ଦାନା ବାନ୍ଧୁଛି ଶିକ୍ଷକ ଆନ୍ଦୋଳନ

ଶିକ୍ଷା ଓ ଅର୍ଥ ବିଭାଗର ବିଚିତ୍ର ନୀତିକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର : ୧୯୯୪ ଜୁନ୍‌ ୭ରେ ୩୦୧୨ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀକରଣ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ ପୂର୍ବରୁ ଥିବା ପୂର୍ଣ୍ଣ ସରକାରୀ ବିଦ୍ୟାଳୟ ସହ ଏହି ବିଦ୍ୟାଳୟଗୁଡ଼ିକୁ ମିଶ୍ରଣ କରିବା ସମୟରେ ଶିକ୍ଷକ ଓ କର୍ମଚାରୀଙ୍କ ବରିଷ୍ଠତା ନିର୍ଧାରଣ କରାଯାଇଥିଲା। ଏଥିପାଇଁ ନୂତନ ସରକାରୀ କାର୍ଯ୍ୟରତ ଶିକ୍ଷକ ଏବଂ କର୍ମଚାରୀଙ୍କ ୨ ବର୍ଷ କାର୍ଯ୍ୟକାଳକୁ ପୂର୍ଣ୍ଣ ସରକାରୀ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଏକ ବର୍ଷର କାର୍ଯ୍ୟକାଳ ସହ ଅର୍ଥାତ୍‌ ୨:୧ ଭିତ୍ତିରେ ମିଶ୍ରଣ କରାଗଲା। ଏହି ବ୍ୟବସ୍ଥା କେବଳ କ୍ୟାଡର୍‌ ମିଶ୍ରଣ ପାଇଁ ପ୍ରଯୁଜ୍ୟ ବୋଲି ଅର୍ଥ ଓ ଶିକ୍ଷା ବିଭାଗ ଏକମତ ହୋଇଥିଲେ। ଇତିମଧ୍ୟରେ ୨୪ ବର୍ଷ ବିତିଗଲାଣି। ଏବେ ଯେତେବେଳେ ଆରଏସିପି ପ୍ରଦାନ କଥା ଉଠୁଛି ସେତେବେଳେ କେବଳ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏହାକୁ କଦର୍ଥ କରି ପଦୋନ୍ନତିର ଅନ୍ତର୍ଗତ ବୋଲି କୁହାଯାଉଛି। ଫଳରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ସପ୍ତମ ବେତନ କମିସନ ଅନୁଯାୟୀ ନିର୍ଧାରଣ ହୋଇପାରୁ ନାହିଁ। ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ ନିର୍ଧାରଣ ହୋଇପାରୁନି। ଏପରିକି ଉଭୟ ବରିଷ୍ଠ ଶିକ୍ଷକ ଓ ପେନ୍‌ସନ୍‌ଭୋଗୀ ପୂର୍ବରୁ ପାଇଥିବା ଦରମାକୁ ହରାଇବାକୁ ପଡ଼ୁଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ଇତିମଧ୍ୟରେ ପ୍ରାଥମିକ, ଉଚ୍ଚ ପ୍ର୍ରାଥମିକ ଓ ମ୍ୟୁନିସିପାଲଟି ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ୧:୧ ଭିତ୍ତିରେ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି। ସେହିପରି ୧୯୯୪ ଜୁନ୍‌ ୧ରୁ ପୂର୍ଣ୍ଣ ଅନୁଦାନ ପାଉଥିବା ବିଦ୍ୟାଳୟଗୁଡ଼ିକୁ ସରକାରୀ ଶିକ୍ଷକ ଓ କର୍ମଚାରୀଙ୍କ ଭଳି ଦରମା ଦିଆଯାଇଥିଲେ ମଧ୍ୟ ସେଗୁଡ଼ିକୁ ସରକାରୀ ବିଦ୍ୟାଳୟରେ ପରିଣତ କରାଯାଇ ନାହିଁ। ଯେଉଁଥିପାଇଁ ସେଠାରେ ଶିକ୍ଷକ ନିଯୁକ୍ତି ହୋଇପାରୁ ନାହାନ୍ତି କି ଭିତ୍ତିଭୂମିର ବିକାଶ ହେଉନି। ଛାତ୍ରଛାତ୍ରୀ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଗତ ୨୦୧୮ ଜାନୁଆରି ୧ରୁ ପ୍ରାୟ ୩ ହଜାର ବିଦ୍ୟାଳୟରୁ ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରାଯାଇ ଅନୁଦାନ ଆଇନ ଲାଗୁ ହେଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ହେଲେ ୪୦, ୬୦, ୭୫ ପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ବିଦ୍ୟାଳୟ ଓ ୧୭୭ ବିଦ୍ୟାଳୟ(ଯେଉଁମାନେ ଆଦୌ ଦରମା ପାଉନାହାନ୍ତି)ପାଇଁ ବିଜ୍ଞପ୍ତି ପ୍ରକାଶ କରାଗଲା ନାହିଁ। ପୁନର୍ବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସତ୍ୟପାଠ ଉଚ୍ଛେଦ କରାଗଲା ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜ୍ଞପ୍ତି ବାହାରିନି। ଏଥିସହ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ହିନ୍ଦୀ, ସଂସ୍କୃତ, କ୍ରୀଡ଼ା ଶିକ୍ଷକ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମାରେ ଦୀର୍ଘଦିନ ଧରି ଅସଙ୍ଗତି ରହିଛି। ସରକାରୀ ଘୋଷଣା ପରେ ସାମାଜିକ ନିରାପତ୍ତା ଓ ଭବିଷ୍ୟନିଧି ପାଇଁ ଦିଆଯାଇଥିବା ଅର୍ଥ ରାଶି ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଏସବୁ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ସବୁ ବର୍ଗର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ମୂଲ୍ୟାୟନ ବର୍ଜନ କରିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।

୧୯ରୁ ବେସରକାରୀ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(ଯୁକ୍ତ୨ ଓ ଯୁକ୍ତ୩) ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୧୯ ତାରିଖରେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସଂଘର ଏକ ବିଶାଳ ଶୋଭାଯାତ୍ରା ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯିବ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅନିର୍ଧିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଚାଲିବ। ୨୦୦୮ରୁ ଆଜି ପର୍ଯ୍ୟନ୍ତ ନିଯୁକ୍ତ ହୋଇଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ, କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ବିଷୟରେ ସରକାରୀସ୍ତରରେ ଆଲୋଚନା ହେଉ ନ ଥିବାରୁ ଏହି ଗଣଧାରଣା କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଯଦି ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନ ନିଅନ୍ତି ୨୦ ତାରିଖରୁ ଅମରଣ ଅନଶନରେ ବସିବାକୁ ସଂଘ ନିଷ୍ପତ୍ତି ନେଇଛି ବୋଲି ସଭାପତି ନବକିଶୋର ମିଶ୍ର, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ଆବାହକ ରାଜକିଶୋର ବାରିକ, ଦୀପକ କୁମାର ସାହୁ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର