂତନ ନିଯୁକ୍ତି ହେଉନାହିଁ।

ଯୁକ୍ତ୨ ଓ ଯୁକ୍ତ୩ ଅବସ୍ଥା ନ କହିବା ଭଲ। ରାଜ୍ୟରେ ଥିବା ସରକାରୀ ସ୍ବୟଂଶାସିତ, ଡିଗ୍ରି ଓ ଜୁନିଅର କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଅଧ୍ୟାପକ ପଦ ଖାଲି ରହିଛି। ୮୫ଟି ସ୍ବୟଂଶାସିତ, ଡିଗ୍ରି ଓ ଜୁନିଅର ସରକାରୀ କଲେଜ ଲାଗି ୨ହଜାର ୭୪୪ଜଣ ଅଧ୍ୟାପକ ପଦ ମଞ୍ଜୁର ‌ହୋଇଥିବା ବେଳେ ସେଥିମଧ୍ୟରୁ ୧୩୭୦ଜଣ ନିୟମିତ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ୧୩୭୪ଟି ପଦ ଖାଲି ପଡ଼ିଛି। ଦୀର୍ଘ ବର୍ଷ ହେଲା ଅତିଥି ଅଧ୍ୟାପକରେ ପାଠପଢ଼ା ଚାଲିଛି। ଦୁଇ ବର୍ଷ ହେଲା ଯୁକ୍ତ୨ ଓ ଯୁକ୍ତ୩ କଲେଜ ଅଲଗା ‌ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୁକ୍ତ୨ ପାଇଁ ନୂତନ ନିଯୁକ୍ତି ହୋଇନାହିଁ। ଯୁକ୍ତ୩ କଲେଜର ଅଧ୍ୟାପକ ଏବେ ବି ଯୁକ୍ତ୨ ପିଲାମାନଙ୍କୁ ପଢ଼ାଉଛନ୍ତି। କେବେ ସୁଦ୍ଧା ନିଯୁକ୍ତି ହେବେ, କେବେ ଅଧ୍ୟାପକମାନେ ଯୁକ୍ତ୩ କଲେଜକୁ ଫେରି‌ବେ, ସେନେଇ କାହା ପାଖରେ ଉତ୍ତର ନାହିଁ। ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଅବସ୍ଥା କେମିତି ଥିବ, ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଇପାରେ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟରେ ଏବେ ବି ଆବଶ୍ୟକ ପ୍ରଫେସର ଓ ଅଧ୍ୟାପକ ନାହାନ୍ତି। ଗତ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ବିଶ୍ବବିଦ୍ୟାଳୟରେ ପ୍ରାୟ ୮୦୦ ଶିକ୍ଷକ ପଦ ଖାଲି ପଡ଼ିଥିଲା। ଦୁଇ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନି। କେତେବେଳେ କୋର୍ଟ ଛାଟ ପଡ଼ୁଛି ତ ଆଉ କେତେବେଳେ ଅଧାରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରୁଛି ଉଚ୍ଚଶିକ୍ଷା ବିଭାଗ। ଗୁରୁଙ୍କ ଅଭାବରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପରୀକ୍ଷାରେ ସଂସ୍କାର ଆଣିବା, ଉପସ୍ଥାନକୁ କଡ଼ାକଡ଼ି କରିବା ପରି ପଦ‌କ୍ଷେପ ଶିକ୍ଷା ବ୍ୟବସ୍ଥାକୁ କେତେ ଆଗକୁ ନେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର