ବାଜିରେ ଲଗାଇଦେଲେ ପରୀକ୍ଷାର୍ଥୀଙ୍କ ଭାଗ୍ୟ

୬ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ଚିନ୍ତାରେ
୫୭ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର : ରାଜ୍ୟର ୬ ଲକ୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍‌ ଖାତା ମୂଲ୍ୟାୟନ। କିନ୍ତୁ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ନେଇ ଆଶଙ୍କା ଦେଖାଦେଇଛି। ପାଠପଢ଼ା, ପରୀକ୍ଷାରେ ଏହି ଆନ୍ଦୋଳନ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ନିଦ ହଜାଇଦେଇଥିଲା। ମୂଲ୍ୟାୟନ ବେଳେ ସମାନ ଦଶା। ସବୁବେଳେ ସରକାର ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ ସାମୟିକ ଟାଳି ଖୁସି ହେଉଛନ୍ତି। କିନ୍ତୁ ସ୍ଥାୟୀ ସମାଧାନର ବାଟ ବାହାରୁ ନ ଥିବାରୁ ସମସ୍ୟା ଆହୁରି ଗୁରୁତର ଆକାର ଧାରଣ କରୁଛି। ଶିକ୍ଷକ ଓ ସରକାରଙ୍କ ଛକାପଞ୍ଝା ଭିତରେ ବାରମ୍ବାର କୋମଳମତି ଛାତ୍ରଛାତ୍ରୀଙ୍କ ଭାଗ୍ୟ ବାଜି ଲାଗୁଛି।

ଚଳିତ ଶିକ୍ଷା ବର୍ଷରେ ପାଠପଢ଼ା ଠାରୁ ଆରମ୍ଭ କରି ମୂଲ୍ୟାୟନ ପର୍ଯ୍ୟନ୍ତ ଦେଖାଦେଇଛି ବିଭ୍ରାଟ। ଶିକ୍ଷା ବର୍ଷ ଆରମ୍ଭରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ଦାନା ବାନ୍ଧିଥିଲା ଆନ୍ଦୋଳନ। ପାଠପଢ଼ା ବ୍ୟାହତ ହେଲା। ପରୀକ୍ଷା ପୂର୍ବରୁ ବି ବିଭ୍ରାଟ ଦେଖାଦେଇଥିଲା। ପ୍ରତିଶ୍ରୁତି ଦେଇ ବିଭ୍ରାଟକୁ ସରକାର ସାମୟିକ ଭାବେ ଟାଳିଦେଲେ। ଏବେ ଏବେ ମୂଲ୍ୟାୟନ ସମୟରେ ଶିକ୍ଷକଙ୍କ ଆନ୍ଦୋଳନ ଗଣଶିକ୍ଷା ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ମଙ୍ଗଳବାରଠାରୁ ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହେଉଥିବା ବେଳେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ହରଡ଼ଘଣାରେ ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏବେ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ମୂଲ୍ୟାୟନ ବର୍ଜନ କରିଛନ୍ତି। ଅନ୍ୟ ବର୍ଗର ଶିକ୍ଷକମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଖାତା ଦେଖାରେ ସାମିଲ ହେଉ ନ ଥିବାରୁ ମୂଲ୍ୟାୟନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଶିକ୍ଷକଙ୍କ ଆନ୍ଦୋଳନ ବ୍ୟାପକ ହୋଇଥିଲେ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହାକୁ ମୁକାବିଲାମୂଳକ ସ୍ଥିତି ଆଡ଼କୁ ଟାଣି ନେଇଛନ୍ତି। କହିଛନ୍ତି, ଖାତା ମୂଲ୍ୟାୟନରେ କୌଣସି ପ୍ରକାର ଅସୁବିଧା ହେବନି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୨୦ରୁ ମୂଲ୍ୟାୟନ ଆରମ୍ଭ ହେବ। ଶିକ୍ଷକମାନେ ଆନ୍ଦୋଳନରୁ ଓହରି ମୂଲ୍ୟାୟନରେ ସାମିଲ ହୁଅନ୍ତୁ। ଶେଷଥର ଲାଗି ସେମାନଙ୍କୁ ଅନୁରୋଧ କରାଯାଉଛି। ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ଶିକ୍ଷକଙ୍କ ଅଧିକାଂଶ ଦାବି ପୂରଣ ହୋଇଛି। ବାକି ଦାବି ସଙ୍ଗେ ସଙ୍ଗେ ପୂରଣ କରିବା ସମ୍ଭବପର ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଗଣମାଧ୍ୟମରେ କହିଛନ୍ତି।

ଯଦି ଶିକ୍ଷକମାନେ ମୂଲ୍ୟାୟନରେ ସାମିଲ ହେବେ ନାହିଁ, ତେବେ ଖାତା ଦେଖିବ କିଏ? କାହାକୁ ଆଖି ଆଗରେ ରଖି ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି ମନ୍ତବ୍ୟ ଦେଇଛନ୍ତି? ବିକଳ୍ପ ସମ୍ପର୍କରେ ମନ୍ତ୍ରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। କିନ୍ତୁ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।

ଅପର ପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ମନ୍ତ୍ରୀଙ୍କ ଧମକକୁ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଖାତିର କରୁନାହାନ୍ତି। ୩ ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି। ଗତ ମାସରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇ ମହାସମାବେଶ କରିଥିଲେ। ସେତେବେଳେ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ମାର୍ଚ୍ଚ ୮ ସୁଦ୍ଧା ଦାବି ପୂରଣ କରାଯିବ। ମାର୍ଚ୍ଚ ୮ ଯାଇ ୧୮ ତାରିଖ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କ କଥା ରଖିପାରିଲେ ନାହିଁ। ତେଣୁ ମିଳିତ ମଞ୍ଚର ଏହି ଆନ୍ଦୋଳନ ଜାରି ରହିବ। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଧମକରୁ ମନ୍ତ୍ରୀ ନିବୃତ୍ତ ରୁହନ୍ତୁ। ନ ହେଲେ ଯେଉଁ ବିସ୍ଫୋରକ ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ।

ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ୫୭ଟି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଆଜି ସକାଳ ୯ଟା ୩୦ରୁ ଶିକ୍ଷକମାନେ ଧରଣା ଦେଇଥିଲେ। ଏଥିପାଇଁ ଖାତା ମୂଲ୍ୟାୟନ ଲାଗି ନାମ ପଞ୍ଜୀକରଣ କରିବାକୁ ଆସିଥିବା ଶିକ୍ଷକମାନେ କେନ୍ଦ୍ର ଭିତରକୁ ଯାଇପାରି ନ ଥିଲେ। ପୁରୀ, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଭୁବନେଶ୍ୱର ପ୍ରଭୃତି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଚଳିତବର୍ଷ ୧୩,୨୮୦ ଶିକ୍ଷକ ଖାତା ମୂଲ୍ୟାୟନ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେଥିରେ ୬ ହଜାର ବ୍ଲକଗ୍ରାଣ୍ଟ ଶିକ୍ଷକ ରହିଛନ୍ତି।

ସମ୍ବନ୍ଧିତ ଖବର