ପ୍ରତିଶ୍ରୁତି ପରେ ବି ଆନ୍ଦୋଳନରେ ସ୍କୁଲ କଲେଜ ଶିକ୍ଷକ

ପୁଣିଥରେ ମହାସମାବେଶ ପାଇଁ ପ୍ରସ୍ତୁତି

ଶିବରାତ୍ରିରେ ରାସ୍ତାରେ ଜାଳିଲେ ଦୀପ

ଭୁବନେଶ୍ୱର : ସ୍କୁଲ, କଲେଜ ଶିକ୍ଷକଙ୍କ ଲାଗି ସତ୍ୟପାଠର ଆବଶ୍ୟକତା ନାହିଁ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିବା ପରେ ବି ଆନ୍ଦୋଳନରୁ ଓହରି ନାହାନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରା ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦେଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି।

ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଆଗକୁ ପରୀକ୍ଷା ଥିବାରୁ ଏବେ ତରବରିଆ ଭାବେ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ଚପାଇବାକୁ ଉଦ୍ୟମ ହେଉଛି। ପ୍ରତିଥର ପରି ଏଥର ମଧ୍ୟ ପ୍ରତାରଣା କରିବା ଲାଗି ଏହା ଏକ ଚକ୍ରାନ୍ତ। ତେଣୁ ଦାବି ପୂରଣ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସପ୍ତମ ବେତନ କମିସନ ଲାଗୁ, ଚାକିରି ସର୍ତ୍ତାବଳୀ ପ୍ରଦାନ ସହ ୪୦%,୬୦% ଓ ୭୫% ବ୍ଲକଗ୍ରାଣ୍ଟପ୍ରାପ୍ତ ବିଦ୍ୟାଳୟ ଓ କଲେଜକୁ ଶତ ପ୍ର୍ରତିଶତ ଦରମା ଭିତ୍ତିକ ଅନୁଦାନ ପ୍ରଦାନ କରା ନ ଗଲେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ପୁଣିଥରେ ରାଜ୍ୟ ସରକାରଙ୍କୁ ସମୟ ଦେଇଛି ମିଳିତ ମଞ୍ଚ। ଶନିବାର ସୁଦ୍ଧା ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରନ୍ତୁ। ନ ହେଲେ ସୋମବାର ରାଜଧାନୀରେ ପୁଣିଥରେ ଶିକ୍ଷକଙ୍କ ମହାସମାବେଶ ଅନୁଷ୍ଠିତ ହେବ। ୫୦ ହଜାରରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବେ। ଅନ୍ୟପକ୍ଷରେ ଲୋୟର ପିଏମ୍‌ଜିରେ ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀ ଆଜି ରାସ୍ତାରେ ମହାଶିବରାତ୍ରି ପାଳନ କରିଛନ୍ତି। ଉପବାସରେ ରହିବା ସହ ଦୀପ ଜାଳିଛନ୍ତି।

ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ବେସରକାରୀ କଲେଜ ଅଧ୍ୟାପକ ସଂଘ

ଭୁବନେଶ୍ୱର : ପୂର୍ଣ୍ଣ ଅନୁଦାନପ୍ରାପ୍ତ(ଷ୍ଟେଟ୍‌ ସ୍କେଲ୍‌) ଅଧ୍ୟାପକ ଓ କର୍ମଚାରୀଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ତଥା କାଳକ୍ଷେପଣ ନୀତିକୁ ନେଇ ନିଖିଳ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ସଂଘ ସୋମବାର ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂଘର ରାଜ୍ୟ ଆବାହକ କମଳ ପ୍ରସାଦ ମହାନ୍ତି କହିଛନ୍ତି ଯେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକାଧିକ ଥର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବି ସୁଫଳ ମିଳିନି। ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ୟୁଜିସି ବିଭିନ୍ନ ସମୟରେ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିଆସୁଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ୟୁଜିସି ହାରରେ ଦରମା ଦେଉ ନାହିଁ। ଯେଉଁଥିପାଇଁ ଓଡ଼ିଶା ଜାତୀୟ ସ୍ର୍ରୋତରୁ ପୃଥକ ହେବାକୁ ବସିଲାଣି। ପ୍ଲେସମେଣ୍ଟ ରୁଲ୍‌ ୨୦୧୪ରେ ଥିବା ତ୍ରୁଟିକୁ ଏପର୍ଯ୍ୟନ୍ତ ସଂଶୋଧନ କରାଯାଉ ନାହିଁ। ପ୍ରାଧ୍ୟାପକ ପଦୋନ୍ନତିରେ ୨୭ ବର୍ଷ ବଦଳରେ ୧୮ ବର୍ଷ ନିୟମ ଲାଗୁ ହେଉନି। ଅନୁଦାନପ୍ରାପ୍ତ କଲେଜ ପାଇଁ ନିୟମିତ ଅଧ୍ୟକ୍ଷ ପଦ ନ ଥିବାରୁ କଲେଜ ପ୍ରଶାସନିକ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ତେଣୁ ଏଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ସଚିବ ଜିଭିଭି ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର